Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Cold Wave vs Low Pressure / ବଳ ଗୋଟାଉଛି ଘୂର୍ଣ୍ଣିବଳୟ, ପ୍ରବଳ ଛେଚିବ

Rashmita Mishra
Browse all articles by Rashmita Mishra
·8 months ago·2 min read
ବଳ ଗୋଟାଉଛି ଘୂର୍ଣ୍ଣିବଳୟ, ପ୍ରବଳ ଛେଚିବ

Key Points

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା
ଅକ୍ଟୋବର ୨୧ରେ ବଙ୍ଗୋପସାଗରରେ ଲଘୁଚାପ, ଓଡ଼ିଶାରେ ତିନି ଦିନ ବଜ୍ରପାତ ସତର୍କତା
୨୧ ଅକ୍ଟୋବରରେ ଲଘୁଚାପ ସୃଷ୍ଟି ହେବ, ଓଡ଼ିଶାରେ ୧୯ରୁ ୨୧ ପର୍ଯ୍ୟନ୍ତ ବଜ୍ରପାତ ସତର୍କତା

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଅନୁଯାୟୀ, ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।

ରବିବାରର ମଧ୍ୟାହ୍ନ ବୁଲେଟିନ୍‌ରେ ଆଇଏମ୍‌ଡି ସୂଚନା ଦେଇଛି ଯେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଅକ୍ଟୋବର ୨୧ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।

ଆଇଏମ୍‌ଡି ଅକ୍ଟୋବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଜ୍ରପାତ ସହିତ ୩୦-୪୦ କିମି ବେଗରେ ପବନ ସମ୍ଭାବନା ଥିବା ନେଇ ସତର୍କତା ଜାରି କରିଛି। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲାରେ ବଜ୍ରପାତ ସହ ଝଡ଼ପବନର ସମ୍ଭାବନା ରହିଛି।

ଏଥି ସହ ପଢ଼ନ୍ତୁ: ଦୀପାବଳିରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିବାନୁଯାୟୀ, ୨୩ ତାରିଖରେ ଅବପାତ ସୃଷ୍ଟି ହୋଇପାରେ। କିନ୍ତୁ ବାତ୍ୟା ସୃଷ୍ଟି ନେଇ କୌଣସି ଆଶଙ୍କା ନାହିଁ। ଅବପାତ ସୃଷ୍ଟି ହେବା ପରେ ଏହାର ଦୁଇଟି ସମ୍ଭାବ୍ୟ ଦିଗ ରହିଛି । ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶର ନେଲୋର, ବିଶାଖାପାଟଣା ତଳକୁ ଉପକୂଳ ଛୁଇଁପାରେ । ଆଉ ଗୋଟେ ଦୃଶ୍ୟପଟ ହେଉଛି, ଏହା ପାଖାପାଖି ହେବା ପରେ ଉପକୂଳ ନ ଛୁଇଁ ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଆଡ଼କୁ ଯାଇପାରେ।

ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେବାର ଆଶଙ୍କା ନାହିଁ । ଏହା କେବଳ ଅବପାତରେ ହିଁ ସୀମିତ ରହିପାରେ। ରାଜ୍ୟରେ ପବନ ବି ହୋଇନପାରେ। ୨୪, ୨୫, ୨୬ ତାରିଖ ତିନି ଦିନ ମଧ୍ୟମରୁ ଭାରୀ ବର୍ଷା ହାଇପାରେ । ୨୪ ତାରିଖରେ ଉପକୂଳ ସଂଲଗ୍ନ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ୨୫ ଓ ୨୬ ତାରିଖ ପୂରା ରାଜ୍ୟରେ ବର୍ଷା ସମ୍ଭାବନା ଅଛି। ୨୭ରେ ଉଊର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ।

ସୋମବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, ରାୟଗଡ଼ା ଓ କୋରାପୁଟ ଜିଲାରେ ବଜ୍ରପାତ ସହ ଝଡ଼ପବନ ହୋଇପାରେ। ସେହିପରି ୨୧ ଅକ୍ଟୋବରରେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ବଜ୍ରପାତ ସହ ଝଡ଼ପବନ ହୋଇପାରେ।

ତେବେ ଅକ୍ଟୋବର ୨୦ ଓ ୨୧ ତାରିଖ ସକାଳେ କଳାହାଣ୍ଡି ଓ କନ୍ଧମାଳ ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ, ବଜ୍ରପାତ ସମୟରେ ବାହାରେ ନ ରହିବାକୁ ଏବଂ ସ୍ଥାନୀୟ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରିଛି।

ଅଧିକ ପଢ଼ନ୍ତୁ ପାଣିପାଗ ସମ୍ପର୍କିତ ଖବର ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave vs Low Pressure | Cyclone Forming Over Bay of Bengal, May Intensify | Argus News | Argus News