Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Pakistan / ବୟକଟ୍ ନିଷ୍ପତ୍ତିରୁ ଓହରିବ କି ପାକିସ୍ତାନ ? PCB ଓ ICC ମଧ୍ୟରେ ଚାଲିଛି ଆଲୋଚନା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·3 min read
ବୟକଟ୍ ନିଷ୍ପତ୍ତିରୁ ଓହରିବ କି ପାକିସ୍ତାନ ? PCB ଓ ICC ମଧ୍ୟରେ ଚାଲିଛି ଆଲୋଚନା
India vs Pakistan

Key Points

ଭାରତ-ପାକିସ୍ତାନ ମ୍ୟାଚ୍ ହେବ କି ?
ICC ଚାପରେ PCB
ମ୍ୟାଚ୍ ନ ଖେଳିଲେ ଭୟଙ୍କର କ୍ଷତି
ଆଗାମୀ ୧୫ ତାରିଖରେ ଦର୍ଶକ ଦେଖିବେ କି ଭାରତ-ପାକିସ୍ତାନ ମ୍ୟାଚ୍ ? ବୟକଟ୍ ନିଷ୍ପତ୍ତିରୁ ଓହରିପାରେ ପାକିସ୍ତାନ୍ । ICC ସହ ଆଲୋଚନା ଚଳାଇଛି PCB । ଚର୍ଚ୍ଚା ହେଉଛି ଭୟଙ୍କର ପରିଣାମ ଭୟରେ ଦ୍ବନ୍ଦ୍ବରେ ପଡ଼ିଯାଇଛି ପାକିସ୍ତାନ କ୍ରିକେଟ୍ ଟିମ୍ । ଇ-ମେଲ ଜରିଆରେ ଭାରତ ବିରୋଧୀ ମ୍ୟାଚ୍ ନ ଖେଳିବାର କାରଣ ଜଣାଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ । ହେଲେ ଅଧିକ ସ୍ପଷ୍ଟୀକରଣ ମାଗିଛି ICC । ମ୍ୟାଚ୍ ନ ଖେଳିଲେ ପଏଣ୍ଟ ହରାଇବା ସହ ପ୍ରସାରଣ ଓ ବିଜ୍ଞାପନ ବାବଦ କ୍ଷତି ଭରଣା ପାଇଁ ଚେତାଇ ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ ।

ପାକିସ୍ତାନ କ୍ରିକେଟ୍ ବୋର୍ଡ- PCB ଏବଂ ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ- ICC ମଧ୍ୟରେ ଏବେ ବି ଆଲୋଚନା ଚାଲିଛି । ତେଣୁ ଚର୍ଚ୍ଚା ବଢ଼ିଛି ଯେ, ଭାରତ ବିରୋଧୀ ମ୍ୟାଚ୍ ବୟକଟ୍ ନିଷ୍ପତ୍ତିରୁ ଓହରିପାରେ ପାକିସ୍ତାନ । ଏପରିକି ଆଗାମୀ ୧୫ ତାରିଖରେ ଶ୍ରୀଲଙ୍କାର କଲମ୍ବୋରେ ଭାରତ ବିପକ୍ଷରେ ପଡ଼ିଆକୁ ଓହ୍ଲାଇପାରେ ପାକିସ୍ତାନ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ମଧ୍ୟ ପାକିସ୍ତାନକୁ ଅନୁରୋଧ କରିଛି ଯେ, ଆୟୋଜକ ଦେଶର କ୍ଷତିକୁ ଦୃଷ୍ଟିରେ ରଖି ସେମାନେ ମ୍ୟାଚ୍ ଖେଳନ୍ତୁ । PCB ଓ ICC ମଧ୍ୟରେ ଇ-ମେଲ ଦ୍ବାରା ଯୋଗାଗୋଗ କରାଯାଇଥିବା ଜଣାପଡ଼ିଛି । ଯେଉଁଥିରେ ପାକିସ୍ତାନ୍ ଜଣାଇଛି ଯେ- ପାକିସ୍ତାନ ସରକାର ଭାରତ ବିପକ୍ଷରେ ଖେଳିବାକୁ PCBକୁ ଅନୁମତି ଦେଉନାହାଁନ୍ତି । ଏଥିପାଇଁ ସେମାନେ 'ଫୋର୍ସ ମେଜର'ବ୍ୟବହାର କରି ମ୍ୟାଚ୍‌ରୁ ଓହରିବାକୁ ଚାହୁଁଛନ୍ତି ।

PCBର ଏଭଳି ଦାବିକୁ ICC ସହଜରେ ଗ୍ରହଣ କରିନାହିଁ । ICC ପାକିସ୍ତାନକୁ ପ୍ରଶ୍ନ କରିଛି ଯେ, ଯଦି ପାକିସ୍ତାନ ଅନ୍ୟ ସମସ୍ତ ମ୍ୟାଚ୍ ଖେଳୁଛି, ତେବେ କେବଳ ଭାରତ ବିପକ୍ଷ ଗୋଟିଏ ମ୍ୟାଚ୍ ପାଇଁ 'ଫୋର୍ସ ମେଜର' କିପରି ଲାଗୁ ହେବ? ICC ପାକିସ୍ତାନକୁ ଏହାର ଠୋସ୍ ପ୍ରମାଣ ମାଗିଛି । ଯଦି ପାକିସ୍ତାନ ମ୍ୟାଚ୍ ଖେଳିବାକୁ ନଆସେ, ତେବେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିପାରେ-ICC ପାକିସ୍ତାନର ବାର୍ଷିକ ରାଜସ୍ୱ ୩.୫ କୋଟି ଡଲାର ବନ୍ଦ କରିପାରେ । ପାକିସ୍ତାନକୁ ଏହି ମ୍ୟାଚ୍‌ରେ ଶୂନ୍ୟ ପଏଣ୍ଟ ମିଳିବ । ଏଥିସହ ଅନ୍ୟ ମ୍ୟାଚ୍‌ରୁ ମଧ୍ୟ ପଏଣ୍ଟ କଟାଯାଇପାରେ । ବ୍ରଡକାଷ୍ଟର ଜିଓ ଷ୍ଟାର୍ ଓ ସ୍ପନ୍ସରମାନେ ବ୍ୟବସାୟିକ କ୍ଷତି ପାଇଁ ମାମଲା କରିପାରନ୍ତି ।

ଯଦି ପାକିସ୍ତାନ ନିଜ ଜିଦ୍‌ରେ ଅଟଳ ରହେ, ତେବେ ଭାରତକୁ ୧୫ ତାରିଖ ମ୍ୟାଚରେ 'ୱାକ୍-ଓଭର'ମିଳିବ ଏବଂ ଭାରତ ବିନା ଖେଳରେ ୨ ପଏଣ୍ଟ ପାଇବ । କିନ୍ତୁ କ୍ରିକେଟ୍ ପ୍ରେମୀମାନେ ଏକ ରୋମାଞ୍ଚକର ଲଢ଼େଇ ଦେଖିବାରୁ ବଞ୍ଚିତ ହେବେ ।

ଦେଖନ୍ତୁ ଏହି ଖବର: ଟସ୍ ପୂର୍ବରୁ ପଡ଼ିଆରେ ଡ୍ରାମା, ସୂର୍ଯ୍ୟଙ୍କୁ ରୋହିତ କହିଲେ - “ତୁମେ ପାଗଳ କି?”

ଭାରତ-ପାକିସ୍ତାନ ମ୍ୟାଚ୍‌ରୁ ପ୍ରାୟ ୨୨୦୦ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଏହି ମ୍ୟାଚ୍ ବାତିଲ ହେଲେ ICC ଏବଂ ବ୍ରଡକାଷ୍ଟରଙ୍କୁ ଭୟଙ୍କର କ୍ଷତି ସହିବାକୁ ପଡ଼ିବ । ଭାରତ ଓ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଥିବା ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି । ସିଂହଳୀ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପାକିସ୍ତାନର ଅଲରାଉଣ୍ଡର ଫହିମ୍ ଆଶ୍ରଫ୍ ଜବରଦସ୍ତ ବ୍ୟାଟିଂ କରି ଦଳକୁ ପରାଜୟ ମୁହଁରୁ ବଞ୍ଚାଇ ଦେଇଛନ୍ତି ।

ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନେଦରଲ୍ୟାଣ୍ଡ ନିର୍ଦ୍ଧାରିତ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା । ୧୪୮ ରନ୍‌ର ପିଛା କରୁଥିବା ପାକିସ୍ତାନ ଏକ ସମୟରେ ୧୧୪ ରନ୍‌ରେ ୭ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ମଧ୍ୟକ୍ରମରେ ବାବର ଆଜମ ଏବଂ ଅଧିନାୟକ ସଲମାନ ଆଘା ବିଶେଷ କିଛି କରିପାରିନଥିଲେ । ଶେଷ ମୁହୂର୍ତ୍ତରେ ଫହିମ୍ ଆଶ୍ରଫ୍ ମାତ୍ର ୧୧ଟି ବଲ୍‌ରେ ଅପରାଜିତ ୨୯ ରନ୍ କରି ପାକିସ୍ତାନକୁ ୩ଟି ବଲ୍ ବାକି ଥାଇ ବିଜୟୀ କରାଇଥିଲେ । ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ, ଏହି ବିଜୟ ପାକିସ୍ତାନ ଦଳର ମନୋବଳ ବଢ଼ାଇ ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Will Pakistan Withdraw Boycott? PCB in Talks With ICC Over India Match | Argus News