Ishan Kishan Comeback / ଇଶାନଙ୍କୁ ଟିମ୍ ଇଣ୍ଡିଆରେ ବାଛିଥିଲେ ଦୁଇ ଓଡ଼ିଆ ପୁଅ, ବିଶ୍ୱକପ୍ ବିଜୟରେ ସାଜିଲେ ହିରୋ
·4 months ago·3 min read

Key Points
ଓଡ଼ିଆ ପୁଅଙ୍କ ନିଷ୍ପତ୍ତିରେ ଟିମ୍ ଇଣ୍ଡିଆକୁ ମିଳିଲା ହିରୋ
ବିଶ୍ୱକପ୍ରେ ଚମକିଲେ ଇଶାନ
ଇଶାନଙ୍କୁ ଟିମ୍ରେ ନେଇଥିଲେ ପ୍ରଜ୍ଞାନ-ଶିବ ସୁନ୍ଦର
ବିଶ୍ୱକପ୍ରେ ଚମକିଲେ ଇଶାନ
ଇଶାନଙ୍କୁ ଟିମ୍ରେ ନେଇଥିଲେ ପ୍ରଜ୍ଞାନ-ଶିବ ସୁନ୍ଦର
ମହିଳା ଦିବସରେ ଇତିହାସ ରଚିଲା ଭାରତୀୟ ପୁରୁଷ କ୍ରିକେଟ୍ ଟିମ୍ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ନୂଆ ଇତିହାସ ଲେଖିଲା ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ବକପ୍ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଲଗାତର ଦ୍ବିତୀୟ ଥର ପାଇଁ ବିଶ୍ବକପ୍ ଟ୍ରଫି ଜିତିଲା ଭାରତ । ୨୦୨୪ରେ ରୋହିତଙ୍କ ଅଧିନାୟକତ୍ବରେ ଆଉ ୨୦୨୬ରେ ସୂର୍ଯ୍ୟକୁମାର ଯାଦବଙ୍କ କ୍ୟାପଟେନ୍ସିରେ ବିଶ୍ବକପ୍ ଟ୍ରଫି ହତେଇଲା ଭାରତ । ଆଉ ୨୦୨୬ ଟି-୨୦ ବିଶ୍ବକପ୍ ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଇଶାନ କିଶାନ ।
ଇଶାନ କିଶାନ ଟି-୨୦ ବିଶ୍ବକପ୍ରେ ମୋଟ୍ ୯ଟି ମ୍ୟାଚ୍ ଖେଳି ୧୯୩.୨୯ ଷ୍ଟ୍ରାଇକ୍ ରେଟ୍ରେ ୩୧୭ ରନ୍ କରିଥିଲେ । ଏହି ଫର୍ମ ବଳରେ ଭାରତ ବିଶ୍ବକପ୍ ହାତେଇବାରେ ସଫଳ ହୋଇଥିଲା । ସବୁଠୁ ବଡ଼ କଥା ହେଉଛି ଇଶାନ କିଶାନ ବିଶ୍ବକପ୍ ପର୍ବରୁ ଭାରତୀୟ ଦଳର ସଦସ୍ୟ ନଥିଲେ । କିନ୍ତୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଦମଦାର ଫର୍ମ ତାଙ୍କୁ ଟିମ୍ ଇଣ୍ଡିଆକୁ ଟାଣି ଆଣିଥିଲା । ବିଶ୍ବକପ୍ ପୂର୍ବରୁ ନ୍ୟୁଜିଲାଣ୍ଡ ସିରିଜ୍ ପାଇଁ ଇଶାନ କିଶାନଙ୍କୁ ଉପ-ଅଧିନାୟକ ଥିବା ଶୁବମନ ଗିଲ୍ଙ୍କ ସ୍ଥାନରେ ଚୟନ କରାଯାଇଥିଲା । ଆଉ ସେ ନ୍ୟୁଜିଲାଣ୍ଡ ସିରିଜ୍ରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଟି-୨୦ ବିଶ୍ବକପ୍ରେ ନିଜ ସ୍ଥାନ ପକ୍କା କରିଥିଲେ ।
କିନ୍ତୁ ଆପଣ ଜାଣିଛନ୍ତି କି ଇଶାନ କିଶାନଙ୍କୁ ଟି-୨୦ ବିଶ୍ବକପ୍ ଦଳରେ ଚୟନ କରିବା ପଛରେ ରହିଛି ଦୁଇ ଓଡ଼ିଆ ପୁଅଙ୍କ ହାତ । ଜଣେ ହେଉଛନ୍ତି ପ୍ରଜ୍ଞାନ ଓଝା ଓ ଆଉ ଜଣେ ହେଉଛନ୍ତି ଶିବ ସୁନ୍ଦର ଦାସ । ଉଭୟ ଏବେ ପୁରୁଷ ସିନିୟର ଟିମ୍ର ଚୟନ କମିଟିର ସଦସ୍ୟ ରହିଛନ୍ତି । ଆଉ ବିଶ୍ବକପ୍ ଦଳକୁ ଚୟନ କରିବାରେ ଏହି ଦୁଇ ଓଡ଼ିଆ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।
୭ ଜାନୁଆରୀ ୨୦୨୩ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଶିବ ସୁନ୍ଦର । ଆଉ ସେ ଚୟନ କମିଟି ସଦସ୍ୟ ଭାବେ ୨୦୨୩ ଦିନିକିଆ ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆ ଦଳ ମଧ୍ୟ ଚୟନ କରିଥିଲେ । ଏହା ସହ ୨୦୨୪ ଟି-୨୦ ବିଶ୍ବକପ୍ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ପାଇଁ ହୋଇଥିବା ଦଳ ଚୟନରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଆଉ ସବୁଠୁ ବଡ଼ କଥା ହେଉଛି ଶିବ ସୁନ୍ଦରଙ୍କ ଦ୍ବାରା ଚୟନ ହୋଇଥିବା ଦଳ ୨୦୨୪ ଟି-୨୦ ବିଶ୍ବକପ୍ ଓ ୨୦୨୫ ଚାମ୍ପିଆନ୍ସ ଟ୍ରଫି ଟାଇଟଲ୍ ଜିତିଥିଲା । ଏହା ସହ ୨୦୨୩ ଦିନିକିଆ ବିଶ୍ବକପରେ ରନର୍ସ ଅପ୍ ହୋଇଥିଲା । ଆଉ ଏବେ ଆଉ ଏକ ଟି-୨୦ ବିଶ୍ବକପ୍ ମଧ୍ୟ ଜିତିଛି ।
ସେହିପରି ୨୮ ସେପ୍ଟେମ୍ବର ୨୦୨୫ରୁ ଚୟନ କମିଟିର ସଦସ୍ୟ ଅଛନ୍ତି ଆଉ ଜଣେ ଓଡ଼ିଆ ପୁଅ ପ୍ରଜ୍ଞାନ ଓଝା । ସେ ସାଉଥ୍ ଜୋନ୍ରୁ ଶ୍ରୀଧରନ୍ ଶରଥଙ୍କ ସ୍ଥାନରେ ଚୟନ କମିଟିରେ ସ୍ଥାନ ପାଇଛନ୍ତି । ଆଉ ସେ ଯେବେଠୁ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି ସେବେଠୁ ସେ ଭାରତୀୟ ଦଳକୁ ଦୃଢ଼ କରିବା ପାଇଁ ଏବେ ବେଞ୍ଚ ଷ୍ଟ୍ରେନ୍ଥକୁ ସୁଦୃଢ଼ ରଖିବାକୁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଶେଷ ହୋଇଥିବା ଘରୋଇ ଟୁର୍ଣ୍ଣାମେଣ୍ଟ ସୟଦ ମୁସ୍ତାକ ଅଲି ଟ୍ରଫିର ମ୍ୟାଚ୍କୁ ଯାଇ ବିଭିନ୍ନ ଖେଳାଳିଙ୍କ ପ୍ରଦର୍ଶନ ଉପରେ ତୀଖ୍ଣ ନଜର ରଖିଥିଲେ । ଯାହାର ପ୍ରଭାବ ଘୋଷଣା ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହୋଇଥିବା ଟିମ୍ରେ ଦେଖିବାକୁ ମିଳିଥିଲା । ସେ ସୟଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ମଧ୍ୟ ଉପସ୍ଥିତ ଥିଲେ । ଯେଉଁଠାରେ ଇଶାନ କିଶାନ ଶତକ ହାସଲ କରି ପ୍ରଥମ ଥର ପାଇଁ ଝାଡ଼ଖଣ୍ଡକୁ SMAT ଟ୍ରଫି ଦେଇଥିଲେ । ଏହା ସହ ଇଶାନ କିଶାନ ସେହି ଟୁର୍ଣ୍ଣାମେଣ୍ଟ ୫୦୦ରୁ ଅଧିକ ରନ୍ କରିଥିଲେ । ଆଉ ଏସବୁ ପଡ଼ିଆ ବାହାରେ ରହି ଟିକ୍ନିକ୍ ଦେଖୁଥିଲେ ପ୍ରଜ୍ଞାନ । ଯାହାଫଳରେ ବିଶ୍ବକପ୍ ପାଇଁ ଘୋଷଣା ହୋଇଥିବା ଟିମ୍ରେ ଶୁବମନଙ୍କ ସ୍ଥାନରେ ଇଶାନ କିଶାନଙ୍କୁ ସ୍ଥାନ ମିଳିଥିଲା ।
ପ୍ରାୟ ଦୁଇ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଥିଲେ ଇଶାନ କିଶାନ । ସେ ପୁଣି ସିଧାସଳଖ ନ୍ୟୁଜିଲାଣ୍ଡ ସିରିଜ୍ ଓ ଟି-୨୦ ବିଶ୍ବକପ୍ରେ । ଆଉ ଇଶାନଙ୍କୁ ମିଳିଥିବା ଏହି ସୁଯୋଗକୁ ସେ ମଧ୍ୟ ହାତଛଡ଼ା କରିନଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୪ଟି ମ୍ୟାଚ୍ ଖେଳି ୨୧୫ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ରହିଥିଲା । ଆଉ ଟି-୨୦ ବିଶ୍ବକପ୍ରେ ସେ ୯ଟି ମ୍ୟାଚ୍ ଖେଳି ୩୧୭ ରନ୍ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories