Videos
|
Sports

ମ୍ୟାଚ୍ ପରେ ପଡ଼ିଆରେ ଅପେକ୍ଷା କରିଥିଲେ ପାକ୍ ଖେଳାଳି, ହାତ ମିଳାଇବାକୁ ଆସିଲେନି ଟିମ୍ ଇଣ୍ଡିଆ

Santosh Kumar Sahoo
Browse all articles by Santosh Kumar Sahoo
·1 year ago·2 min read
ମ୍ୟାଚ୍ ପରେ ପଡ଼ିଆରେ ଅପେକ୍ଷା କରିଥିଲେ ପାକ୍ ଖେଳାଳି, ହାତ ମିଳାଇବାକୁ ଆସିଲେନି ଟିମ୍ ଇଣ୍ଡିଆ

Key Points

ଦୁବାଇରେ ପାକିସ୍ତାନ ହେଲା ଅପମାନିତ । ମ୍ୟାଚ୍ ପରେ ପଡ଼ିଆରେ ଅପେକ୍ଷା କରିଥିଲା ପାକିସ୍ତାନ ଟିମ୍ । ହାତ ମିଳାଇବାକୁ ଆସିଲେନି ଭାରତୀୟ ପ୍ଲେୟାର୍ସ।

ରବିବାର ଏସିଆ କପରେ ଖେଳାଯାଇଥିଲା ମହାମୁକାବିଲା । ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ପରେ ପ୍ରଥମ ଥର ପାଇଁ କ୍ରିକେଟ ଫିଲ୍ଡରେ ସାମ୍ନାସାମ୍ନି ହୋଇଥିଲେ ଦୁଇ ଦଳ । ଏକତରଫା ଭାବେ ଟିମ୍ ଇଣ୍ଡିଆ ଏହି ମ୍ୟାଚକୁ ନିଜ ନାଁରେ କରିଥିଲା । ଏହା ସହିତ, ପାକିସ୍ତାନୀ ଦଳକୁ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତେବେ ମ୍ୟାଚ୍ ଶେଷ ହେବା ପରେ, ଟିମ୍ ଇଣ୍ଡିଆ ନିଜ ଶୈଳୀରେ ପାକିସ୍ତାନ ଦଳକୁ 'ବୟକଟ' କରିଥିଲା ​​ଏବଂ ପାକିସ୍ତାନୀ ଖେଳାଳିମାନଙ୍କ ସହିତ ହାତ ମିଳାଇ ନଥିଲା।


ଯେତେବେଳେ ଭାରତୀୟ ଦଳ ସୂର୍ଯ୍ୟକୁମାର ଯାଦବ ଟସ୍ ପାଇଁ ପହଞ୍ଚିଥିଲେ, ସେ ପାକିସ୍ତାନୀ ଅଧିନାୟକ ସଲମାନ ଅଲି ଆଗାଙ୍କ ସହିତ ହାତ ମିଳାଇ ନଥିଲେ । ଏହା ପରେ ଟିମ୍ ଇଣ୍ଡିଆ ପୂରା ମ୍ୟାଚରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା । ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ । ଯାହା ଫଳରେ ଭାରତ ଏକପାଖିଆ ମ୍ୟାଚରେ ୭ ୱିକେଟରେ ମ୍ୟାଚ୍ ଜିତିଥିଲା ।


ବଡ଼ ବିଜୟ ପରେ ତୁରନ୍ତ ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶିବମ୍ ଦୁବେ ହାତ ନ ମିଳାଇ ଡ୍ରେସିଂ ରୁମକୁ ଯାଇଥିଲେ । ପାକିସ୍ତାନୀ ଖେଳାଳିମାନେ ଭାରତୀୟ ଟିମ୍ ସହ ହାତ ମିଳାଇବା ପାଇଁ କିଛି ସମୟ ପାଇଁ ପଡ଼ିଆରେ ମଧ୍ୟ ଅପେକ୍ଷା କରିଥିଲେ । କିନ୍ତୁ କୌଣସି ଭାରତୀୟ ଖେଳାଳି ଡ୍ରେସିଂ ରୁମ୍ ବାହାରକୁ ଆସି ନଥିଲେ । ଏମିତିକି ସମସ୍ତ ଖେଳାଳି ଡ୍ରେସିଂ ରୁମକୁ ଯିବା ପରେ ଗେଟ୍ ବନ୍ଦ କରିଦେଇଥିଲେ ଭାରତୀୟ କ୍ରିକେଟର । ମ୍ୟାଚ୍ ପରେ ଏଭଳି ଭାବେ ଟିମ୍ ଇଣ୍ଡିଆ ପାକିସ୍ତାନୀ ଦଳକୁ ବୟକଟ କରିଛି ।


ସୂଚନା ଅନୁସାରେ, ଟସ୍ ହାରିବା ପରେ ଟିମ୍ ଇଣ୍ଡିଆ ପାକିସ୍ତାନକୁ ମ୍ୟାଚ୍‌ରେ ମାତ୍ର ୧୨୭ ରନ୍‌ରେ ସୀମିତ ରଖିଥିଲା । ଏହା ପରେ ଟିମ୍ ଇଣ୍ଡିଆ ୧୬ତମ ଓଭରରେ ସହଜରେ ମ୍ୟାଚ୍‌ ଜିତି ନେଇଥିଲା । ୱିକେଟ୍‌ରୁ ସହାୟତା ପାଇବା ସତ୍ତ୍ୱେ ପାକିସ୍ତାନୀ ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସାମ୍ନାରେ ପ୍ରଭାବହୀନ ଦେଖାଯାଉଥିଲେ । ସେପଟେ ଜନ୍ମଦିନରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୪୭ ରନ୍‌ର ଅପରାଜିତ ଇନିଂସ ଖେଳି ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ପାକିସ୍ତାନକୁ ଲଜ୍ଜାଜନକ ପରାଜୟ ଦେଇଥିଲେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
No Handshakes: India Ignores Pakistan After Asia Cup Clash | Argus News Odia