Videos
|
Sports

Hayden on Vaibhav Sooryavanshi / ବୈଭବଙ୍କୁ ନେଇ ହେଡେନଙ୍କ ବଡ଼ ଭବିଷ୍ୟବାଣୀ, କହିଲେ- ଟେଷ୍ଟ ଓ ଦିନିକିଆରେ ବି କରିବେ କମାଲ !

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ବୈଭବଙ୍କୁ ନେଇ ହେଡେନଙ୍କ ବଡ଼ ଭବିଷ୍ୟବାଣୀ, କହିଲେ- ଟେଷ୍ଟ ଓ ଦିନିକିଆରେ ବି କରିବେ କମାଲ !
Vaibhav Sooryavanshi

Key Points

୧୫ ବର୍ଷର ବୈଭବଙ୍କୁ ନେଇ ହେଡେନଙ୍କ ବଡ଼ ଦାବି
ଟି-୨୦ ପରେ ଟେଷ୍ଟରେ ବି ଧମାକା ?
‘କେବଳ ଛୋଟ ଫର୍ମାଟର ଖେଳାଳି ନୁହନ୍ତି ବୈଭବ’
୧୫ ବର୍ଷ ବୟସରେ କ୍ରିକେଟ୍ ଦୁନିଆରେ ଧମାକା କରୁଥିବା ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋରଦାର । IPL ୨୦୨୬ରେ ବିସ୍ଫୋରକ ବ୍ୟାଟିଂ ପରେ ଟି-୨୦ ଇଣ୍ଟରନ୍ୟାସନାଲରେ ମଧ୍ୟ ନିଜ ଦମ୍ ଦେଖାଇଥିବା ଏହି ଯୁବ ତାରକାଙ୍କୁ କେବଳ ଛୋଟ ଫର୍ମାଟର ଖେଳାଳି ବୋଲି ମାନିବାକୁ ପ୍ରସ୍ତୁତ ନୁହନ୍ତି ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ହେଡେନ ।

ତେବେ ବୈଭବ କେବଳ ଟି-୨୦ ଫର୍ମାଟର ଖେଳାଳି ଏବଂ ଦୀର୍ଘ ଫର୍ମାଟରେ ସେତେଟା ସଫଳ ହୋଇପାରିବେ ନାହିଁ, ଏଭଳି ମତ ରଖୁଥିବା କ୍ରିକେଟ୍ କିମ୍ବଦନ୍ତୀଙ୍କ ସହ ଏକମତ ନୁହନ୍ତି ଅଷ୍ଟ୍ରେଲିଆର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ହେଡେନ ।

ଇଂଲଣ୍ଡ ଗସ୍ତରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିବା ବୈଭବ ନିକଟରେ ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ର ଟି-୨୦ ସିରିଜରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ । ସେ ସିରିଜରେ ସର୍ବାଧିକ ୧୫୧ ରନ୍ ସ୍କୋର କରି ପ୍ଲେୟର ଅଫ୍ ଦି ସିରିଜ୍ ଜିତିଥିଲେ । ବୈଭବଙ୍କ ଏହି ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି ମାଥ୍ୟୁ ହେଡେନ । ହେଡେନଙ୍କ ମତରେ, ମାତ୍ର ୧୫ ବର୍ଷ ବୟସରେ ବୈଭବଙ୍କ ଭିତରେ ଟେଷ୍ଟ କ୍ରିକେଟରେ ସଫଳ ହେବାର ମଧ୍ୟ ପୂରା କ୍ଷମତା ରହିଛି ।

ନ୍ୟୁଜ୍‌ ଏଜେନ୍ସୀ ANI ସହ ଆଲୋଚନା ବେଳେ ହେଡେନ କହିଛନ୍ତି, କିଛି ଲୋକ ବୈଭବଙ୍କୁ କେବଳ ଛୋଟ ଫର୍ମାଟର ଖେଳାଳି ବୋଲି ଭାବୁଛନ୍ତି । କିନ୍ତୁ ସେ ଏହି ମତ ସହ ଏକମତ ନୁହନ୍ତି । ତାଙ୍କ ମତରେ ବୈଭବଙ୍କ ପାଖରେ ଦୀର୍ଘ ଫର୍ମାଟରେ ମଧ୍ୟ ସଫଳ ହେବାର ସାମର୍ଥ୍ୟ ରହିଛି । ଏଥିପାଇଁ ଫିଟନେସ୍ ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ସବୁଠାରୁ ଅଧିକ ଆବଶ୍ୟକ ହେଉଛି ମାନସିକ ଦୃଢ଼ତା ।

ହେଡେନ ଆହୁରି କହିଛନ୍ତି ଯେ, ବୈଭବଙ୍କର ଯେଉଁ ଗୁଣ ତାଙ୍କୁ ସବୁଠାରୁ ଅଧିକ ପସନ୍ଦ, ତାହା ହେଉଛି ମାତ୍ର ୧୫ ବର୍ଷ ବୟସରେ IPL ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳିବା ଏବଂ ସେଠାରେ ଭଲ ପ୍ରଦର୍ଶନ କରିବାର ସାହସ ଓ ଉତ୍ସାହ । ଏହି ଗୁଣଗୁଡ଼ିକ ତାଙ୍କୁ ଭବିଷ୍ୟତରେ ଜଣେ ୱାର୍ଲ୍ଡ-କ୍ଲାସ୍ ଖେଳାଳି କରିବାର କ୍ଷମତା ରଖେ ବୋଲି ହେଡେନ କହିଛନ୍ତି ।

ଦିଲୀପ ଟ୍ରଫିରେ ନଜର ଆସିବେ ବୈଭବ

ଏବେ ବୈଭବ ସୂର୍ଯ୍ୟବଂଶୀଙ୍କ ନଜର ରହିଛି ରେଡ୍-ବଲ୍ କ୍ରିକେଟ୍ ଉପରେ। ଅଗଷ୍ଟ ୨୩ରୁ ଆରମ୍ଭ ହେବାକୁ ଥିବା ଦିଲୀପ ଟ୍ରଫି ୨୦୨୬ରେ ସେ ଇଷ୍ଟ ଜୋନ୍ ପକ୍ଷରୁ ଖେଳିବେ । ତାଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଇଶାନ କିଶନ ଇଷ୍ଟ ଜୋନ୍‌ର ନେତୃତ୍ୱ ନେବେ । ଘରୋଇ କ୍ରିକେଟରେ ବୈଭବ ବିହାର ପକ୍ଷରୁ ପ୍ରତିନିଧିତ୍ୱ କରନ୍ତି । ତାଙ୍କ ଫର୍ଷ୍ଟ କ୍ଲାସ୍ କ୍ୟାରିୟରରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ର ୧୨ଟି ଇନିଂସରେ ୧୭.୨୫ ହାରରେ ୨୦୭ ରନ୍ କରିଛନ୍ତି । ଏଥିରେ ତାଙ୍କ ନାମରେ ଗୋଟିଏ ଅର୍ଦ୍ଧଶତକ ରହିଛି ।

ସେହିପରି ୧୩ଟି ଲିଷ୍ଟ-ଏ ମ୍ୟାଚ୍‌ରେ ବୈଭବଙ୍କ ନାମରେ ୫୬୪ ରନ୍ ରହିଛି। କିନ୍ତୁ ଟି-୨୦ କ୍ରିକେଟରେ ତାଙ୍କ ବ୍ୟାଟ୍ ଅଧିକ ଗର୍ଜିଛି। ଏପର୍ଯ୍ୟନ୍ତ ଖେଳିଥିବା ୪୦ଟି ଟି-୨୦ ମ୍ୟାଚ୍‌ରେ ସେ ୨୧୬.୩୨ ଷ୍ଟ୍ରାଇକ୍ ରେଟ୍‌ରେ ମୋଟ ୧୬୭୦ ରନ୍ ସଂଗ୍ରହ କରିଛନ୍ତି ।  ଏବେ ପ୍ରଶ୍ନ ହେଉଛି—ଟି-୨୦ରେ ନିଜ ବିସ୍ଫୋରକ ବ୍ୟାଟିଂରେ ଝଡ଼ ସୃଷ୍ଟି କରୁଥିବା ବୈଭବ କ’ଣ ରେଡ୍-ବଲ୍ କ୍ରିକେଟ୍‌ରେ ମଧ୍ୟ ସେହି ଚମକ ଦେଖାଇପାରିବେ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: