Videos
|
Sports

Jayawardene Joins DC / ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଦିଲ୍ଲୀ କ୍ୟାପିଟାଲ୍ସରେ ମହେଲା ଜୟବର୍ଦ୍ଧନେ, WPL 2027 ପୂର୍ବରୁ ମିଳିଲା ବଡ଼ ଦାୟିତ୍ୱ

Santosh Kumar Sahoo
Browse all articles by Santosh Kumar Sahoo
·11 mins ago·2 min read
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ଦିଲ୍ଲୀ କ୍ୟାପିଟାଲ୍ସରେ ମହେଲା ଜୟବର୍ଦ୍ଧନେ, WPL 2027 ପୂର୍ବରୁ ମିଳିଲା ବଡ଼ ଦାୟିତ୍ୱ
Jayawardene Joins DC

Key Points

WPL 2027 ପୂର୍ବରୁ ଦିଲ୍ଲୀର ବଡ଼ ନିଷ୍ପତ୍ତି
ମହେଲାଙ୍କୁ ମିଳିଲା ଗୁରୁଦାୟିତ୍ୱ
ଟାର୍ଗେଟ୍ WPL ଟ୍ରଫି
ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ତଥା ଅଭିଜ୍ଞ କୋଚ୍ ମହେଲା ଜୟବର୍ଦ୍ଧନେ ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ଆରମ୍ଭ କରିଛନ୍ତି ନୂଆ ଅଧ୍ୟାୟ । ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ପରେ ଏବେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି । ଆଗାମୀ ମହିଳା ପ୍ରିମିୟର ଲିଗ୍ (WPL) ସିଜିନ୍ ପୂର୍ବରୁ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ଡାଇରେକ୍ଟର ଅଫ୍ କ୍ରିକେଟ୍ ଭାବେ ନିଯୁକ୍ତ କରାଯାଇଛି ।

ମହେଲା ଜୟବର୍ଦ୍ଧନେ ଏବେ ଦଳର ସମସ୍ତ ପ୍ରମୁଖ କ୍ରିକେଟ୍ ସମ୍ବନ୍ଧୀୟ ନିଷ୍ପତ୍ତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ । ଦଳର ରଣନୀତି ପ୍ରସ୍ତୁତି, ନୂଆ ପ୍ରତିଭା ଅନ୍ୱେଷଣ, ଖେଳାଳିଙ୍କ ବିକାଶ ଏବଂ କୋଚିଂ ଷ୍ଟାଫ୍‌ଙ୍କ ଦକ୍ଷତା ବୃଦ୍ଧି ଉପରେ ସେ କାର୍ଯ୍ୟ କରିବେ । ପ୍ରାୟ ୧୩ ବର୍ଷ ପରେ ସେ ପୁଣି ଥରେ ଦିଲ୍ଲୀ ଫ୍ରାଞ୍ଚାଇଜ୍‌କୁ ଫେରିଛନ୍ତି । ଏହା ପୂର୍ବରୁ ସେ ଦିଲ୍ଲୀ ଡେୟାରଡେଭିଲ୍ସ ସହ ଜଡ଼ିତ ଥିଲେ ।

ମୁମ୍ବାଇ ଇଣ୍ଡିଆନ୍ସ ସହ ଦୀର୍ଘ ବର୍ଷର ସମ୍ପର୍କ ଛିନ୍ନ କରିବା ପରେ ମହେଲାଙ୍କ ପରବର୍ତ୍ତୀ ଭୂମିକାକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଚାଲିଥିଲା । ଏବେ ସେ ମହିଳା ଫ୍ରାଞ୍ଚାଇଜ୍ କ୍ରିକେଟ୍‌ରେ ନୂଆ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କର ବିପୁଳ ଅଭିଜ୍ଞତା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।

ଦାୟିତ୍ୱ ଗ୍ରହଣ କରିବା ପରେ ମହେଲା କହିଛନ୍ତି ଯେ, ମହିଳା କ୍ରିକେଟ୍‌ର ଭବିଷ୍ୟତକୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସର ଦୃଷ୍ଟିକୋଣ ବେଶ୍ ଉତ୍ସାହଜନକ । ଦଳର ଡାଇରେକ୍ଟର ଅଫ୍ କ୍ରିକେଟ୍ ଭାବେ ଦାୟିତ୍ୱ ନେଇ ସେ ଖୁସି ଅନୁଭବ କରୁଛନ୍ତି । ପ୍ରତିଭାବାନ ଖେଳାଳି ଏବଂ ଅଭିଜ୍ଞ ସପୋର୍ଟ ଷ୍ଟାଫ୍‌ଙ୍କ ସହ କାମ କରିବାକୁ ସେ ଉତ୍ସାହିତ ଅଛନ୍ତି । ଦଳର ବର୍ତ୍ତମାନର ଶକ୍ତିକୁ ଆହୁରି ବୃଦ୍ଧି କରିବା ସହ ପ୍ରଦର୍ଶନରେ ସୁଧାର ଆଣିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ । ଏଥର ଦଳକୁ ଟାଇଟଲ୍ ଜିତାଇବା ଉପରେ ଫୋକସ୍ ରହିବ ବୋଲି ସେ କହିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଅନୁସାରେ, ମହେଲା ଜୟବର୍ଦ୍ଧନେଙ୍କ ନେତୃତ୍ୱ ଓ କୋଚିଂରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୭, ୨୦୧୯ ଏବଂ ୨୦୨୦ରେ ଆଇପିଏଲ୍ ଟାଇଟଲ୍ ହାସଲ କରିଥିଲା । ତେବେ ଗତ କିଛି ବର୍ଷ ଧରି ଦଳର ପ୍ରଦର୍ଶନରେ ଅବନତି ଦେଖାଦେବା ପରେ ଫ୍ରାଞ୍ଚାଇଜ୍ ପରିଚାଳନା ପକ୍ଷରୁ ପରିବର୍ତ୍ତନ କରାଯାଇଥିଲା ।

ସେପଟେ WPLରେ ଦିଲ୍ଲୀ କ୍ୟାପିଟାଲ୍ସର ଭାଗ୍ୟ ଏଯାଏଁ ବଦଳିନାହିଁ । ଦଳ ଚାରି ଥର ଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଥରେ ହେଲେ ଟ୍ରଫି ଜିତିବାରେ ସଫଳ ହୋଇନାହିଁ। ଏବେ ୨୦୨୭ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା WPL ସିଜିନ୍‌ରେ ମହେଲାଙ୍କ ଅଭିଜ୍ଞତା ଦିଲ୍ଲୀ କ୍ୟାପିଟାଲ୍ସର ଭାଗ୍ୟ ବଦଳାଇ ପାରିବ କି ନାହିଁ, ତାହା ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିବ ।