Videos
|
Weather-calamities

Odisha Cyclone Preparedness / ବାତ୍ୟା ମୁକାବିଲା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ୨୬ରୁ ପ୍ରବଳ ବର୍ଷା ! ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

Santosh Kumar Sahoo
Browse all articles by Santosh Kumar Sahoo
·31 mins ago·2 min read
ବାତ୍ୟା ମୁକାବିଲା ପାଇଁ ଆକ୍ସନ୍ ମୋଡ୍‌ରେ ରାଜ୍ୟ ସରକାର, ୨୬ରୁ ପ୍ରବଳ ବର୍ଷା ! ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
Odisha Cyclone Preparedness

Key Points

ସମ୍ଭାବ୍ୟ ବାତ୍ୟା ପାଇଁ ସରକାର ସଜାଗ
ବାତ୍ୟା ନେଇ ରାଜୀବ ଭବନରେ ହାଇଲେଭଲ୍ ବୈଠକ
କାକିନାଡାରୁ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା!
ମାଡ଼ି ଆସୁଛି ବାତ୍ୟା । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଏନେଇ ରାଜୀବ ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷ ହେବା ପରେ ରାଜସ୍ୱ ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ପାଣିପାଗ ସ୍ଥିତି ଓ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇସାରିଛି । ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୨୫ ତାରିଖରେ ଏହା ଗଭୀର ଅବପାତର ରୂପ ନେଇପାରେ । ୨୬ ତାରିଖ ସକାଳଠାରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାବେଳେ ୨୭ ତାରିଖରେ କେତେକ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଅନ୍ୟ କେତେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ତାରିଖ ବେଳକୁ ପାଣିପାଗ ସ୍ଥିତିରେ ସୁଧାର ଆସିବା ନେଇ ଆକଳନ କରାଯାଇଛି ।

ତେବେ ସମ୍ଭାବ୍ୟ ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ସେନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ଆନ୍ଧ୍ରପ୍ରଦେଶର କାକିନାଡାରୁ ଓଡ଼ିଶାର ଗୋପାଳପୁର ମଧ୍ୟରେ ଯେକୌଣସି ସ୍ଥାନରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ସମ୍ଭାବନା ରହିଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ସେହିପରି ରାଜସ୍ବ ମନ୍ତ୍ରୀ ଆହୁରି କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଯେଉଁ ଅଧିକାରୀଙ୍କର ଆସନ୍ତାକାଲି ଛୁଟି ଥିଲା, ସେମାନଙ୍କୁ ତୁରନ୍ତ କାର୍ଯ୍ୟସ୍ଥଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ସଜାଗ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ଆସନ୍ତାକାଲି ସକାଳ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ପରିସ୍ଥିତି ଅନୁଯାୟୀ ଯେଉଁ ଅଞ୍ଚଳରେ ଆବଶ୍ୟକ ପଡ଼ିବ, ସେଠାରୁ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ।

ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି । ସେଠାରେ ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଓ ଔଷଧର ବ୍ୟବସ୍ଥା କରାଯାଇଛି । ଏହାସହ ପର୍ଯ୍ୟାପ୍ତ ପରିମାଣର ପଶୁଖାଦ୍ୟ ମହଜୁଦ ରଖାଯାଇଥିବାବେଳେ ପଶୁସମ୍ପଦର ସୁରକ୍ଷା ପାଇଁ ବିଶେଷଜ୍ଞମାନଙ୍କୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସମସ୍ତ ପ୍ରକାରର ଆଗୁଆ ପଦକ୍ଷେପ ଗ୍ରହଣ କରୁଥିବାବେଳେ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖାଯାଇଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି ।