Videos
|
Weather-calamities

Cyclone Landfall / ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ପାରାଦୀପ ପାଇଁ ୯ ନମ୍ବର ବିପଦ ସଙ୍କେତ

Santosh Kumar Sahoo
Browse all articles by Santosh Kumar Sahoo
·29 mins ago·2 min read
ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା, ପାରାଦୀପ ପାଇଁ ୯ ନମ୍ବର ବିପଦ ସଙ୍କେତ
Cyclone Landfall

Key Points


ଭୀଷଣ ବାତ୍ୟାକୁ ନେଇ ଉପକୂଳରେ ହାଇଆଲର୍ଟ
ପାରାଦୀପ ପାଇଁ ୯ ନମ୍ବର ବିପଦ ସଙ୍କେତ
୨୧ ତାରିଖ ସକାଳ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଭୀଷଣ ବାତ୍ୟା ‘ଅକ୍ବାନ’କୁ ନେଇ ଓଡ଼ିଶା ଉପକୂଳରେ ଜାରି ହୋଇଛି ସତର୍କତା । ବର୍ତ୍ତମାନ ବାତ୍ୟା ଉତ୍ତର ଦିଗକୁ ଗତି କରୁଥିବା ବେଳେ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ସହ ଝଡ଼ ପବନ ଆଶଙ୍କା ରହିଛି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ବାତ୍ୟାଟି ବର୍ତ୍ତମାନ ଗୋପାଳପୁରଠାରୁ ପ୍ରାୟ ୪୩୦ କିଲୋମିଟର ଏବଂ ପୁରୀଠାରୁ ୪୯୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ରହିଛି । ପୂର୍ବାନୁମାନ ଅନୁଯାୟୀ, ନରସାପୁର ଓ ପୁରୀ ମଧ୍ୟବର୍ତ୍ତୀ ଅଞ୍ଚଳରେ, ବିଶେଷ କରି ଗୋପାଳପୁର ନିକଟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିପାରେ ।

ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସମ୍ଭାବନା ଥିବା ବେଳେ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ନେଇ ଆକଳନ କରାଯାଇଛି ।


ବାତ୍ୟାର ମୁକାବିଲା ପାଇଁ ବନ୍ଦରଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି । ପାରାଦୀପ ବନ୍ଦର ପାଇଁ ୯ ନମ୍ବର ବିପଦ ସଙ୍କେତ ଏବଂ ଧାମରା ବନ୍ଦର ପାଇଁ LCS-୩ ନମ୍ବର ସତର୍କ ସଙ୍କେତ ଜାରି ହୋଇଛି । ପାରାଦୀପରେ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଧାମରାରେ ୫୫ରୁ ୬୫ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖ ସକାଳ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ଯାଜପୁର, କଟକ, ନୟାଗଡ଼ ଓ କେନ୍ଦ୍ରାପଡ଼ା ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ୨୧ ତାରିଖଠାରୁ ପାଗରେ ଧୀରେ ଧୀରେ ସୁଧାର ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ବାତ୍ୟାର ଗତିପଥ ଓ ପ୍ରଭାବ ଉପରେ ପାଣିପାଗ ବିଭାଗ ନଜର ରଖିଥିବା ବେଳେ ଉପକୂଳବାସୀଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: