Videos
|
Weather-calamities

Odisha Weather Update / ପୁଣି ଆସୁଛି ଲଘୁଚାପ ! ଓଡ଼ିଶା ପାଣିପାଗରେ ହେବ ବଡ଼ ପରିବର୍ତ୍ତନ

Santosh Kumar Sahoo
Browse all articles by Santosh Kumar Sahoo
·34 mins ago·2 min read
ପୁଣି ଆସୁଛି ଲଘୁଚାପ ! ଓଡ଼ିଶା ପାଣିପାଗରେ ହେବ ବଡ଼ ପରିବର୍ତ୍ତନ
Weather Update

Key Points

ପୁଣି ଘାରିଲା ଲଘୁଚାପ ଚିନ୍ତା !
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା
କେଉଁ ଦିଗକୁ ଯିବ, କେତେ ରହିବ ପ୍ରଭାବ ?
ପୁଣି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଅକ୍ଟୋବର ୨୨ରୁ ୨୭ ତାରିଖ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି । ତେବେ ଏହାର ପ୍ରଭାବ ଓ ଗତିପଥ ନେଇ ଏବେଠାରୁ ସ୍ପଷ୍ଟ ଚିତ୍ର ମିଳିନାହିଁ । ସେପଟେ ଟ୍ରପ୍ ଲାଇନ୍ ଓ ଉପର ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ଯାଏଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ସମ୍ଭାବନା ରହିଛି ।

ପୁଣି ଆସୁଛି ଆଉ ଏକ ଲଘୁଚାପ ! ଅକ୍ଟୋବର ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଭାରତୀୟ ପାଣିପାଗ ବିଭାଗର ଦୀର୍ଘମିଆଦୀ ପୂର୍ବାନୁମାନରେ ଏଭଳି ସମ୍ଭାବନା ରହିଛି । ତେବେ ୨୨ ତାରିଖ ପରେ ହିଁ ଏହାର ସ୍ଥିତି ଓ ପ୍ରଭାବ ସମ୍ପର୍କରେ ଅଧିକ ସ୍ପଷ୍ଟ ଆକଳନ କରାଯାଇପାରିବ । ସେପଟେ ଟ୍ରପ୍ ଲାଇନ୍ ଓ ଉପରି ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ସମ୍ଭାବନା ରହିଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଏବଂ ୧୮ ତାରିଖରେ ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନ ସମ୍ଭାବନା ରହିଛି । ତେବେ ୧୯ ତାରିଖ ପରେ ବର୍ଷାର ପ୍ରଭାବ କମିବା ନେଇ ଆକଳନ କରାଯାଇଛି ।

ଏପଟେ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁସାରେ, ୧୬ରୁ ୧୮ ଅକ୍ଟୋବର ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ତେବେ ୧୯ ଅକ୍ଟୋବରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବା ସମ୍ଭାବନା ରହିଛି । ବିଜୟାଦଶମୀ ଏବଂ କୁମାର ପୂର୍ଣ୍ଣିମାରେ ମଧ୍ୟ ପାଗ ସାଧାରଣତଃ ଅନୁକୂଳ ରହିପାରେ । ଅନ୍ୟପଟେ, ଅକ୍ଟୋବର ୨୨ରୁ ୨୪ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ୨୫ରୁ ୨୬ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ହୋଇପାରେ ।

ତେବେ ଆସନ୍ତା ୧୯ ତାରିଖ ପରେ ପାଗ ଶୁଖିଲା ରହିବା ସମ୍ଭାବନା ଥିବାବେଳେ, ୨୨ ତାରିଖ ପରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ପ୍ରଭାବ ଉପରେ ରହିବ ସମସ୍ତଙ୍କ ନଜର ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: