Videos
|
Sports

Rohit Retirement Rumours / ୨୦୨୭ ବିଶ୍ୱକପ୍ ଖେଳିବେ କି ରୋହିତ ଶର୍ମା ? BCCI ରିଭ୍ୟୁ ମିଟିଂ ପରେ ଆସିଲା ବଡ଼ ଅପଡେଟ୍

Santosh Kumar Sahoo
Browse all articles by Santosh Kumar Sahoo
·55 mins ago·2 min read
୨୦୨୭ ବିଶ୍ୱକପ୍ ଖେଳିବେ କି ରୋହିତ ଶର୍ମା ? BCCI ରିଭ୍ୟୁ ମିଟିଂ ପରେ ଆସିଲା ବଡ଼ ଅପଡେଟ୍
Rohit Sharma

Key Points

୨୦୨୭ ବିଶ୍ୱକପ୍‌ରେ ରୋହିତ ?
ରିଭ୍ୟୁ ମିଟିଂ ପରେ BCCI ସଚିବଙ୍କ ବଡ଼ ବୟାନ
‘ରୋହିତ ଭଲ ଖେଳୁଛନ୍ତି…’
ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଆଜି ମୁମ୍ବାଇସ୍ଥିତ BCCI ମୁଖ୍ୟାଳୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଉପରେ ସମସ୍ତଙ୍କ ନଜର ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ କ'ଣ ଆଲୋଚନା ହେବ, ତା'ଉପରେ ରହିଥିଲା ।

ବୈଠକରେ ଭାରତୀୟ ଦଳର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର, ସେଣ୍ଟର ଅଫ୍ ଏକ୍ସିଲେନ୍ସର ମୁଖ୍ୟ VVS ଲକ୍ଷ୍ମଣ, ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଶୁବମନ ଗିଲ୍ ଏବଂ T20 ଅଧିନାୟକ ଶ୍ରେୟସ ଅୟର ଉପସ୍ଥିତ ଥିଲେ । ତେବେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବୈଠକରେ ଯୋଗ ଦେଇନଥିଲେ । ସେ ଭିଡିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ବୈଠକରେ ସାମିଲ ହୋଇନଥିଲେ ।

ବୈଠକ ପରେ BCCI ସଚିବ ଦେବଜିତ ସାଇକିଆ ରୋହିତଙ୍କ ଭବିଷ୍ୟତକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, “ରୋହିତ ଶର୍ମା ଭଲ ଖେଳୁଛନ୍ତି। ଗୁଜବକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ ।”

ରୋହିତଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦଳରେ ସାମିଲ କରାଯିବ ନାହିଁ ବୋଲି ପୂର୍ବରୁ ଖବର ପ୍ରଚାରିତ ହୋଇଥିଲା । ରୋହିତ ଏବେ ଭାରତ ପାଇଁ କେବଳ ଦିନିକିଆ କ୍ରିକେଟ୍ ଖେଳୁଛନ୍ତି । ସେ ଟେଷ୍ଟ ଓ T20 ଫର୍ମାଟରୁ ଅବସର ନେଇସାରିଛନ୍ତି । ଭାରତର ପରବର୍ତ୍ତୀ ଦିନିକିଆ ସିରିଜ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହେବ, ଯାହା ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୈଠକରେ କାହିଁକି ଆସିଲେନି ଅଜିତ ଅଗରକର ?

ଅଜିତ ଅଗରକରଙ୍କ ବୈଠକରେ ଅନୁପସ୍ଥିତିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଥିଲା। ଇଂଲଣ୍ଡ ଗସ୍ତ ସମୟରେ ମଧ୍ୟ ରୋହିତଙ୍କୁ ନେଇ ଖବର ଆସିଥିଲା ଯେ, ଚୟନକର୍ତ୍ତାମାନେ ତାଙ୍କୁ ଆଗାମୀ ବର୍ଷର ଦିନିକିଆ ବିଶ୍ୱକପ୍ ପାଇଁ ଯୋଜନାରେ ରଖୁନାହାନ୍ତି। ତେବେ BCCI ପକ୍ଷରୁ ଏହି ଖବରକୁ ଖଣ୍ଡନ କରାଯାଇଥିଲା ।
ଏହା ପରେ ରୋହିତଙ୍କ ଭବିଷ୍ୟତକୁ ନେଇ BCCI ଏବଂ ଚୟନକର୍ତ୍ତାଙ୍କ ମଧ୍ୟରେ ସବୁକିଛି ସ୍ପଷ୍ଟ ନୁହେଁ ବୋଲି ଚର୍ଚ୍ଚା ହେଉଥିଲା। ଆଜିର ବୈଠକରେ ଏହି ବିଷୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଥିଲା । ତେବେ ବିସିସିଆଇ ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ, ବୈଠକଟି ହଠାତ୍ ନିର୍ଦ୍ଧାରିତ ହୋଇଥିଲା । ଅଜିତ ଅଗରକର ବ୍ୟକ୍ତିଗତ କାରଣରୁ ଏଥିରେ ଯୋଗ ଦେଇପାରିନଥିଲେ ।

ଖେଳାଳିଙ୍କ ବାରମ୍ବାର ଆହତ ହେବା ନେଇ ଚିନ୍ତା

ସମୀକ୍ଷା ବୈଠକରେ କେବଳ ରୋହିତଙ୍କ ଭବିଷ୍ୟତ ନୁହେଁ, ଖେଳାଳିମାନେ ବାରମ୍ବାର ଆହତ ହେବା ଏବଂ ଆହତ ହେବା ପରେ ସେମାନଙ୍କ ରିକଭରିକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ବୈଠକ ପରେ BCCI ସଚିବ କହିଛନ୍ତି, “ଖେଳାଳିମାନଙ୍କ ବାରମ୍ବାର ଆହତ ହେବା ଏକ ବଡ଼ ଚିନ୍ତାର ବିଷୟ । ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପଡ଼ିବ ।”

କିଛି ଦିନ ଧରି BCCI ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ନାମରେ ଏକ ନୂଆ ପଦ ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହି ପଦ ପାଇଁ VVS ଲକ୍ଷ୍ମଣଙ୍କ ନାମ ମଧ୍ୟ ଆଗକୁ ଆସିଥିଲା । କିନ୍ତୁ ସମୀକ୍ଷା ବୈଠକ ପରେ BCCI ସଚିବ ଏଭଳି ନିଯୁକ୍ତିର ସମ୍ଭାବନାକୁ ଖଣ୍ଡନ କରିଛନ୍ତି । ଏହା ସହିତ ‘ଡାଇରେକ୍ଟର ଅଫ୍ କ୍ରିକେଟ୍’ ପଦକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଧ୍ୟ ଏବେ ବ୍ରେକ୍ ଲାଗିଛି ।