Weather Update / ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି ! ଟଳିଲା ଲଘୁଚାପ ଭୟ, ତଥାପି ୩ ଦିନ ବର୍ଷା ସମ୍ଭାବନା

Key Points
ଜମିବ ଦଶହରା ପୂଜା ! ଦୁର୍ବଳ ହେଲା ଘୂର୍ଣ୍ଣିବଳୟ, କମିଲା ବର୍ଷା ଭୟ
ପୂଜାରେ ବର୍ଷା ହେବ ନା ନାହିଁ ? ଜାଣନ୍ତୁ ପାଣିପାଗ ବିଭାଗର ବଡ଼ ଅପଡେଟ୍
ରାଜ୍ୟବାସୀଙ୍କୁ ବଡ଼ ଆଶ୍ୱସ୍ତି ! ଟଳିଲା ଲଘୁଚାପ ଭୟ, ତଥାପି ୩ ଦିନ ବର୍ଷା ସମ୍ଭାବନା
ଲଘୁଚାପ ଆଶଙ୍କା ଟଳିବା ପରେ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି । ଚଳିତ ଦୁର୍ଗାପୂଜାରେ ବର୍ଷା ଆଶଙ୍କା ନେଇ ଦେଖାଦେଇଥିବା ଚିନ୍ତା କିଛି ମାତ୍ରାରେ ହ୍ରାସ ପାଇଛି। ଫଳରେ ରାଜ୍ୟରେ ଧୁମ୍ଧାମ୍ରେ ଦଶହରା ପୂଜା ପାଳନ ହେବା ନେଇ ଆଶା ବଢ଼ିଛି । ତେବେ ପଶ୍ଚିମା ଝଡ଼ ଓ ପୂର୍ବାଳି ବାୟୁର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ଜାରି ରହିଛି ।
ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଗତକାଲି ସକାଳୁ ଦୁର୍ବଳ ହୋଇ ନିଶ୍ଚିହ୍ନ ହୋଇଯାଇଛି । ଏହା ପୂର୍ବରୁ ଅକ୍ଟୋବର ୧୩ ତାରିଖ ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । କିନ୍ତୁ ଘୂର୍ଣ୍ଣିବଳୟ ଦୁର୍ବଳ ହେବା ପରେ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ହ୍ରାସ ପାଇଛି ।
ଅନ୍ୟପଟେ ପଶ୍ଚିମା ଝଡ଼ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗରେ ପରିବର୍ତ୍ତନ ଦେଖାଦେଇଛି । ଆକାଶ ମେଘୁଆ ରହିବା ସହ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ଲଘୁଚାପ ଆଶଙ୍କା କମିଥିଲେ ମଧ୍ୟ ପୂର୍ବାଳି ବାୟୁ ପ୍ରଭାବରେ ପାଣିପାଗରେ ଅସ୍ଥିରତା ଜାରି ରହିଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି ।
ସେହିପରି ଅକ୍ଟୋବର ୧୫ ତାରିଖରେ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ହୋଇପାରେ । ତେଣୁ ପୂଜା ଆୟୋଜକ ଓ ଶ୍ରଦ୍ଧାଳୁମାନଙ୍କୁ ପାଣିପାଗର ସଦ୍ୟତମ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି । ଲଘୁଚାପ ଆଶଙ୍କା କମିଥିବାରୁ ଦଶହରା ଉତ୍ସବକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।
📱 Get Argus News App
✨Related Topics
Explore more stories