Odisha Weather Update / ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ୧୬ରେ ନେବ ବାତ୍ୟା ରୂପ !
·15 mins ago·2 min read

Key Points
ବଙ୍ଗୋପସାଗରରେ ଅବପାତ, ଆସନ୍ତାକାଲି ବାତ୍ୟା !
୧୭ ତାରିଖରେ ନେବ ଭୀଷଣ ରୂପ
ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
୧୭ ତାରିଖରେ ନେବ ଭୀଷଣ ରୂପ
ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ । ବଳ ଗୋଟାଇ ଏହା ଏବେ ଅବପାତରେ ପରିଣତ ହୋଇଛି । ଆଗାମୀ ଦିନରେ ଏହା ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବା ସହ ୧୭ ତାରିଖରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଏହାକୁ ନେଇ ଓଡ଼ିଶାରେ ଚିନ୍ତା ବଢ଼ିଛି । ବିଶେଷ କରି ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ପବନର ପ୍ରଭାବ ଅନୁଭୂତ ହେବା ଆଶଙ୍କା ରହିଛି ।
ପାଣିପାଗ ଆକଳନ ଅନୁଯାୟୀ, ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଅବପାତଟି ବାତ୍ୟାର ରୂପ ନେଇପାରେ । ଏହାପରେ ଅଧିକ ଘନୀଭୂତ ହୋଇ ୧୭ ତାରିଖ ରାତି ପ୍ରାୟ ୧୨ଟା ସୁଦ୍ଧା ଅର୍ଥାତ୍ ମଙ୍ଗଳବାର ରାତିରୁ ବୁଧବାର ପାହାନ୍ତି ମଧ୍ୟରେ ଭୀଷଣ ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ସେହି ସମୟରେ ବାତ୍ୟାଟି ସମୁଦ୍ର ମଧ୍ୟରେ ରହିଥିବା ଆକଳନ କରାଯାଉଛି ।
ବଙ୍ଗୋପସାଗର ରେ ସୃଷ୍ଟି ହେଲା #ଅବପାତ ୧୬ରେ ବାତ୍ୟା ୧୭ରେ ଭୀଷଣ ବାତ୍ୟା ସମ୍ଭାବନା https://t.co/K6Cz9xvsL1
— usd (@usd0705) November 15, 2026
୮୫ରୁ ୯୫ କିମି ବେଗରେ ବହିପାରେ ପବନ
ସମ୍ଭାବ୍ୟ ଭୀଷଣ ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିଲୋମିଟର ରହିପାରେ। ବାତ୍ୟାଟି ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଏବଂ ପରବର୍ତ୍ତୀ ସମୟରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗ ଆଡ଼କୁ ମୁହାଁଇପାରେ । ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ, ସେନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଏଯାଏଁ ସ୍ପଷ୍ଟ ଆକଳନ କରାଯାଇନାହିଁ ।
୧୮ ତାରିଖରୁ ଓଡ଼ିଶାରେ ବଦଳିବ ପାଗ
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। ଆଜିଠାରୁ ୧୭ ତାରିଖ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ୧୮ ତାରିଖରୁ ଉପକୂଳ ଜିଲ୍ଲାଗୁଡ଼ିକରେ ବର୍ଷା, ବିଜୁଳି ଓ ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହି ଦିନ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
୧୯ ଓ ୨୦ ତାରିଖରେ ବଢ଼ିବ ବର୍ଷାର ପ୍ରକୋପ
୧୯ ତାରିଖରେ ବାତ୍ୟାର ପ୍ରଭାବରେ ବର୍ଷା ଓ ପବନର ତୀବ୍ରତା ଆହୁରି ବଢ଼ିପାରେ। ଏହି ସମୟରେ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ଝଟକା ପବନ ବହିବା ସମ୍ଭାବନା ରହିଛି । ସେହିପରି ୨୦ ତାରିଖରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ଅନ୍ୟ ୧୨ଟି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି ।
ସତର୍କ ରହିବାକୁ ପରାମର୍ଶ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ମତ୍ସ୍ୟଜୀବୀ ଓ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳର ଲୋକେ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବା ଜରୁରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories