Videos
|
Sports

Delhi Capitals Head Coach / ଦିଲ୍ଲୀକୁ ଫେରିଲା ଦାଦାଙ୍କ ଦବଦବା, ହେଡ୍ କୋଚ୍ ହେଲେ ଗାଙ୍ଗୁଲି...ଯୁବରାଜଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

Santosh Kumar Sahoo
Browse all articles by Santosh Kumar Sahoo
·41 mins ago·3 min read
ଦିଲ୍ଲୀକୁ ଫେରିଲା ଦାଦାଙ୍କ ଦବଦବା, ହେଡ୍ କୋଚ୍ ହେଲେ ଗାଙ୍ଗୁଲି...ଯୁବରାଜଙ୍କୁ ନେଇ ବଢ଼ିଲା ଚର୍ଚ୍ଚା
Sourav Ganguly

Key Points

IPL ୨୦୨୭ ପୂର୍ବରୁ ବଡ଼ ହଲଚଲ
DCର ନୂଆ ହେଡ୍ କୋଚ୍ ହେଲେ ଗାଙ୍ଗୁଲି
ଯୁବରାଜ ସିଂହଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଦିଲ୍ଲୀକୁ ଫେରିଲା ଦାଦାଙ୍କ ଦବଦବା । IPL ୨୦୨୭ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇ ସୌରଭ ଗାଙ୍ଗୁଲିଙ୍କୁ ହେଡ୍ କୋଚ୍ ଦାୟିତ୍ୱ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଦୁଇ ସିଜିନ୍‌ର ବିଫଳତା ପରେ ଦଳ ଏବେ ଚାହୁଁଛି ଏକ ନୂଆ ଆକ୍ରମଣାତ୍ମକ ରଣନୀତି । ଆଉ ଗାଙ୍ଗୁଲିଙ୍କ ସହ ଯୁବରାଜ ସିଂହଙ୍କ ନାଁକୁ ନେଇ ଚର୍ଚ୍ଚା ଏହି ନୂଆ ଟିମ୍ କମ୍ବିନେସନ୍‌କୁ ଆହୁରି ରୋଚକ କରିଦେଇଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ ୨୦୨୭ ପୂର୍ବରୁ ନିଜ ହେଡ୍ କୋଚ୍ ପଦରେ ବଡ଼ ପରିବର୍ତ୍ତନ କରିଛି । ପୂର୍ବତନ ଭାରତୀୟ କ୍ୟାପଟେନ୍‌ ତଥା ଦିଲ୍ଲୀ କ୍ୟାପିଟାଲ୍ସ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିବା ସୌରଭ ଗାଙ୍ଗୁଲିଙ୍କୁ ଦଳର ନୂଆ ହେଡ୍ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ଏହା ଆଇପିଏଲ୍‌ରେ ଗାଙ୍ଗୁଲିଙ୍କ ପାଇଁ ଏକ ନୂଆ ଦାୟିତ୍ୱ ହେବ ।
ଗାଙ୍ଗୁଲି ଏହା ପୂର୍ବରୁ ଦିଲ୍ଲୀ ଫ୍ରାଞ୍ଚାଇଜି ସହ ଡାଇରେକ୍ଟର୍ ଭାବେ କାମ କରିଛନ୍ତି । ୨୦୧୯ରୁ ସେ ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜି ସହ ଜଡ଼ିତ ରହିଛନ୍ତି । ଏବେ ପ୍ରଥମଥର ପାଇଁ ସେ ଆଇପିଏଲ୍‌ରେ ଦିଲ୍ଲୀ ଦଳର ହେଡ୍ କୋଚ୍ ଦାୟିତ୍ୱ ନେବେ ।

ହେମଙ୍ଗ ବଦାନୀଙ୍କ ସ୍ଥାନ ନେବେ ଗାଙ୍ଗୁଲି

ସୌରଭ ଗାଙ୍ଗୁଲି ହେମଙ୍ଗ ବଦାନୀଙ୍କ ସ୍ଥାନ ନେବେ । ବଦାନୀ ଗତ ଦୁଇଟି ସିଜିନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ଥିଲେ । ତେବେ ତାଙ୍କ ନେତୃତ୍ୱରେ ଦଳ ଗତ ଦୁଇ ସିଜିନ୍‌ରେ ପ୍ଲେଅଫ୍‌ରେ ପହଞ୍ଚିବାରେ ବିଫଳ ହୋଇଥିଲା । ଆଇପିଏଲ୍ ୨୦୨୫ରେ ଦିଲ୍ଲୀ ପଞ୍ଚମ ସ୍ଥାନରେ ରହିଥିବାବେଳେ ୨୦୨୬ ସିଜିନ୍‌ରେ ଦଳ ଷଷ୍ଠ ସ୍ଥାନରେ ରହିଥିଲା ।


ସପୋର୍ଟ ଷ୍ଟାଫ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ

ଗାଙ୍ଗୁଲିଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସର କୋଚିଂ ଷ୍ଟାଫ୍‌ରେ ମଧ୍ୟ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଦଳ ବୋଲିଂ କୋଚ୍‌ ମୁନାଫ୍ ପଟେଲ, ସହାୟକ କୋଚ୍ ଇଆନ୍ ବେଲ୍ ଏବଂ ଟିମ୍ ଡାଇରେକ୍ଟର୍ ବେଣୁଗୋପାଳ ରାଓଙ୍କୁ ରିଟେନ୍ କରିନାହିଁ । ଗାଙ୍ଗୁଲି ନିଜ ପସନ୍ଦର ସପୋର୍ଟ ଷ୍ଟାଫ୍ ସହ ଦଳ ଗଠନ କରିବାକୁ ଚାହୁଁଥିବା କୁହାଯାଉଛି ।

ଗାଙ୍ଗୁଲିଙ୍କ ସହ ଯୋଗ ଦେଇପାରନ୍ତି ଯୁବରାଜ ସିଂହ

ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ କୋଚିଂ ଷ୍ଟାଫ୍‌କୁ ନେଇ ଆଉ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବତନ ଭାରତୀୟ ଷ୍ଟାର୍ ଅଲରାଉଣ୍ଡର୍ ଯୁବରାଜ ସିଂହ ଗାଙ୍ଗୁଲିଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ଅଧିକାରିକ ଘୋଷଣା ହୋଇନାହିଁ ।
ଗତ ବର୍ଷ SA20ରେ ଗାଙ୍ଗୁଲି ପ୍ରିଟୋରିଆ କ୍ୟାପିଟାଲ୍ସର ହେଡ୍ କୋଚ୍ ଭାବେ ଦାୟିତ୍ୱ ନେଇଥିଲେ ଏବଂ ତାଙ୍କ ଦଳ ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା ।

ହେଡ୍ କୋଚ୍ ହେବା ପରେ କ'ଣ କହିଲେ ଗାଙ୍ଗୁଲି ?

ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ଦାୟିତ୍ୱ ମିଳିବା ପରେ ଗାଙ୍ଗୁଲି ନିଜର ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଆଇପିଏଲ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସର ହେଡ୍ କୋଚ୍ ହେବାକୁ ସେ ଉତ୍ସାହିତ । ଦିଲ୍ଲୀ ଫ୍ରାଞ୍ଚାଇଜି ତାଙ୍କ ହୃଦୟର ଅତି ନିକଟ ଏବଂ ବର୍ଷ ବର୍ଷ ଧରି ଏହି ଫ୍ରାଞ୍ଚାଇଜି ସହ ତାଙ୍କ ସମ୍ପର୍କ ଆହୁରି ମଜବୁତ ହୋଇଛି ବୋଲି ସେ କହିଛନ୍ତି । ଗାଙ୍ଗୁଲିଙ୍କ ଲକ୍ଷ୍ୟ ଏକ ଶକ୍ତିଶାଳୀ ଏବଂ ନିର୍ଭୀକ ଦଳ ଗଠନ କରିବା ।

ସେହିପର ଆଇପିଏଲ୍ ୨୦୨୭ ପୂର୍ବରୁ ଦଳକୁ ଫେରିଛନ୍ତି ଓ୍ବିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ । ଋଷଭ ଗତ ଦୁଇ ସିଜିନ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍‌ର ଅଧିନାୟକ ଥିଲେ । କିନ୍ତୁ ଆଇପିଏଲ୍ ୨୦୨୬ ଶେଷ ହେବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର୍ ଜାଏଣ୍ଟସ୍ ମଧ୍ୟରେ ଟ୍ରେଡ୍ ହୋଇଥିଲା । ଏହି ଡିଲ୍‌ରେ ପନ୍ତ ୧୨ କୋଟି ଟଙ୍କା ଦରମା କମାଇ ୧୫ କୋଟି ଟଙ୍କାରେ ଦିଲ୍ଲୀକୁ ଫେରିଥିଲେ । ଅନ୍ୟପକ୍ଷରେ ସ୍ପିନ୍ ବୋଲର୍ କୁଲଦୀପ ଯାଦବ ୧୩.୫ କୋଟି ଟଙ୍କାରେ LSGକୁ ଯାଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: