Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Weather-calamities

Heat Wave Alert / ତତଲା କଡ଼େଇରେ ସିଝୁଛି ଓଡ଼ିଶା, ୫ ଦିନ ଯାଏଁ ତାତିରୁ ନାହିଁ ତ୍ରାହି

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ତତଲା କଡ଼େଇରେ ସିଝୁଛି ଓଡ଼ିଶା, ୫ ଦିନ ଯାଏଁ ତାତିରୁ ନାହିଁ ତ୍ରାହି
Heat Wave Alert

Key Points

ଜଳୁଛି ପଶ୍ଚିମରୁ ଉପକୂଳ
୨୪ ଘଣ୍ଟା ପାଇଁ ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ
ଗ୍ରୀଷ୍ମ ପ୍ରବାହ ପାଇଁ ଅନେକ ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି
ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା । ପଶ୍ଚିମରୁ ଉପକୂଳ ସବୁଠି ଏବେ ନିଆଁ ବର୍ଷୁଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଅନେକ ଜିଲ୍ଲାରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ତେବେ ତାତିରୁ ଏବେ ନିସ୍ତାର ମିଳିବା ଭଳି ଲାଗୁନି, କାରଣ ଆଗାମୀ ୫ ଦିନ ଯାଏଁ ସମାନ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି । ଖରାକୁ ଦୃଷ୍ଟିରେ ରଖି ସରକାର ଜନଗଣନା କାର୍ଯ୍ୟର ସମୟ ଅବଧିରେ ପରିବର୍ତ୍ତନ କରିଥିବା ବେଳେ କେତେକ ଜିଲ୍ଲାରେ ସ୍କୁଲ-କଲେଜକୁ ଛୁଟି ଘୋଷଣା କରାଯାଇଛି ।

ରାଜ୍ୟ ସାରା ବର୍ଷୁଛି ନିଆଁ । ପଶ୍ଚିମରୁ ଉପକୂଳ ସବୁଠି ଲାଗି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଦିନ ୧୦ଟାରୁ ଘରୁ ବାହାରିବା ହୋଇଯାଉଛି ମୁସ୍କିଲ । ଖରାର ପ୍ରକୋପ ଏତେ ଯେ ଦିନରେ ପୂରା ରାସ୍ତା ହୋଇଯାଉଛି ଖାଁ ଖାଁ । ଆଜି ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୪୧ ଡିଗ୍ରୀ ଛୁଇଁଛି ଦିନ ତାପମାତ୍ରା । ସେହିପରି ଝାରସୁଗୁଡାରେ ସର୍ବାଧିକ ୪୪.୪°C, ସମ୍ବଲପୁର ୪୩.୨°C, ହୀରାକୁଦ ୪୩°C, ରାଉରକେଲା ୪୧°C, କେନ୍ଦୁଝର ୪୦.୨°C, ଚାନ୍ଦବାଲି ୩୯.୬°C ଏବଂ ବାଲେଶ୍ୱର ୩୭.୬°C ରେକର୍ଡ କରାଯାଇଛି ତାପମାତ୍ରା । ସେପଟେ ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ନ ହେବା ସହ ପୁଣି ୨ରୁ ୩ ଡିଗ୍ରୀ ପାରଦ ବଢିପାରେ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ ।

ଆକାଶରୁ ନିଆଁ ପିଣ୍ଡୁଳା ଖସୁଥିବା ବେଳେ ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସରକାର । ରାଜସ୍ୱ ସଚିବ ଓ ଜନଗଣନା ଅଧିକାରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଜନଗଣନା କାର୍ଯ୍ୟ ବନ୍ଦ ରଖିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜନଗଣନା କାମ ଯୋଗୁଁ ଯେପରି ସ୍କୁଲରେ ଶିକ୍ଷାଦାନ ଓ ମିଡ୍-ଡେ ମିଲ୍ ପ୍ରଭାବିତ ନହୁଏ, ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି ।

ତାତିର ପ୍ରକୋପ ଯୋଗୁଁ ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳ ନେଇଛନ୍ତି ବଡ଼ ପଦକ୍ଷେପ । ସୁନ୍ଦରଗଡ଼ରେ ଆସନ୍ତାକାଲିଠୁ ୨୭ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ସହ କେନ୍ଦ୍ରାପଡ଼ାରେ ମଧ୍ୟ ଆସନ୍ତାକାଲି ଠାରୁ ଶନିବାର ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବଢିଛି ସମ୍ବଲପୁର ଜିଲ୍ଲାରେ ସ୍କୁଲ କଲେଜ ଛୁଟି । ଆସନ୍ତା ୨୭ ତାରିଖ ଯାଏ ଜିଲ୍ଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କଲେଜ ବନ୍ଦ ରହିବ ।
ଚଳିତ ବର୍ଷ ପ୍ରଥମଥର ପାଇଁ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଉପକୂଳ ଓଡ଼ିଶାରେ ୪୧ ଡିଗ୍ରୀ ଅତିକ୍ରମ କରିଛି ତାତି । ତେବେ ଆଗକୁ ଆହୁରି ୨ରୁ ୩ ଡିଗ୍ରୀ ତାପମାତ୍ରା ବଢିବା ନେଇ କରାଯାଇଛି ଆକଳନ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Heatwave Intensifies: No Relief for 5 Days, Temperature Crosses 44°C | Argus News