Videos
|
Weather-calamities

Odisha Cyclone Possibility / ୨୩ରେ ବଙ୍ଗୋପସାଗରରେ ଲଘୁଚାପ ! ଓଡ଼ିଶାକୁ ଆସିବ କି ବାତ୍ୟା ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୨୩ରେ ବଙ୍ଗୋପସାଗରରେ ଲଘୁଚାପ ! ଓଡ଼ିଶାକୁ ଆସିବ କି ବାତ୍ୟା ?
Odisha Cyclone Possibility

Key Points

ଦାନା ବାନ୍ଧୁଛି ସମ୍ଭାବ୍ୟ ଲଘୁଚାପ
ପୁଣି ଓଡ଼ିଶାକୁ ଘାରୁଛି ବାତ୍ୟା ଭୟ
କେତେ ଶକ୍ତିଶାଳୀ ହେବ ବାତ୍ୟା ?
ଅକ୍ଟୋବର ମାସରେ ପୁଣି ଓଡ଼ିଶାବାସୀଙ୍କ ମନରେ ବାତ୍ୟା ଛନକା । ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁଯାୟୀ, ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହା ସଂଲଗ୍ନ ଥାଇଲ୍ୟାଣ୍ଡ ଓ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆସନ୍ତାକାଲି, ୨୧ ଅକ୍ଟୋବର ସକାଳ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି ।

ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଏବଂ ଏହାର ପ୍ରଭାବରେ ୨୩ ଅକ୍ଟୋବର ୨୦୨୬ ଆଖପାଖରେ ଦକ୍ଷିଣ-ପୂର୍ବ ଓ ଏହା ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।



ଅନ୍ୟପଟେ ଆମେରିକାର GFS ଓ ୟୁରୋପର ECMWF ଭଳି ବିଶ୍ୱସ୍ତରୀୟ ପାଣିପାଗ ମୋଡେଲଗୁଡ଼ିକର ପୂର୍ବାନୁମାନ କହୁଛି, ଲଘୁଚାପଟି ଅବପାତ କିମ୍ବା ବାତ୍ୟାର ରୂପ ମଧ୍ୟ ନେଇପାରେ । ଭାରତର ପୂର୍ବ ଉପକୂଳ ଆଡ଼କୁ ଏହାର ସମ୍ଭାବ୍ୟ ଗତିପଥ ରହିବା ନେଇ ଆକଳନ କରାଯାଉଛି । ତେବେ ଏହା କେତେ ଶକ୍ତିଶାଳୀ ହେବ ଓ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ, ସେ ନେଇ ଏଯାଏଁ ସ୍ପଷ୍ଟତା ଆସିନାହିଁ ।

ସେହିପରି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଅକ୍ଟୋବର ୨୩ରୁ ୨୫ ମଧ୍ୟରେ ଲଘୁଚାପ ସୃଷ୍ଟି ହୋଇ ୨୭ରୁ ୨୯ ତାରିଖ ମଧ୍ୟରେ ଏହା ଅବପାତ କିମ୍ବା ଗଭୀର ଅବପାତର ରୂପ ନେବ । ଏହା ଆନ୍ଧ୍ରପ୍ରଦେଶ ଏବଂ ସମ୍ଭବତଃ ଦକ୍ଷିଣ ଓଡ଼ିଶା ଆଡ଼କୁ ଗତି କରିପାରେ । ତେବେ ଏହା ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବ କି ନାହିଁ, ସେନେଇ ଆସନ୍ତା ୨୨ ତାରିଖ ସୁଦ୍ଧା ଚିତ୍ର ଅଧିକ ସ୍ପଷ୍ଟ ହେବ । ଏହି ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ନିଜ ନିଜର ପାକଳ ଫସଲ ସୁରକ୍ଷିତ ରଖିବା ସହ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ ସୂଚନା ଦିଆଯାଇଛି ।

ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ତୀବ୍ରତା ଉପରେ ଏବେ ସମସ୍ତଙ୍କ ନଜର । ବାତ୍ୟା ନେଇ କୌଣସି ନିଶ୍ଚିତ ଆକଳନ ହୋଇନଥିବାରୁ ଜନସାଧାରଣଙ୍କୁ ଆତଙ୍କିତ ନହୋଇ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: