Videos
|
Sports

Spain Cricket Record / ଫୁଟବଲ୍ ପରେ କ୍ରିକେଟ୍‌ରେ ବି ସ୍ପେନ୍‌ର ଜଲୱା ! ଭାଙ୍ଗିଲା ଅଷ୍ଟ୍ରେଲିଆର ୨୩ ବର୍ଷ ପୁରୁଣା ରେକର୍ଡ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ଫୁଟବଲ୍ ପରେ କ୍ରିକେଟ୍‌ରେ ବି ସ୍ପେନ୍‌ର ଜଲୱା ! ଭାଙ୍ଗିଲା ଅଷ୍ଟ୍ରେଲିଆର ୨୩ ବର୍ଷ ପୁରୁଣା ରେକର୍ଡ
Spain Cricket Team

Key Points

କ୍ରିକେଟ୍‌ରେ ଇତିହାସ ରଚିଲା ସ୍ପେନ୍ !
ଅଷ୍ଟ୍ରେଲିଆର ବଡ଼ ରେକର୍ଡ ଭାଙ୍ଗିଲା
୨୧ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆକୁ ପଛରେ ପକାଇଲା ସ୍ପେନ୍
କ୍ରୀଡ଼ା ଜଗତରେ ଏବେ ରେକର୍ଡ ପରେ ରେକର୍ଡ କରୁଛି ସ୍ପେନ୍ । ଫୁଟବଲ୍ ପରେ ଏବେ କ୍ରିକେଟ୍‌ରେ ମଧ୍ୟ ଇତିହାସ ରଚିଛି ଏହି ଦେଶ । ଯେଉଁ ଦେଶକୁ କ୍ରିକେଟ୍‌ର ବଡ଼ ଟିମ୍‌ ଭାବେ କେହି ଗଣନା କରୁନଥିଲେ, ସେହି ସ୍ପେନ୍ ଏବେ ବିଶ୍ୱ କ୍ରିକେଟ୍‌କୁ ଚମକାଇ ଦେଇଛି । ସ୍ପେନ୍‌ର ପୁରୁଷ କ୍ରିକେଟ୍ ଟିମ୍ ଲଗାତାର ୨୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ୨୩ ବର୍ଷ ପୁରୁଣା ଅଷ୍ଟ୍ରେଲିଆର ରେକର୍ଡକୁ ପଛରେ ପକାଇ ଦେଇଛି ।

୨୦୨୮ ଟି-୨୦ ବିଶ୍ୱକପ୍‌ର ୟୁରୋପ୍ ସବ୍-ରିଜିଅନାଲ୍ କ୍ୱାଲିଫାୟର୍ Cରେ ଏହି ଐତିହାସିକ ସଫଳତା ହାସଲ କରିଛି ସ୍ପେନ୍ । ଶୁକ୍ରବାର ଆୟୋଜକ ଫିନଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସ୍ପେନ୍ ସାମ୍ନାରେ ୧୩୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ମାତ୍ର ଦୁଇଟି ୱିକେଟ୍ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲା ଦଳ । ଏହା ସହିତ ଟି-୨୦ ଅନ୍ତର୍ଜାତୀୟରେ ସ୍ପେନ୍‌ର ବିଜୟ ଧାରା ୨୧ଟି ମ୍ୟାଚ୍‌ରେ ପହଞ୍ଚିଛି ।

ଏହି ଯାତ୍ରା ସ୍ପେନ୍ ପାଇଁ ବେଶ୍ ଚମତ୍କାର ରହିଛି । ପ୍ରାୟ ତିନି ବର୍ଷ ପୂର୍ବେ ଆଇଲ୍ ଅଫ୍ ମ୍ୟାନ୍ ବିପକ୍ଷ ବିଜୟରୁ ଆରମ୍ଭ ହୋଇଥିବା ଏହି ବିଜୟ ଧାରା ଏବେ ବି ଜାରି ରହିଛି । ଏହି ସମୟ ମଧ୍ୟରେ ଜର୍ସି, କ୍ରୋଏସିଆ, ଚେକ୍ ରିପବ୍ଲିକ୍, ଗ୍ରୀସ୍ ଏବଂ ଫିନଲ୍ୟାଣ୍ଡ ଭଳି ଅନେକ ୟୁରୋପୀୟ ଆସୋସିଏଟ୍ ଟିମ୍‌କୁ ହରାଇଛି ସ୍ପେନ୍ ।
୨୦୨୪ରେ ଲଗାତାର ୧୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଜିତି ସ୍ପେନ୍ ଏହି ଫର୍ମାଟ୍‌ରେ ସର୍ବାଧିକ ଲଗାତାର ବିଜୟର ବିଶ୍ୱ ରେକର୍ଡ କରିଥିଲା । କିନ୍ତୁ ଏହା ପରେ ମଧ୍ୟ ଦଳର ବିଜୟ ରଥ ଅଟକି ନଥିଲା। ଏବେ ଏହି ଧାରା ୨୧ଟି ମ୍ୟାଚ୍‌ରେ ପହଞ୍ଚିଛି।

ସ୍ପେନ୍‌ର ୨୧ତମ ବିଜୟ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ ୨୦୦୩ ଅଷ୍ଟ୍ରେଲିଆ ଟିମ୍‌ର ଐତିହାସିକ ବିଜୟ ଧାରାକୁ ମଧ୍ୟ ପଛରେ ପକାଇଛି । ୨୦୦୩ରେ ଅଷ୍ଟ୍ରେଲିଆ ଲଗାତାର ୧୭ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଜିତିଥିଲା। ସେହି ବର୍ଷ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍ ନ ହାରି ଟ୍ରଫି ଜିତିଥିଲା ପଣ୍ଟିଂଙ୍କ ଟିମ୍ । ଜୋହାନ୍ସବର୍ଗରେ ଖେଳାଯାଇଥିବା ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭାରତକୁ ପରାସ୍ତ କରିଥିଲା ।

ଏହା ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଲଗାତାର ତିନିଟି ଟେଷ୍ଟ ଜିତିଥିଲା ଅଷ୍ଟ୍ରେଲିଆ । ଦିନିକିଆ ଏବଂ ଟେଷ୍ଟକୁ ମିଶାଇ ଅଷ୍ଟ୍ରେଲିଆ ଲଗାତାର ୨୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଜିତିଥିଲା । ଏବେ ୨୧ଟି ଲଗାତାର ବିଜୟ ସହ ସେହି ରେକର୍ଡକୁ ଭାଙ୍ଗି ଦେଇଛି ସ୍ପେନ୍ ।

କ୍ରିକେଟ୍‌ର ବଡ଼ ଦେଶ ଭାବେ ସ୍ପେନ୍‌ର ନାଁ ହୁଏତ ଆସେ ନାହିଁ, କିନ୍ତୁ ଟି-୨୦ ଅନ୍ତର୍ଜାତୀୟରେ ଏହାର ରେକର୍ଡ ଚମକାଇ ଦେବା ଭଳି । ୧୯୯୨ରେ ସ୍ପେନ୍ ICCର ଆଫିଲିଏଟ୍ ସଦସ୍ୟ ହୋଇଥିଲା । ପରେ ୨୦୧୭ରେ ଏହାକୁ ଆସୋସିଏଟ୍ ସଦସ୍ୟର ମାନ୍ୟତା ମିଳିଥିଲା । ୨୦୧୯ରେ ଟି-୨୦ ଅନ୍ତର୍ଜାତୀୟ ମାନ୍ୟତା ପାଇବା ପରଠାରୁ ସ୍ପେନ୍ ୫୦ଟି ମ୍ୟାଚ୍ ଖେଳିଛି। ଏଥିରୁ ୪୧ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ କେବଳ ୮ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି । ଏହି ଆକଳନ ହିଁ ପ୍ରମାଣ କରୁଛି ଯେ ୟୁରୋପୀୟ ଆସୋସିଏଟ୍ କ୍ରିକେଟ୍‌ରେ ସ୍ପେନ୍‌ର ପ୍ରଭାବ କେତେ ଦ୍ରୁତ ଗତିରେ ବଢ଼ୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: