Videos
|
Sports

Pragyan Ojha Chief Selector / ଚିଫ୍ ସିଲେକ୍ଟର ରେସ୍‌ରେ ପ୍ରଜ୍ଞାନ ଓଝା ଆଗରେ ! ଅଗରକରଙ୍କ ସ୍ଥାନ ନେବେ ଏହି ଷ୍ଟାର୍...

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଚିଫ୍ ସିଲେକ୍ଟର ରେସ୍‌ରେ ପ୍ରଜ୍ଞାନ ଓଝା ଆଗରେ ! ଅଗରକରଙ୍କ ସ୍ଥାନ ନେବେ ଏହି ଷ୍ଟାର୍...
Pragyan Ojha

Key Points


ଅଜିତ ଅଗରକରଙ୍କ ପରେ କିଏ ?
ଟିମ୍ ଇଣ୍ଡିଆର ଚିଫ୍ ସିଲେକ୍ଟର ହୋଇପାରନ୍ତି ପ୍ରଜ୍ଞାନ ଓଝା
ଚୟନ ସମିତିକୁ ନେଇ ବଡ଼ ଖବର

ଭାରତୀୟ କ୍ରିକେଟ୍‌ରେ ଚୟନ ସମିତିକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବତନ ଭାରତୀୟ ସ୍ପିନର ତଥା ବର୍ତ୍ତମାନର ଚୟନ କମିଟି ସଦସ୍ୟ ପ୍ରଜ୍ଞାନ ଓଝା ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ଚୟନକର୍ତ୍ତା ହେବା ଦୌଡ଼ରେ ଆଗରେ ଅଛନ୍ତି । ଅଜିତ ଅଗରକର ଏହି ପଦରୁ ହଟିବା ପରେ ଅନ୍ତରୀଣ ଭାବେ ଚୟନ ସମିତିର ଦାୟିତ୍ୱ ସମ୍ଭାଳୁଥିବା ଓଝାଙ୍କୁ ଏବେ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ପ୍ରାୟ ନିଶ୍ଚିତ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି ।

ଚୟନ ସମିତିରେ ସାମିଲ ହେବେ ରମେଶ ପୱାର

ପ୍ରଜ୍ଞାନ ଓଝାଙ୍କ ସହ ପୂର୍ବତନ ଭାରତୀୟ ସ୍ପିନର ରମେଶ ପୱାର ମଧ୍ୟ ପୁରୁଷ ଚୟନ ସମିତିରେ ସାମିଲ ହୋଇପାରନ୍ତି । ସେ ପଶ୍ଚିମାଞ୍ଚଳର ପ୍ରତିନିଧି ଭାବେ ଅଜିତ ଅଗରକରଙ୍କ ସ୍ଥାନ ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଶିବସୁନ୍ଦର ଦାସ, ଅଜୟ ରାତ୍ରା ଓ ଆର୍‌ପି ସିଂହ ରହିବେ ବୋଲି ରିପୋର୍ଟରେ କୁହାଯାଇଛି ।

ପ୍ରଜ୍ଞାନ ଓଝା ଓ ପୂର୍ବତନ ଭାରତୀୟ ୱିକେଟ୍‌କିପର ପାର୍ଥିବ ପଟେଲ ଅଗରକରଙ୍କ ସ୍ଥାନ ନେବା ପାଇଁ ପ୍ରମୁଖ ଦାବିଦାର ଥିଲେ । ହେଲେ ପାର୍ଥିବ ପଟେଲ ଏହି ପଦ ପାଇଁ ଆବେଦନ କରିନଥିବାରୁ ଓଝାଙ୍କ ପାଇଁ ରାସ୍ତା ସହଜ ହୋଇଥିବା କୁହାଯାଉଛି ।

ଭାରତ ପାଇଁ ୨୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ପ୍ରଜ୍ଞାନ ଓଝା ଦକ୍ଷିଣାଞ୍ଚଳର ପ୍ରତିନିଧି ଭାବେ ଚୟନ ସମିତିରେ ରହିଛନ୍ତି । ବର୍ତ୍ତମାନର ଅନ୍ୟ ଚୟନକର୍ତ୍ତାଙ୍କ ତୁଳନାରେ ତାଙ୍କର ଅଧିକ ଟେଷ୍ଟ ଅଭିଜ୍ଞତା ମଧ୍ୟ ତାଙ୍କ ଦାବିଦାରୀକୁ ମଜବୁତ କରୁଥିବା କୁହାଯାଉଛି। ଅନ୍ୟ ଦାବିଦାରଙ୍କ ମଧ୍ୟରେ କେବଳ ୱାସିମ ଜାଫର ୩୧ଟି ଟେଷ୍ଟ ମ୍ୟାଚ୍ ଖେଳି ଓଝାଙ୍କଠାରୁ ଆଗରେ ଅଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜୁନିୟର ଚୟନ ସମିତିର ମୁଖ୍ୟ ହୋଇପାରନ୍ତି ଡୋଡା ଗଣେଶ

ଅନ୍ୟପକ୍ଷରେ ପୂର୍ବତନ ଭାରତୀୟ କ୍ରିକେଟର ଡୋଡା ଗଣେଶ ଜୁନିୟର ପୁରୁଷ ଚୟନ ସମିତିର ଅଧ୍ୟକ୍ଷ ହୋଇପାରନ୍ତି । ସେ ଭାରତ ପାଇଁ ଗୋଟିଏ ଟେଷ୍ଟ ଓ ଚାରିଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଏହି ପଦ ପାଇଁ ପୂର୍ବତନ ଘରୋଇ କ୍ରିକେଟର ଅର୍ଜୁନ ଯାଦବ ମଧ୍ୟ ଦାବିଦାର ଥିବା ଜଣାପଡ଼ିଛି ।
ଜୁନିୟର ଚୟନ ସମିତିର ଅନ୍ୟ ସମ୍ଭାବ୍ୟ ସଦସ୍ୟଙ୍କ ମଧ୍ୟରେ ଜମ୍ମୁ-କାଶ୍ମୀରର ଅରୁଣ ଶର୍ମା, ଗୁଜରାଟର ଏଲ୍‌. ପୱାର, ଆସାମର ଦୀପ ବୋରା ଓ ରାଜସ୍ଥାନର ପଙ୍କଜ ସିଂହଙ୍କ ନାମ ରହିଛି ।

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା

ଏସବୁ ମଧ୍ୟରେ ବିସିସିଆଇ ଶୁକ୍ରବାର ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ପାଞ୍ଚଟି ଟି-୨୦, ପାଞ୍ଚଟି ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ । ତେବେ ଟି-୨୦ ସିରିଜ୍ ପାଇଁ ଦଳ ପୂର୍ବରୁ ଘୋଷଣା ହୋଇସାରିଛି । ଦିନିକିଆ ସିରିଜ୍‌ର ପ୍ରଥମ ତିନୋଟି ମ୍ୟାଚ୍‌ରେ ଶୁବମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେବେ । ଶେଷ ଦୁଇଟି ମ୍ୟାଚ୍‌ରେ ଶ୍ରେୟସ ଆୟର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଟେଷ୍ଟ ସିରିଜ୍ ପାଇଁ ପ୍ରସ୍ତୁତି ଓ ବିଶ୍ରାମକୁ ଦୃଷ୍ଟିରେ ରଖି ଗିଲ୍ ଶେଷ ଦୁଇଟି ଦିନିକିଆରୁ ବାଦ୍ ପଡ଼ିବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।