Videos
|
Sports

Virat Kohli Century / କୋହଲିଙ୍କ ଐତିହାସିକ ଶତକ, ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟ୍‌ରେ ହରାଇଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·54 mins ago·2 min read
କୋହଲିଙ୍କ ଐତିହାସିକ ଶତକ, ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟ୍‌ରେ ହରାଇଲା ଭାରତ
Virat Kohli

Key Points

କୋହଲିଙ୍କ ଧମାକାରେ ହାରିଲା ୱେଷ୍ଟଇଣ୍ଡିଜ
କୋହଲି-ଗିଲ୍‌ଙ୍କ ଶତକୀୟ ଝଡ଼
ପ୍ରଥମ ODIରେ ଭାରତର ବଡ଼ ବିଜୟ
ତିରୁବନନ୍ତପୁରମରେ ବିରାଟ କୋହଲିଙ୍କ ଧମାକା । ଛକାରେ ଶତକ, ଛକାରେ ବିଜୟ । ୱେଷ୍ଟଇଣ୍ଡିଜ୍‌ର ୨୯୬ ରନ୍‌ର ଲକ୍ଷ୍ୟକୁ ଭାରତ ମାତ୍ର ୨ ୱିକେଟ୍ ହରାଇ ହାସଲ କରିନେଇଛି । କୋହଲିଙ୍କ ଅପରାଜିତ ୧୩୯ ରନ୍‌ ସହ ଅଧିନାୟକ ଶୁବମନ ଗିଲ୍‌ଙ୍କ ଶତକ ଭାରତକୁ ଦେଇଛି ବଡ଼ ବିଜୟ । ଏହି ମ୍ୟାଚ୍‌ରେ କୋହଲି କେବଳ ମ୍ୟାଚ୍ ଜିତାଇନାହାନ୍ତି, ବରଂ ନିଜ ନାମରେ ଯୋଡ଼ିଛନ୍ତି ଏକାଧିକ ବଡ଼ ରେକର୍ଡ ।

ତିରୁବନନ୍ତପୁରମର ଗ୍ରୀନଫିଲ୍ଡ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଭାରତ । ୱେଷ୍ଟଇଣ୍ଡିଜ ଭାରତ ସାମ୍ନାରେ ୨୯୬ ରନ୍‌ର ଲକ୍ଷ୍ୟ ରଖିଥିଲା । ଭାରତ ମାତ୍ର ୨ ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିନେଇଛି । ଏହି ବିଜୟ ସହ ୩ ମ୍ୟାଚ୍‌ର ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି ।



ଭାରତର ବିଜୟର ମୁଖ୍ୟ ନାୟକ ଥିଲେ ବିରାଟ କୋହଲି। ସେ ମାତ୍ର ୮୮ ବଲ୍‌ରେ ଅପରାଜିତ ୧୩୯ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ତାଙ୍କ ପାରିରେ ୧୦ଟି ଚୌକା ଓ ୯ଟି ଛକା ସାମିଲ ଥିଲା । ବିଶେଷ କଥା ହେଉଛି, କୋହଲି ଛକା ମାରି ନିଜର ଅର୍ଦ୍ଧଶତକ ଓ ଶତକ ପୂରଣ କରିବା ସହ ଛକା ମାରି ଭାରତକୁ ବିଜୟ ଭେଟି ମଧ୍ୟ ଦେଇଥିଲେ ।

ଏହି ଇନିଂସରେ କୋହଲି ଦିନିକିଆ କ୍ରିକେଟ୍‌ରେ ୧୫,୦୦୦ ରନ୍ ପୂରଣ କରିଛନ୍ତି । ସେ ସଚିନ ତେନ୍ଦୁଲକରଙ୍କ ପରେ ଏହି ମାଇଲଷ୍ଟୋନ୍‌ରେ ପହଞ୍ଚିଥିବା ବିଶ୍ୱର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଏହା ସହ ୱେଷ୍ଟଇଣ୍ଡିଜ ବିପକ୍ଷରେ ୧୦ଟି ଦିନିକିଆ ଶତକ ମାରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି କୋହଲି । ଗୋଟିଏ ଦେଶ ବିପକ୍ଷରେ ସର୍ବାଧିକ ଦିନିକିଆ ରନ୍ କରିବା ମାମଲାରେ ମଧ୍ୟ ସେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି ।

କୋହଲିଙ୍କ ସହ ଅଧିନାୟକ ଶୁବମନ ଗିଲ୍‌ ମଧ୍ୟ ଚମତ୍କାର ଶତକ ହାସଲ କରିଥିଲେ । ସେ ୧୦୮ ବଲ୍‌ରେ ୧୩ଟି ଚୌକା ଓ ଗୋଟିଏ ଛକା ସହ ୧୧୦ ରନ୍ କରିଥିଲେ । ଗିଲ୍ ଓ କୋହଲି ଦ୍ୱିତୀୟ ୱିକେଟ୍‌ ପାଇଁ ୧୫୧ ରନ୍‌ର ମହତ୍ତ୍ୱପୂର୍ଣ୍ଣ ପାର୍ଟନରସିପ୍‌ ଭାରତର ବିଜୟକୁ ସହଜ କରିଥିଲେ । ଏହା ପୂର୍ବରୁ ରୋହିତ ଶର୍ମା ୩୫ ବଲ୍‌ରେ ୩୨ ରନ୍ କରିଥିଲେ । ତାଙ୍କ ଇନିଂସରେ ୩ଟି ଛକା ଓ ୨ଟି ଚୌକା ଥିଲା ।



ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ମଧ୍ୟ ଭଲ ଆରମ୍ଭ କରିଥିଲା । ଜନ୍ କ୍ୟାମ୍ପବେଲ୍ ଓ ଜଷ୍ଟିନ୍ ଗ୍ରିଭ୍ସ ପ୍ରଥମ ୱିକେଟ୍‌ ପାଇଁ ୧୩୫ ରନ୍‌ର ପାର୍ଟନରସିପ୍ କରିଥିଲେ । କ୍ୟାମ୍ପବେଲ୍ ୬୦ ବଲ୍‌ରେ ୬୨ ରନ୍ କରିଥିବା ବେଳେ ଗ୍ରିଭ୍ସ ୧୦୮ ବଲ୍‌ରେ ୧୦୧ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ । ଏହା ତାଙ୍କର ପ୍ରଥମ ଦିନିକିଆ ଶତକ । ଉଭୟଙ୍କୁ କୁଲଦୀପ ଯାଦବ ଆଉଟ୍ କରିଥିଲେ ।

ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍‌ମାନେ ବଡ଼ ପାର୍ଟନରସିପ୍‌ କରିପାରିନଥିବା ବେଳେ ଶେଷରେ ଅମୀର ଜାଙ୍ଗୁ ଦ୍ରୁତ ୫୮ ରନ୍‌ର ଅପରାଜିତ ଇନିଂସ ଖେଳି ୱେଷ୍ଟଇଣ୍ଡିଜର ସ୍କୋରକୁ ୨୯୫ ରନ୍‌ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: