Videos
|
Weather-calamities

Ganjam News / ଗଞ୍ଜାମରେ ଭୟଙ୍କର ବନ୍ୟା... ପାଣି ଘେରରେ ହଜାର ହଜାର ଲୋକ, ହେଲିକପ୍ଟରରେ ହେବ ଉଦ୍ଧାର

Rashmita Mishra
Browse all articles by Rashmita Mishra
·1 hour ago·2 min read
ଗଞ୍ଜାମରେ ଭୟଙ୍କର ବନ୍ୟା... ପାଣି ଘେରରେ ହଜାର ହଜାର ଲୋକ, ହେଲିକପ୍ଟରରେ ହେବ ଉଦ୍ଧାର
Odisha Floods

Key Points

ଗଞ୍ଜାମରେ ଭୟଙ୍କର ବନ୍ୟା...
ଗଞ୍ଜାମରେ ବନ୍ୟା ସ୍ଥିତି ଗମ୍ଭୀର, ଜଳବନ୍ଦୀ ଲୋକଙ୍କୁ ଏୟାରଲିଫ୍ଟ ପାଇଁ ପ୍ରସ୍ତୁତି ।  
ପାଣି ଘେରରେ ହଜାର ହଜାର ଲୋକ, ହେଲିକପ୍ଟରରେ ହେବ ଉଦ୍ଧାର । 

ଗଞ୍ଜାମରେ ଫସିଥିବା ଲୋକଙ୍କୁ ଏୟାରଲିଫ୍ଟ ପାଇଁ ହେଉଛି ବ୍ୟବସ୍ଥା… କୋଷ୍ଟଗାର୍ଡ ସହ କଥା ହୋଇ ହେଲିକପ୍ଟରରେ ଲୋକଙ୍କୁ କରାଯିବ ସ୍ଥାନାନ୍ତରିତ । ୨ ହଜାର ଲୋକ ଜଳ ବନ୍ଦୀରେ ପ୍ରାୟ ୧୨୦ ଲୋକ ହେବେ ଏୟାରଲିଫ୍ଟ । SRCଙ୍କ କାର୍ଯ୍ୟାଳୟରେ ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା... ବ୍ରହ୍ମପୁରରେ ମନିଟର କରୁଛନ୍ତି RDC ।

ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ଉଦ୍ଧାର ଓ ସ୍ଥାନାନ୍ତରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ପରିସ୍ଥିତିର ଗମ୍ଭୀରତାକୁ ଦେଖି ଜଳବନ୍ଦୀରେ ଫସିଥିବା ଲୋକଙ୍କୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରିବାକୁ ଯୋଜନା କରାଯାଉଛି ।

ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ଏୟାରଲିଫ୍ଟ ପାଇଁ କୋଷ୍ଟଗାର୍ଡ ସହ ଆଲୋଚନା କରାଯାଇଛି । ଜଳବନ୍ଦୀରେ ଥିବା ପ୍ରାୟ ୨ ହଜାର ଲୋକଙ୍କ ମଧ୍ୟରୁ ପ୍ରାୟ ୧୨୦ ଜଣଙ୍କୁ ହେଲିକପ୍ଟର ମାଧ୍ୟମରେ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ ବ୍ୟବସ୍ଥା ହେଉଛି । ଗଞ୍ଜାମ ଜିଲ୍ଲାର ଚାରିଟି ସ୍ଥାନରେ ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି ।

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍‌ର ୨୯୯ଟି ଗାଁର ପ୍ରାୟ ୪୪ ହଜାର ୫୦୦ ଲୋକ ବର୍ଷା ଓ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏହି ସ୍ଥିତି ଉପରେ ବ୍ରହ୍ମପୁରରେ ରହି ଆର୍‌ଡିସି ନଜର ରଖିଛନ୍ତି । ଏଥିସହ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରାଯାଇଛି ।

 ଏଥି ସହ ପଢନ୍ତୁ:  ବାତ୍ୟା ଅର୍ଣ୍ଣବ ପରେ ବଡ଼ ବନ୍ୟା... ଗଞ୍ଜାମ-ଗଜପତିରେ ଜଳପ୍ରଳୟ, ଗାଁରେ ପଶିଲା ପାଣି

ଅନ୍ୟପଟେ, ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ରେଳବ୍ରିଜ୍‌ ଉପରେ ପାଣି ଚାଲୁଥିବାରୁ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଛି । ରେଳଯାତ୍ରୀଙ୍କୁ ଷ୍ଟେସନ୍‌ରେ ଆବଶ୍ୟକ ସୁବିଧା ଯୋଗାଇଦେବା ସହ ରାସ୍ତା ଉପଲବ୍ଧ ଥିବା ସ୍ଥାନକୁ ଯାତ୍ରୀଙ୍କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଛି । ବର୍ଷାର ପରିମାଣ କମିଲେ ପରିସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।

ଗଜପତି ଜିଲ୍ଲାରେ ବନ୍ୟା ସ୍ଥିତି ଅଧିକ ଚିନ୍ତାଜନକ ହୋଇପଡ଼ିଛି । ଉଦୟଗିରି ଶିବମନ୍ଦିର ନିକଟରେ ହଠାତ୍ ଜଳସ୍ତର ବଢ଼ିବାରୁ ଆତଙ୍କ ଖେଳିଯାଇଛି । ଗୋଷାଣୀ ବ୍ଲକର ବାଗସଳା ଗାଁରେ ମହେନ୍ଦ୍ରତନୟା ନଦୀର ବନ୍ୟାଜଳ ପଶିଛି । ଅନ୍ୟପଟେ ପାହାଡ଼ ଧସିବା ଯୋଗୁଁ କୋଇଁପୁରରୁ ଗଙ୍ଗାବାଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ସେହିପରି ଗଞ୍ଜାମ ଜିଲ୍ଲାର ସୋରଡ଼ାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ଋଷିକୁଲ୍ୟା ନଦୀର ଜଳସ୍ତର ବଢ଼ିବାରୁ ନେତାଜୀ ସାହି, ବରାଡ଼ି, ହାଡ଼ି ସାହି ଓ ମଠ ସାହି ଭଳି ଅଞ୍ଚଳରେ ପାଣି ପଶିଛି । ଜରାଉ ବ୍ରିଜ୍ ଓ ଋଷିକୁଲ୍ୟା ବ୍ରିଜ୍‌ର ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତା ବଢ଼ିଛି ।

ପୁରୁଷୋତ୍ତମପୁରରେ ଋଷିକୁଲ୍ୟା ନଦୀର ଜଳସ୍ତର ୧୭.୫୦୦ ମିଟରରେ ପହଞ୍ଚିଥିବା ବେଳେ ବିପଦ ସଙ୍କେତ ୧୬.୮୩୫ ମିଟର ରହିଛି । ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ଉପରେ ପ୍ରବାହିତ ହେଉଛି । ଏଭଳି ସଙ୍କଟ ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ବୋଟ୍ ସାହାଯ୍ୟରେ ବନ୍ୟାବିପନ୍ନଙ୍କୁ ଉଦ୍ଧାର କରାଯାଉଛି । ତେବେ ଲଗାଣ ବର୍ଷା ଓ ବଢ଼ୁଥିବା ନଦୀଜଳକୁ ନେଇ ତଳିଆ ଅଞ୍ଚଳର ଲୋକଙ୍କ ଚିନ୍ତା ବଢ଼ିଛି । ବନ୍ୟା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିଥିବା ବେଳେ ଲୋକଙ୍କୁ ସତର୍କ ରହିବା ଜରୁରୀ ହୋଇପଡ଼ିଛି ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: