Odisha Cyclone Forecast / ମାଡ଼ି ଆସୁଛି ବାତ୍ୟା! ୯୫ କିମି ବେଗରେ ବହିବ ପବନ, ଏହି ଜିଲ୍ଲାକୁ ବଡ଼ ବିପଦ
·1 hour ago·2 min read

Key Points
ଲଘୁଚାପ ନେବ ବାତ୍ୟାର ରୂପ
୧୯ ଓ ୨୦ରେ ଓଡ଼ିଶାରେ ପ୍ରବଳ ବର୍ଷା
ଗଞ୍ଜାମ, ଗଜପତି ଓ ପୁରୀକୁ ଅରେଞ୍ଜ ଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ବଢ଼ିଲା ଚିନ୍ତା । ଧୀରେ ଧୀରେ ଘନୀଭୂତ ହେଉଥିବା ଲଘୁଚାପ କ୍ଷେତ୍ର ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଜି ଏହା ଅବପାତର ରୂପ ନେବା ସହ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ । ଏପରିକି ୧୭ ତାରିଖ ରାତିରୁ ୧୮ ତାରିଖ ସକାଳ ମଧ୍ୟରେ ଏହା ଭୀଷଣ ବାତ୍ୟାର ରୂପ ନେବା ଆଶଙ୍କା ରହିଛି । ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମିଟର ରହିପାରେ ।
ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାଶ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଥିବା ସମ୍ଭାବ୍ୟ ଗତିପଥ ଅନୁଯାୟୀ, ବାତ୍ୟାଟି ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ମୁହାଁଇପାରେ । ତେବେ ସମ୍ଭାବ୍ୟ ବାତ୍ୟାର ସ୍ଥଳଭାଗ ଛୁଇଁବା ସ୍ଥାନ ଓ ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏଯାଏଁ ସ୍ପଷ୍ଟ ଆକଳନ କରାଯାଇନାହିଁ ।
ଅନ୍ୟପଟେ, ୧୭ ତାରିଖ ଯାଏଁ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୮ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି ।
୧୯ ତାରିଖରେ ବର୍ଷା ଓ ପବନର ପ୍ରଭାବ ଆହୁରି ବଢ଼ିପାରେ । ଏହି ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ଅନ୍ୟ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି ।
ସେହିପରି ୨୦ ତାରିଖରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିପାରେ । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଅନ୍ୟ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବାସୀଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ନିୟମିତ ସୂଚନା ଓ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଉଛି । ତେବେ ବାତ୍ୟାର ତୀବ୍ରତା, ଗତିପଥ ଓ ସ୍ଥଳଭାଗ ଛୁଇଁବା ସମ୍ପର୍କରେ ଆଗାମୀ ଅପଡେଟ୍ ଉପରେ ସମସ୍ତଙ୍କ ନଜର ରହିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories