Videos
|
Sports

Shami Joins RR / IPL 2027: ଲକ୍ଷ୍ନୌ-ରାଜସ୍ଥାନ ମଧ୍ୟରେ ବଡ଼ ଟ୍ରେଡ୍ ଡିଲ୍, ବଦଳିଲା ଶାମି ଓ ସାମ୍ କରନ୍‌ଙ୍କ ଦଳ

Santosh Kumar Sahoo
Browse all articles by Santosh Kumar Sahoo
·21 mins ago·2 min read
IPL 2027: ଲକ୍ଷ୍ନୌ-ରାଜସ୍ଥାନ ମଧ୍ୟରେ ବଡ଼ ଟ୍ରେଡ୍ ଡିଲ୍, ବଦଳିଲା ଶାମି ଓ ସାମ୍ କରନ୍‌ଙ୍କ ଦଳ
Mohammed Shami

Key Points

ଆଇପିଏଲ୍ ୨୦୨୭ ପୂର୍ବରୁ ବଡ଼ ହଲଚଲ୍
ରାଜସ୍ଥାନକୁ ଗଲେ ମହମ୍ମଦ ଶାମି
ସାମ୍ କରନ୍‌ଙ୍କ ନୂଆ ଠିକଣା ଲକ୍ଷ୍ନୌ
ଆଇପିଏଲ୍ ୨୦୨୭ ପୂର୍ବରୁ ଆଉ ଏକ ବଡ଼ ଟ୍ରେଡ୍ ଡିଲ୍ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଓ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ଖେଳାଳି ଅଦଳବଦଳ ହୋଇଛି । ଏହି ଡିଲ୍ ଅନୁସାରେ ଦ୍ରୁତ ବୋଲର ମହମ୍ମଦ ଶାମି ଓ ସ୍ପିନର ଏମ୍. ସିଦ୍ଧାର୍ଥ ଲକ୍ଷ୍ନୌ ଛାଡ଼ି ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଛନ୍ତି । ସେହିପରି ଇଂଲଣ୍ଡର ଅଲରାଉଣ୍ଡର ସାମ୍ କରନ୍ ରାଜସ୍ଥାନରୁ ଲକ୍ଷ୍ନୌ ଦଳକୁ ଆସିଛନ୍ତି । ଆଇପିଏଲ୍ ପକ୍ଷରୁ ଏହି ଟ୍ରେଡ୍ ଡିଲ୍ ସମ୍ପର୍କରେ ସୂଚନା ଦିଆଯାଇଛି ।

ଶାମିଙ୍କ ଦରମାରେ ୨ କୋଟି ଟଙ୍କା ହ୍ରାସ

ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଇପିଏଲ୍ ୨୦୨୭ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳିବେ । ତାଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରୁ ଟ୍ରେଡ୍ କରାଯାଇଛି । ଏହି ଟ୍ରେଡ୍ ପରେ ତାଙ୍କ ଦରମା ମଧ୍ୟ ହ୍ରାସ ପାଇଛି । ଲକ୍ଷ୍ନୌ ପକ୍ଷରୁ ସେ ୧୦ କୋଟି ଟଙ୍କା ପାଉଥିବା ବେଳେ ରାଜସ୍ଥାନରେ ତାଙ୍କୁ ୮ କୋଟି ଟଙ୍କା ମିଳିବ । ଶାମି ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ୧୩୨ଟି ମ୍ୟାଚ୍ ଖେଳି ୧୪୫ଟି ୱିକେଟ୍ ହାସଲ କରିଛନ୍ତି । ତାଙ୍କର ଅଭିଜ୍ଞତା ଓ ଉତ୍କୃଷ୍ଟ ବୋଲିଂ ଦକ୍ଷତା ରାଜସ୍ଥାନର ବୋଲିଂ ବିଭାଗକୁ ଆହୁରି ମଜବୁତ କରିବ ।



ରାଜସ୍ଥାନକୁ ଗଲେ ଏମ୍. ସିଦ୍ଧାର୍ଥ

ଅନ୍ୟପଟେ ବାମହାତୀ ସ୍ପିନର ଏମ୍. ସିଦ୍ଧାର୍ଥ ମଧ୍ୟ ଲକ୍ଷ୍ନୌରୁ ରାଜସ୍ଥାନ ରୟାଲ୍ସକୁ ଯାଇଛନ୍ତି । ତାଙ୍କର ବର୍ତ୍ତମାନର ଦରମା ୭୫ ଲକ୍ଷ ଟଙ୍କା ରହିଛି । ସଠିକ୍ ଲାଇନ୍ ଓ ଲେନ୍ଥ ସହ ବୋଲିଂ କରିବାର ଦକ୍ଷତା ପାଇଁ ସେ ପରିଚିତ ।

ଲକ୍ଷ୍ନୌକୁ ଫେରିଲେ ସାମ୍ କରନ୍

ଏହି ଟ୍ରେଡ୍ ଡିଲ୍‌ରେ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ୍ କରନ୍ ରାଜସ୍ଥାନ ରୟାଲ୍ସ ଛାଡ଼ି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ରେ ସାମିଲ ହୋଇଛନ୍ତି । ତାଙ୍କର ବର୍ତ୍ତମାନର ଦରମା ୨.୪ କୋଟି ଟଙ୍କା ରହିଛି । ସାମ୍ କରନ୍ ଏପର୍ଯ୍ୟନ୍ତ ଆଇପିଏଲ୍‌ରେ ୫୯ଟି ୱିକେଟ୍ ନେବା ସହ ୯୯୭ ରନ୍ ସଂଗ୍ରହ କରିଛନ୍ତି । ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ତାଙ୍କର ଦକ୍ଷତା ଲକ୍ଷ୍ନୌ ଦଳକୁ ଅଧିକ ଶକ୍ତିଶାଳୀ କରିବ ।

ଏହି ଟ୍ରେଡ୍ ଡିଲ୍ ପରେ ଆଇପିଏଲ୍ ୨୦୨୭ ପାଇଁ ଉଭୟ ଦଳର ରଣନୀତିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ଏବେ ନୂଆ ଦଳ ପକ୍ଷରୁ ଏହି ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: