Odisha Floods / ବାତ୍ୟା ଅର୍ଣ୍ଣବ ପରେ ବଡ଼ ବନ୍ୟା... ଗଞ୍ଜାମ-ଗଜପତିରେ ଜଳପ୍ରଳୟ, ଗାଁରେ ପଶିଲା ପାଣି

Key Points
ବାତ୍ୟା ଅର୍ଣ୍ଣବ ପରେ ବଡ଼ ବନ୍ୟା...
ଗଞ୍ଜାମ-ଗଜପତିରେ ଜଳପ୍ରଳୟ, ଗାଁରେ ପଶିଲା ପାଣି
ବାତ୍ୟା ଚାଲିଗଲା, ହେଲେ ପଛରେ ଛାଡ଼ିଗଲା ବନ୍ୟାର ଭୟଙ୍କର ତାଣ୍ଡବ । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସୃଷ୍ଟି ହୋଇଛି ଭୟାବହ ବନ୍ୟା ସ୍ଥିତି । ଅଚାନକ ମାଡ଼ି ଆସିଥିବା ବନ୍ୟାଜଳରେ ଅନେକ ଗାଁ ଜଳମଗ୍ନ ହୋଇଥିବା ବେଳେ ଲୋକଙ୍କ ଘରଦ୍ୱାର ପାଣି ଘେରରେ ରହିଛି । ନଦୀର ଜଳସ୍ତର ବଢ଼ିବା ସହ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି ।
ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି । ଉଦୟଗିରି ଶିବମନ୍ଦିର ନିକଟରେ ହଠାତ୍ ଜଳସ୍ତର ବଢ଼ିବାରୁ ଆତଙ୍କ ଖେଳିଯାଇଛି । ଗୋଷାଣୀ ବ୍ଲକର ବାଗସଳା ଗାଁରେ ମହେନ୍ଦ୍ରତନୟା ନଦୀର ବନ୍ୟାଜଳ ପଶିଛି । ଅନ୍ୟପଟେ ପାହାଡ଼ ଧସିବା ଯୋଗୁଁ କୋଇଁପୁରରୁ ଗଙ୍ଗାବାଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ସେହିପରି ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ିବାରୁ ନେତାଜୀ ସାହି, ବରାଡ଼ି, ହାଡ଼ି ସାହି ଓ ମଠ ସାହି ଭଳି ଅଞ୍ଚଳରେ ପାଣି ପଶିଛି । ଜରାଉ ବ୍ରିଜ୍ ଓ ଋଷିକୁଲ୍ୟା ବ୍ରିଜ୍ର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି ।
ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୭.୫୦୦ ମିଟରରେ ପହଞ୍ଚିଥିବା ବେଳେ ବିପଦ ସଙ୍କେତ ୧୬.୮୩୫ ମିଟର ରହିଛି । ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି । ଏଭଳି ସଙ୍କଟ ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ୍ ସାହାଯ୍ୟରେ ବନ୍ୟାବିପନ୍ନଙ୍କୁ ଉଦ୍ଧାର କରାଯାଉଛି । ତେବେ ଲଗାଣ ବର୍ଷା ଓ ବଢ଼ୁଥିବା ନଦୀଜଳକୁ ନେଇ ତଳିଆ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଛି । ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବା ବେଳେ ଲୋକଙ୍କୁ ସତର୍କ ରହିବା ଜରୁରୀ ହୋଇପଡ଼ିଛି ।
ଏଥି ସହ ପଢନ୍ତୁ: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ 'ଅର୍ଣ୍ଣବ' ବାତ୍ୟାର ପ୍ରଭାବ… ୫୦ ଟ୍ରେନ ସହ ବିମାନ ସେବା ବାତିଲ
ସେପଟେ ଦକ୍ଷିଣ ଆଣ୍ଡାମାନ ସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତର ରୂପ ନେଇପାରେ । ଏହି ପାଣିପାଗୀୟ ପରିବର୍ତ୍ତନକୁ ନେଇ ପାଣିପାଗ ବିଭାଗର ଆକଳନ ଉପରେ ନଜର ରହିଛି ।
ଅନ୍ୟପକ୍ଷରେ, ବାତ୍ୟା ଅର୍ଣ୍ଣବର ଅବଶିଷ୍ଟାଂଶ ଦୁର୍ବଳ ହେବାରେ ଲାଗିଛି । ଏହା ଗଭୀର ଅବପାତରୁ ଦୁର୍ବଳ ହେଉଥିବା ବେଳେ ଦକ୍ଷିଣ ଛତିଶଗଡ଼ ସଂଲଗ୍ନ ଦକ୍ଷିଣ ଓଡ଼ିଶା ନିକଟରେ ଅବପାତ ଭାବେ କେନ୍ଦ୍ରୀଭୂତ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପାଗରେ ପରିବର୍ତ୍ତନ ଦେଖାଦେଇପାରେ ।
ନୂଆ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ଆଗାମୀ ଦିନଗୁଡ଼ିକରେ ରାଜ୍ୟର ପାଣିପାଗ ଉପରେ ଏହାର ପ୍ରଭାବ କିପରି ରହିବ, ତାହା ଗୁରୁତ୍ୱପୂର୍ଣ୍ଣ ହେବ । ବିଶେଷ କରି ଲଘୁଚାପର ଗତିପଥ, ଘନୀଭୂତ ହେବାର ତୀବ୍ରତା ଏବଂ ସମ୍ଭାବ୍ୟ ବର୍ଷାର ପରିମାଣ ଉପରେ ନଜର ରହିବ ।
📱 Get Argus News App
✨Related Topics
Explore more stories