Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs South Africa / କୋଲକାତାରେ ଭାରତର ଲଜ୍ଜାଜନକ ପରାଜୟ, ଏହି ୫ କାରଣ ପାଇଁ ହାରିଲା ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
କୋଲକାତାରେ ଭାରତର ଲଜ୍ଜାଜନକ ପରାଜୟ, ଏହି ୫ କାରଣ ପାଇଁ ହାରିଲା ଟିମ୍ ଇଣ୍ଡିଆ

Key Points

କୋଲକାତାରେ ଭାରତର ଲଜ୍ଜାଜନକ ପରାଜୟ । ଏହି ୫ କାରଣ ପାଇଁ ହାରିଲା ଟିମ୍ ଇଣ୍ଡିଆ ।
କୋଲକାତାର ଇଡେନ୍ ଗାର୍ଡେନ୍ସରେ ଭାରତର ଲଜ୍ଜାଜନକ ପରାଜୟ । ଇତିହାସ ରଚିଲା ଦକ୍ଷିଣ ଆଫ୍ରିକା । ତେମ୍ବା ବାଭୁମାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୦ ରନ୍‌ରେ ପରାସ୍ତ କରି ଐତିହାସିକ ବିଜୟ ନିଜ ନାଁରେ କରିଛି । ଟେଷ୍ଟ ଚାମ୍ପିଅନ୍ ଦକ୍ଷିଣ ଆଫ୍ରିକା ପାଇଁ ଏହି ବିଜୟ ବେଶ୍‌ ସ୍ୱତନ୍ତ୍ର । କାରଣ ଏହା ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ଆଫ୍ରିକୀୟ ଦଳ ଟେଷ୍ଟ କ୍ରିକେଟରେ ଭାରତକୁ ପରାସ୍ତ କରିଛି । ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ବର୍ତ୍ତମାନ ଦୁଇ ମ୍ୟାଚ୍ ସିରିଜରେ ୧-୦ରେ ଅଗ୍ରଣୀ ରହିଛି । ତେବେ ଆସନ୍ତୁ ଜାଣିବା ସେହି ୫ କାରଣ, ଯେଉଁଥିପାଇଁ ଶୋଚନୀୟ ପରାଜୟ ବରଣ କଲା ଭାରତ...

ବ୍ୟାଟ୍ସମ୍ୟାନଙ୍କ ଲଜ୍ଜାଜନକ ପ୍ରଦର୍ଶନ

କୋଲକାତା ଟେଷ୍ଟର ଉଭୟ ଇନିଂସରେ ଭାରତୀୟ ବ୍ୟାଟିଂ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ପ୍ରଥମ ଇନିଂସରେ ଭାରତ ମୋଟ ୧୮୯ ରନ୍ କରିବାରେ ସଫଳ ହୋଇଥିଲା । ଜଣେ ବି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ହାସଲ କରିପାରିନଥିଲେ । ପ୍ରଥମ ଇନିଂସରେ ପିଚ୍ ଅନୁପଯୁକ୍ତ ଥିଲେ ମଧ୍ୟ ମଧ୍ୟକ୍ରମ ବ୍ୟାଟସମ୍ୟାନମାନେ T20 ଶୈଳୀରେ ବ୍ୟାଟିଂ କରୁଥିବା ଦେଖାଯାଇଥିଲା । ବ୍ୟାଟ୍ସମ୍ୟାନଙ୍କ ଆକ୍ରମଣାତ୍ମକ ମନୋଭାବ ପାଇଁ ଲଗାତର ବ୍ୟବଧାନରେ ଓ୍ବିକେଟ୍‌ ହରାଇଥିଲେ । ଯାହାଫଳରେ ଭାରତ ପ୍ରଥମ ଇନିଂସରେ ଏକ ଛୋଟ୍‌ ଲିଡ୍‌ ପାଇଥିଲା ।

ଦ୍ୱିତୀୟ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟ

ପ୍ରଥମ ଇନିଂସର ବ୍ୟାଟିଂ ବିପର୍ଯ୍ୟୟରୁ ଶିଖିବା ପରିବର୍ତ୍ତେ, ଭାରତୀୟ ଦଳ ଦ୍ୱିତୀୟ ଇନିଂସରେ ଆହୁରି ଖରାପ ପ୍ରଦର୍ଶନ କରିଥିଲା । ଦକ୍ଷିଣ ଆଫ୍ରିକା ଭାରତ ସାମ୍ନାରେ ମାତ୍ର ୧୨୪ ରନର ଲକ୍ଷ୍ୟ ରଖିଥିଲା । ଏହା ଖେଳର କେବଳ ତୃତୀୟ ଦିନ ଥିଲା । କିନ୍ତୁ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆରମ୍ଭରୁ ବିଫଳ ହୋଇଥିଲେ । ପ୍ରାରମ୍ଭିକ ଯୋଡ଼ି ବିଫଳ ହୋଇଥିଲେ। ଯଶସ୍ୱୀ ଉଭୟ ଇନିଂସରେ ବିଶେଷ କିଛି କରିପାରି ନଥିଲେ । ଯାହାଫଳରେ ଦଳ ମାତ୍ର ୯୩ ରନ୍‌ରେ ଅଲଆଉଟ ହୋଇଥିଲା ।

ସ୍ପିନ୍ ଖେଳିବାର ଚ୍ୟାଲେଞ୍ଜ...

ଏହି ମ୍ୟାଚର ଉଭୟ ଇନିଂସରେ, ଭାରତୀୟ ବ୍ୟାଟିଂ ସ୍ପିନ ବୋଲିଂକୁ ଭଲ ଭାବେ ଖେଳିପାରିନଥିଲେ । କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସ୍ପିନରମାନଙ୍କୁ ପ୍ରଭାବଶାଳୀ ଭାବରେ ଖେଳିପାରି ନଥିଲେ । ପନ୍ତଙ୍କୁ ପ୍ରଥମ ବଲରୁ ହିଁ ପରୀକ୍ଷାମୂଳକ ସଟ୍ ଖେଳୁଥିବାର ଦେଖିବାକୁ ମିଳିଥିଲା । ସେହିପରି ଜୁରେଲ୍ ମଧ୍ୟ ତାଙ୍କର ୱିକେଟ୍ ଫିଙ୍ଗି ଦେଇଥିଲେ । କୌଣସି ବ୍ୟାଟ୍ସମ୍ୟାନ୍ ଲମ୍ବା ଇନିଂସ ଖେଳିପାରି ନଥିଲେ। ଫଳସ୍ୱରୂପ, ଭାରତୀୟ ଦ୍ବିତୀୟ ଇନିଂସରେ ମାତ୍ର ୯୩ ରନ୍‌ କରି ପାରିଥିଲା ।

ଯଶସ୍ୱୀଙ୍କ ଫ୍ଲପ୍ ଶୋ, ପନ୍ତଙ୍କ ଧୈର୍ଯ୍ୟର ଅଭାବ

ଏହି ପରାଜୟର ଏକ ପ୍ରମୁଖ କାରଣ ଥିଲା ଓପନର ବ୍ୟାଟ୍ସମ୍ୟାନ୍‌ ଯଶସ୍ୱୀ ଜୟସ୍ବାଲଙ୍କ ଖରାପ ପ୍ରଦର୍ଶନ । ଯଶସ୍ୱୀ ଉଭୟ ଇନିଂସରେ ଶୋଚନୀୟ ଭାବରେ ବିଫଳ ହୋଇଥିଲେ । ସେ ଦ୍ୱିତୀୟ ଇନିଂସରେ ନିଜର ଖାତା ମଧ୍ୟ ଖୋଲିପାରି ନଥିଲେ। ସେହିପରି ପନ୍ତ ପ୍ରଥମ ଇନିଂସରେ ୨୭ ରନ୍ କରିଥିଲେ। କିନ୍ତୁ ଦ୍ୱିତୀୟ ଇନିଂସର ଧୌର୍ଯ୍ୟର ସହ ଖେଳିବା ପରିବର୍ତ୍ତେ ପ୍ରଥମ ବଲରୁ ପନ୍ତ ଆକ୍ରମଣାତ୍ମକ ମୋଡରେ ଥିଲା ପରି ଲାଗୁଥିଲେ । ଯାହାଫଳରେ ସେ ମାତ୍ର ୨ ରନ୍ କରି ଆଉଟ୍ ହୋଇଥିଲେ ।

ଗିଲଙ୍କ ଆଘାତ ମଧ୍ୟ ଏହି ପରାଜୟର ଏକ କାରଣ

ଭାରତର ପରାଜୟ ପଛରେ ଅଧିନାୟକ ଶୁବମନ ଗିଲଙ୍କ ଆଘାତ ମଧ୍ୟ ଏକ କାରଣ ଥିଲା । ଯେତେବେଳେ ସେ ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ, ସେ କେବଳ ତିନୋଟି ବଲ୍ ଖେଳିପାରିଥିଲେ। ତା’ପରେ ତାଙ୍କର ବେକ ସମସ୍ୟା ଦେଖାଦେଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା। ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିବାକୁ ଆସିପାରିନଥିଲେ । ଗିଲଙ୍କ ଅନୁପସ୍ଥିତି ଯୋଗୁଁ ଭାରତୀୟ ଦଳ ଜଣେ କମ୍ ବ୍ୟାଟ୍ସମ୍ୟାନ୍ ସହିତ ଖେଳିଥିଲା।

ସାମଗ୍ରିକ ଭାବରେ, ଏହି ପରାଜୟର ସବୁଠାରୁ ବଡ଼ କାରଣ ଥିଲା ଯେ ଏହି ଭାରତୀୟ ଦଳ ଅଭିଜ୍ଞତା କିମ୍ବା ଧୈର୍ଯ୍ୟ ଦେଖାଇ ନଥିଲା । ୧୨୪ ରନ୍‌ର ଟାର୍ଗେଟ୍‌ ବେଳେ ଧୈର୍ଯ୍ୟ ଆବଶ୍ୟକ ଥିଲା । କିନ୍ତୁ ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରିଲେ ନାହିଁ କି ବଡ଼ ପାର୍ଟନରସିପ୍‌ କରିପାରିଲେ ନାହିଁ । ସୁନ୍ଦରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ୫୦ରୁ ଅଧିକ ବଲ୍ ମଧ୍ୟ ଖେଳିପାରିନଥିଲେ ।

ଇଡେନ୍‌ ଗାର୍ଡେନରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ୍ କରିଥିଲା। ଜବାବରେ ଭାରତ ୧୮୯ ରନ୍ କରି ୩୦ ରନ୍‌ର ଅଗ୍ରଣୀ ନେଇଥିଲା । ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରମାନେ ମଧ୍ୟ ଦକ୍ଷିଣ ଆଫ୍ରିକାକୁ ୧୫୩ ରନ୍‌ରେ ଅଲ୍‌ଆଉଟ୍ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ବାଭୁମା ଅପରାଜିତ ୫୫ ରନ୍ କରିଥିଲେ । ଭାରତ ସମ୍ମୁଖରେ ୧୨୪ ରନ୍‌ର ଲକ୍ଷ୍ୟ ଥିଲା । କିନ୍ତୁ ଭାରତୀୟ ଦଳ ମାତ୍ର ୯୩ ରନ୍‌ କରି ଅଲଆଉଟ୍ ହୋଇଥିଲା । ଭାରତ ପକ୍ଷରୁ ଓ୍ବାଶିଂଟନ୍‌ ସୁନ୍ଦର ସର୍ବାଧିକ ୩୧ ରନ୍‌ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Kolkata Test: India’s Shameful Defeat — 5 Reasons Behind SA’s Historic Win | Argus News