Videos
|
Weather-calamities

Bay of Bengal Cyclone / ପୁଣି ଆସୁଛି ବାତ୍ୟା ! ସମୁଦ୍ରରେ ଘନେଇଲା ବିପଦର କଳାବାଦଲ...ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍‌

Santosh Kumar Sahoo
Browse all articles by Santosh Kumar Sahoo
·42 mins ago·2 min read
ପୁଣି ଆସୁଛି ବାତ୍ୟା ! ସମୁଦ୍ରରେ ଘନେଇଲା ବିପଦର କଳାବାଦଲ...ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍‌
Bay of Bengal Cyclone

Key Points

ଆଗାମୀ ୬ ଘଣ୍ଟାରେ ଅବପାତ ସୃଷ୍ଟି ସମ୍ଭାବନା
ପରବର୍ତ୍ତୀ ୨୪ଘଣ୍ଟାରେ ବଙ୍ଗୋପସାଗରରେ ପୁଣି ବାତ୍ୟା ସମ୍ଭାବନା
ବାତ୍ୟା ସୃଷ୍ଟି ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ
ବଙ୍ଗୋପସାଗରରେ ପୁଣି ଏକ ବାତ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ସମୁଦ୍ର ମଝିରେ ସୃଷ୍ଟି ହୋଇଥିବା ସୁସ୍ପଷ୍ଟ ଲଘୁଚାପଟି ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାପରେ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏହା ଏକ ବାତ୍ୟାରେ ପରିଣତ ହୋଇପାରେ ।



ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟାର ରୂପ ନେବା ପରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି । ତେବେ ଏହି ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ସମ୍ଭାବ୍ୟ ବାତ୍ୟା ୨ ତାରିଖ ବିଳମ୍ବିତ ରାତି କିମ୍ବା ୩ ତାରିଖ ସକାଳ ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି । ତେବେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ରହିଛି । ଏହି ପାଣିପାଗ ପ୍ରଣାଳୀ ସିଧାସଳଖ ଓଡ଼ିଶା ଆଡ଼କୁ ଆସୁନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ ।

ଆସନ୍ତା ୩ ଓ ୪ ତାରିଖରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।

ସେହିପରି ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଆଦି ଜିଲ୍ଲାରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି । ତେବେ ଏହି ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ନାହିଁ । ୫ ତାରିଖ ସୁଦ୍ଧା ବର୍ଷାର ପ୍ରଭାବ କମିଯିବା ସମ୍ଭାବନା ରହିଛି ।

ସେପଟେ ଓଡ଼ିଶା ଓ ଆନ୍ଧ୍ରରେ ଛାରଖାର ପରେ ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅର୍ଣ୍ଣବ । ଏହା ଦୁର୍ବଳ ହେବା ସହ ଏହାର ଅବଶିଷ୍ଟାଂଶ ଆଜି ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶରେ ଏକ ଲଘୁଚାପ କ୍ଷେତ୍ରରେ ସକ୍ରିୟ ରହିଛି । ଓଡ଼ିଶା ଉପରୁ ‘ଅର୍ଣ୍ଣବ’ ବିପଦ ଟଳିଥିଲେ ସୁଦ୍ଧା ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: