Videos
|
Weather-calamities

Mission Zero Casualty / ମିଶନ୍ ଜିରୋ କାଜୁଆଲିଟିର ମହାଅଭିଯାନ, ବାତ୍ୟାର ନାଲି ଆଖିକୁ ଖାତିର୍ କଲେନି ପୋଲିସ, ଅଗ୍ନିଶମ ଓ ଓଡ୍ରାଫ୍

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ମିଶନ୍ ଜିରୋ କାଜୁଆଲିଟିର ମହାଅଭିଯାନ, ବାତ୍ୟାର ନାଲି ଆଖିକୁ ଖାତିର୍ କଲେନି ପୋଲିସ, ଅଗ୍ନିଶମ ଓ ଓଡ୍ରାଫ୍
Odisha Cyclone Update

Key Points

ମିଶନ୍ ଜିରୋ କାଜୁଆଲିଟିକୁ ପାଇଁ ରାଜ୍ୟ ସରକାରଙ୍କ ମାଷ୍ଟରପ୍ଲାନ୍
SRC କାର୍ଯ୍ୟାଳୟରେ ଘନ ଘନ ସମୀକ୍ଷା କରୁଥିଲେ ମୁଖ୍ୟମନ୍ତ୍ରୀ
ଆଗୁଆ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେଲେ ୩ ଲକ୍ଷ

ବାତ୍ୟା ଅକ୍ବାନର କରାଳ ରୂପ ସାମ୍ନାରେ ପୁଣି ଥରେ ଦେଖିବାକୁ ମିଳିଛି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାର ଅସଲ ଚିତ୍ର । କେବଳ ଉପକୂଳ ନୁହେଁ, ବରଂ ପାହାଡ଼ିଆ ଓ ଦୁର୍ଗମ ଇଲାକାରେ ଭୂସ୍ଖଳନ ଭୟ ଭିତରେ ବି ଦେବଦୂତ ସାଜି ପହଞ୍ଚିଛନ୍ତି ଉଦ୍ଧାରକାରୀ ଦଳ । କାହାକୁ କାନ୍ଧରେ ତ ଆଉ କାହାକୁ କୋଳରେ ବୋହି, ପୁଣି କେଉଁଠି ସ୍ପିଡ୍ ବୋଟ୍‌ରେ ଆଣି ଦିଆଯାଇଛି ନୂଆ ଜୀବନ । ଗୋଟିଏ ପଟେ ପ୍ରଶାସନର ତତ୍ପରତା ଆଉ ଅନ୍ୟପଟେ ମହାପ୍ରଭୁଙ୍କ ଉପରେ ଅଗାଧ ବିଶ୍ୱାସ ।

ଗୋଟିଏ ପଟେ ଲଗାଣ ବର୍ଷା, ଆଉ ଅନ୍ୟପଟେ ପାହାଡ଼ ଧସିବାର ଭୟ । ଗାଡ଼ି ଯିବା ତ ଦୂରର କଥା, ପାଦ ଚଲା ରାସ୍ତା ବି ବିପଦସଙ୍କୁଳ । ଏଭଳି ସ୍ଥିତିରେ ଦୁର୍ଗମ ଇଲାକାରେ ଦେବଦୂତ ସାଜି ପହଞ୍ଚିଥିଲେ ପୋଲିସ ଓ ଓଡ୍ରାଫ୍ ଯବାନ । ଗଜପତି ଜିଲ୍ଲା ମୋହନା ବ୍ଲକ ମଣ୍ଡିମାରା ଅଞ୍ଚଳରେ ଭୂସ୍ଖଳନ ଭୟ ଭିତରେ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ କାନ୍ଧେଇ ଦୀର୍ଘ କିଲୋମିଟର ଚାଲିଚାଲି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ଯବାନ । ସେପଟେ ତାରାସିଂ ଥାନା ଗ୍ୟାଲେରୀ ଫାଣ୍ଡି ପୋଲିସର ମାନବିକତା ବି ସମସ୍ତଙ୍କ ମନ ଜିତିଛି । ଘଞ୍ଚ ଜଙ୍ଗଲ ଓ ଦୁର୍ଗମ ପାହାଡ଼ିଆ ପଥରେ ଜଣେ ବୟସ୍କ ବ୍ୟକ୍ତିଙ୍କୁ ନିଜ କୋଳରେ ଧରି ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି ପୋଲିସ ଅଧିକାରୀ ।

କେବଳ ପାହାଡ଼ ନୁହେଁ, ଜଳବନ୍ଦୀ ଇଲାକାରେ ବି ଜାରି ରହିଥିଲା ଜୀବନ ବଞ୍ଚାଇବାର ସଂଘର୍ଷ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବରହମପୁର ଗାଁର ଗର୍ଭବତୀ ମହିଳା ସିକିନା ସାମଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଶାନ୍ତ ଜଳରାଶି ଭିତରେ ସ୍ପିଡ୍ ବୋଟ୍ ଯୋଗେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା ଓଡ୍ରାଫ୍ ଟିମ୍ । ସେହିପରି କନ୍ଧମାଳ ଦାରିଙ୍ଗବାଡ଼ିର କିଲାବାଡ଼ି ଗାଁରୁ ୯୦ରୁ ଅଧିକ ଓ ମୋହନା ମାଣ୍ଡିମେରା ପଞ୍ଚାୟତର ଦୁଇଟି ଗାଁରୁ ପ୍ରାୟ ୨୦୦ ଲୋକଙ୍କୁ ଭୂସ୍ଖଳନ ଆଶଙ୍କାରେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଗଞ୍ଜାମ କନିସି ଜାତୀୟ ରାଜପଥରେ ପାଣି ଜମିବାରୁ ପୋଲିସ ତତ୍ପରତାର ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା ।
ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଭିତରେ ଖୋଦ୍ ବରିଷ୍ଠ ପୋଲିସ ଅଧିକାରୀମାନେ ବି ମୈଦାନକୁ ଓହ୍ଲାଇଥିଲେ। ପୁରୀ ବେଳାଭୂମିରେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ନିଜେ ପାଟ୍ରୋଲିଂ ଗାଡ଼ି ଡ୍ରାଇଭ୍ କରି ଲୋକଙ୍କୁ ସମୁଦ୍ର କୂଳରୁ ଦୂରେଇ ରହିବାକୁ ସତର୍କ କରାଇଥିଲେ । ସେପଟେ ପ୍ରଶାସନର ବାରମ୍ବାର ସତର୍କତା ସତ୍ତ୍ୱେ ଚିଲିକାକୁ ମାଛ ଧରିବାକୁ ଯାଇଥିବା ୨୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ସାମୁଦ୍ରିକ ପୋଲିସ ଉଦ୍ଧାର କରିଥିବା ବେଳେ, ନିର୍ଦ୍ଦେଶ ଅମାନ୍ୟ କରିଥିବା ୩ ମତ୍ସ୍ୟଜୀବୀଙ୍କୁ ଅଟକ ରଖିଛି ବାଲୁଗାଁ ପୋଲିସ ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସିଧାସଳଖ ତଦାରଖରେ ମା’ ଓ ଶିଶୁଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ରାଜ୍ୟର ୪ ହଜାର ୪୭୦ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ବିପତ୍ତି ଭିତରେ ମେଡିକାଲରେ ୧ ହଜାର ୪୫୦ ନବଜାତ ଶିଶୁ ଜନ୍ମ ନେଇଛନ୍ତି ଏବଂ ସମସ୍ତ ମା’ ଓ ଶିଶୁ ସୁସ୍ଥ ଅଛନ୍ତି । ୨୦ଟି ଜିଲ୍ଲାରୁ ୩ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ସହ ୪୧୮ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ମତ୍ସ୍ୟଜୀବୀଙ୍କୁ ବି କୋଷ୍ଟଗାର୍ଡ ସହାୟତାରେ ଗଞ୍ଜାମ ଉପକୂଳକୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୋଟିଏ ପଟେ ପ୍ରଶାସନର ଅକ୍ଳାନ୍ତ ପରିଶ୍ରମ, ଆଉ ଅନ୍ୟପଟେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଅତୁଟ ବିଶ୍ୱାସ । ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ବାନା ଉଡ଼ାଇ ଲାଇଫ୍ ଗାର୍ଡମାନେ ଓଡ଼ିଶାର ସୁରକ୍ଷା ପାଇଁ ଆକୁଳ ପ୍ରାର୍ଥନା କରିଥିବା ବେଳେ, ଖଲ୍ଲିକୋଟର ଆଶ୍ରୟସ୍ଥଳୀରେ ବି ଚାଲିଥିଲା ପୂଜାର୍ଚ୍ଚନା । ପ୍ରକୃତିର ତାଣ୍ଡବ ଆଗରେ ହାର୍ ମାନିନି ମଣିଷର ସାହସ ଆଉ ପ୍ରଶାସନର ତତ୍ପରତା। ଦୁର୍ଗମ ପାହାଡ଼ରୁ ଆରମ୍ଭ କରି ଅଶାନ୍ତ ସମୁଦ୍ର ପର୍ଯ୍ୟନ୍ତ, ପ୍ରତିଟି ଜୀବନକୁ ବଞ୍ଚାଇବା ପାଇଁ ଓଡ଼ିଶା ସରକାର ଓ ଉଦ୍ଧାରକାରୀ ଦଳର ଏହି ‘ମିଶନ୍ ଜିରୋ କାଜୁଆଲିଟି’ ପୁଣି ଥରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛି ।