Videos
|
Sports

Shami Test Retirement / ୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ...ଯେଉଁ ଦିନ ଟେଷ୍ଟ ଡେବ୍ୟୁ, ସେହି ଦିନ ଅବସର ଘୋଷଣା କଲେ ଶାମି

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ...ଯେଉଁ ଦିନ ଟେଷ୍ଟ ଡେବ୍ୟୁ, ସେହି ଦିନ ଅବସର ଘୋଷଣା କଲେ ଶାମି
Mohammed Shami

Key Points

ଟେଷ୍ଟ କ୍ରିକେଟ୍‌ରୁ ଶାମିଙ୍କ ସନ୍ନ୍ୟାସ
ଭାବପ୍ରବଣ ପୋଷ୍ଟ କରି କହିଲେ ବିଦାୟ
ଦିନିକିଆ ଓ ଟି-୨୦ ଖେଳିବେ ମହମ୍ମଦ ଶାମି
ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ୍‌ର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି । ନଭେମ୍ବର ୬ ତାରିଖ ଶନିବାର ଦିନ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସହ ଭାବପ୍ରବଣ ବାର୍ତ୍ତା ସେୟାର କରି ସେ ଏହି ଘୋଷଣା କରିଛନ୍ତି । ତେବେ ଶାମି କେବଳ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି । ସେ ଦିନିକିଆ ଏବଂ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ ।

ଶାମି ନିଜ ବାର୍ତ୍ତାରେ କହିଛନ୍ତି, ସେ ଲାଲ୍ ବଲ୍ କ୍ରିକେଟ୍‌କୁ ବିଦାୟ ଜଣାଉଛନ୍ତି । ଏହି ଯାତ୍ରାରେ ସାଥ୍ ଦେଇଥିବା ସମସ୍ତ ସାଥୀ ଖେଳାଳି, କୋଚ୍, ପରିବାରବର୍ଗ ଏବଂ କୋଟି କୋଟି ଭାରତୀୟ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି, ଟେଷ୍ଟ କ୍ୟାପ୍ ନମ୍ବର ୨୭୯ ଏବଂ ଲାଲ୍ ବଲ୍ ହିଁ ତାଙ୍କୁ ମହମ୍ମଦ ଶାମି ଭାବେ ପରିଚୟ ଦେଇଛି । କ୍ୟାରିୟରରେ ଅନେକ ଉତ୍ଥାନ-ପତନ, ଆଘାତ ଏବଂ ଇଞ୍ଜୁରୀର ସାମ୍ନା କରିଥିଲେ ମଧ୍ୟ ଦେଶ ପାଇଁ ଖେଳିବାର ଲକ୍ଷ୍ୟ ତାଙ୍କୁ ପୁଣି ଥରେ ପଡ଼ିଆକୁ ଫେରାଇ ଆଣିଥିଲା ।



୨୦୧୩ ନଭେମ୍ବର ୬ ତାରିଖରେ କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ଶାମି। ଆଉ ଠିକ୍ ୧୩ ବର୍ଷ ପରେ ସେହି ନଭେମ୍ବର ୬ ତାରିଖରେ ଟେଷ୍ଟ କ୍ରିକେଟ୍‌କୁ ଅଲବିଦା କହିଛନ୍ତି ।

ଶାମି ଶେଷ ଥର ପାଇଁ ୨୦୨୩ ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ନିଜର ୬୪ଟି ଟେଷ୍ଟ ମ୍ୟାଚ୍‌ରେ ସେ ମୋଟ ୨୨୯ଟି ୱିକେଟ୍ ହାସଲ କରିଛନ୍ତି। ଭାରତ ପକ୍ଷରୁ ଟେଷ୍ଟ କ୍ରିକେଟ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ଦ୍ରୁତ ବୋଲରଙ୍କ ତାଲିକାରେ ସେ ଷଷ୍ଠ ସ୍ଥାନରେ ରହିଛନ୍ତି ।

ଫିଟନେସ୍‌କୁ ନେଇ ଶାମିଙ୍କ ଉପରେ ଚୟନକର୍ତ୍ତାଙ୍କ ଚାପ ରହିଥିବା ଚର୍ଚ୍ଚା ହେଉଥିଲା। ତେବେ ରଣଜୀ ଟ୍ରଫିରେ ସେ ନିଜର ଫିଟନେସ୍ ଓ ପ୍ରଦର୍ଶନର ପ୍ରମାଣ ଦେଇଥିଲେ। ତଥାପି ଟେଷ୍ଟ କ୍ରିକେଟ୍‌ରୁ ତାଙ୍କର ଏହି ଅବସର ଘୋଷଣା ଭାରତୀୟ କ୍ରିକେଟ୍‌ର ଏକ ଅଧ୍ୟାୟର ଅନ୍ତ ଘଟାଇଛି ।

ଶେଷରେ ଶାମି କହିଛନ୍ତି, ଟେଷ୍ଟ କ୍ରିକେଟ୍‌ରେ ତାଙ୍କର ଶେଷ ବଲ୍ ହୁଏତ ବୋଲିଂ ହୋଇସାରିଛି, କିନ୍ତୁ ଭାରତ ପାଇଁ ଖେଳିବାର ଗର୍ବ ସବୁବେଳେ ତାଙ୍କ ହୃଦୟରେ ଜୀବିତ ରହିବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: