ଲାନିନା ଆଣୁଛି ବଡ଼ ବିପଦ, ଅକ୍ଟୋବରରେ ପୁଣି ଓଡ଼ିଶାରେ ହୋଇପାରେ ବାତ୍ୟା !

Key Points
ପୁଣି ଡରାଇଲାଣି ବାତ୍ୟା । ଚିନ୍ତା ବଢ଼ାଇଲା ଜଳବାୟୁ ପ୍ରକ୍ରିୟା ଲା-ନିନାର ସକ୍ରିୟତା। ଅକ୍ଟୋବରରେ ଓଡ଼ିଶାକୁ ବାତ୍ୟା ଭୟ।
ବାତ୍ୟାପ୍ରବଣ ମାସ ଅକ୍ଟୋବର । ଏହି ମାସ ଆସିଲେ ସମସ୍ତଙ୍କ ମନରେ ବାତ୍ୟାକୁ ନେଇ ଛନକା ପଶେ । ଆଉ ସେହି ଡର ପୁଣି ଘନେଇଲାଣି । କାହିଁକି ନା ଏବେ ସକ୍ରିୟ ରହିଛି ଲାନିନା । ଯାହାଫଳରେ ବଢ଼ୁଛି ବାତ୍ୟା ଭୟ । ପୂର୍ବରୁ ମଧ୍ୟ ଲାନିନା ଏକାଧିକ ବଡ଼ ବାତ୍ୟା ଆଣିଛି । ଅକ୍ଟୋବରରୁ ଡିସେମ୍ବର ଓଡ଼ିଶା ପାଇଁ ବିପଦ ।
୧୫ ସେପ୍ଟେମ୍ବର ବେଳକୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ହୋଇଥିବା ବେଳେ ଏହି ସମୟରେ କିଛି କାରକ ଚଳିତ ବର୍ଷ ବାତ୍ୟା ଆଶଙ୍କା ସହ ବାତ୍ୟା ବାତାବରଣକୁ ଅନୁକୂଳ କରିଛି । ନେଗେଟିଭ୍ ଆଇଓଡି ଓ ଲାନିନା ସକ୍ରିୟ ରହିଲେ ବାତ୍ୟା ସୃଷ୍ଟି ନିମନ୍ତେ ପରିବେଶକୁ ଅନୁକୂଳ କରିଥାଏ । ସାମୁଦ୍ରିକ ତାପମାତ୍ରା ୨୬.୫ ଡିଗ୍ରୀରୁ ଅଧିକ ରହିଲେ ଏହା ମଧ୍ୟ ବାତ୍ୟା ସୃଷ୍ଟି ସାଙ୍ଗକୁ ବାତ୍ୟାକୁ ଅଧିକ ଘନୀଭୂତ କରାଏ ।
ଚଳିତ ବର୍ଷ ଏହି ସବୁ ସ୍ଥିତି ଅନୁକୂଳ ରହୁଥିବାରୁ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଦୃଢ଼ୀଭୂତ କରିଛି। ବିଶ୍ୱ ପାଣିପାଗ ସଂସ୍ଥା ସହ ଅନେକ ପାଣିପାଗ ବିଜ୍ଞାନୀ ଭାରତର ପୂର୍ବ ଉପକୂଳ ଓ ବିଶେଷ କରି ଆନ୍ଧ୍ରରୁ ପଶ୍ଚିମବଙ୍ଗ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଯାହା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଛି ଓ ଅକ୍ଟୋବର ୧ରୁ ବାତ୍ୟା ଋତୁ ଓଡ଼ିଶା ପାଇଁ ବିପଦ ଆଣିପାରେ ବୋଲି ଆକଳନ କରାଯାଉଛି ।
ପୂର୍ବରୁ ଲାନିନା ପ୍ରଭାବ ଯୋଗୁଁ ଓଡ଼ିଶା ୧୯୯୯ରେ ସୁପର ସାଇକ୍ଲୋନ ସମ୍ମୁଖିନ ହୋଇଥିଲା । ସେହିପରି ୨୦୦୯ ଅଇଲା, ୨୦୧୮ର ତିତିଲି, ୨୦୨୧ରେ ଗୁଲାବ ଏବଂ ଜୱାଦ, ୨୦୨୨ର ଅସାନି ଭଳି ବାତ୍ୟା ଲାନିନା ସକ୍ରିୟ ରହିଥିବା ବର୍ଷରେ ସୃଷ୍ଟି ହୋଇଛି। ସେହିପରି ପ୍ରାକ୍ ମୌସୁମୀ ଋତୁରେ ଆସିଥିବା ବାତ୍ୟାଗୁଡ଼ିକ ମଧ୍ୟରୁ ୨୦୧୯ ରେ ଆସିଥିବା ଫନି, ୨୦୨୦ରେ ଅମ୍ପନ, ୨୦୨୧ର ୟସ ଭଳି ବାତ୍ୟା ମଧ୍ୟ ଲାନିନା ବର୍ଷରେ ସୃଷ୍ଟି ହୋଇଛି । ଏହାଦ୍ୱାରା ଓଡ଼ିଶା ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।
ଅନ୍ୟପଟେ ଗତ ୬୦ ବର୍ଷ ମଧ୍ୟରେ ବଙ୍ଗୋପସାଗର ଓ ଆରବ ସାଗରରେ ବାତ୍ୟା ସଂଖ୍ୟା ବଢ଼ି ଚାଲୁଥିବା ନେଇ ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି। ଏହି ବାତ୍ୟାଗୁଡ଼ିକ ଉଭୟ ମୌସୁମୀ ପୂର୍ବବର୍ତ୍ତିକାଳୀନ ଓ ପରବର୍ତ୍ତିକାଳୀନ ସମୟରେ ସୃଷ୍ଟି ହେଉଛି। ସେହିପରି ଭୀଷଣ ବାତ୍ୟା କିମ୍ୱା ଏହାଠାରୁ ଅଧିକ ଶକ୍ତିଶାଳୀ ହେଉଥିବା ବାତ୍ୟାଗୁଡ଼ିକ ସଂଖ୍ୟା ମୌସୁମୀ ପରବର୍ତ୍ତୀକାଳନୀ ସମୟରେ ବଙ୍ଗୋପସାଗରରେ ବୃଦ୍ଧି ପାଇଛି। ଏ ଦୃଷ୍ଟିରୁ ଆଗାମୀ ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ସମୟ ସୃଷ୍ଟି ପାଇଁ ଯାଉଥିବା ଆଶଙ୍କା ରହିଥିବା ବେଳେ ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକାଙ୍କ ପ୍ରତିକ୍ରିୟା ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ପ୍ରାୟତଃ ବାତ୍ୟା ସଂଗଠିତ ହୋଇଥାଏ, କିନ୍ତୁ ଏବେ ଠାରୁ ଆକଳନ କରିହେବ ନାହିଁ ଆଗକୁ ବାତ୍ୟା ହେବ କି ନାହିଁ ।