Videos
|
Weather-calamities

Odisha Weather Update / ରାଜ୍ୟରେ ଶୀତର ଲହରୀ, ୨ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା

Santosh Kumar Sahoo
Browse all articles by Santosh Kumar Sahoo
·58 mins ago·2 min read
ରାଜ୍ୟରେ ଶୀତର ଲହରୀ, ୨ରୁ ୩ ଡିଗ୍ରୀ କମିବ ରାତି ତାପମାତ୍ରା
Cold Wave

Key Points

ଓଡ଼ିଶାକୁ ଫେରିଲା ଶୀତ
ଆଗାମୀ ୨ ଦିନରେ ଆହୁରି ଖସିବ ପାରଦ
ଭୁବନେଶ୍ୱରରେ ୩ ଦିନରେ ୭.୬ ଡିଗ୍ରୀ ଖସିଲା ପାରଦ
ଭୁବନେଶ୍ବର: ବିଳମ୍ବରେ ରାଜ୍ୟକୁ ଫେରିଛି ଶୀତ । ମୌସୁମୀ ସମୟରେ ଅଧିକ ବର୍ଷା ଏବଂ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ଯୋଗୁଁ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ଅଧିକ ରହିଥିଲା । ମାଟିରେ ଆର୍ଦ୍ରତା ଅଧିକ ରହିବାରୁ କୁହୁଡ଼ି ସୃଷ୍ଟି ହେଉଥିଲା । ଫଳରେ ରାତିର ତାପମାତ୍ରା ହ୍ରାସ ପାଇବାରେ ବାଧା ଉପୁଜୁଥିଲା । କିନ୍ତୁ ବର୍ତ୍ତମାନ ଆକାଶ ଧୀରେ ଧୀରେ ନିର୍ମଳ ହେବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ କମୁଛି । ଏହାସହ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ପବନ ପ୍ରବାହିତ ହେଉଥିବାରୁ ରାଜ୍ୟରେ ପାରଦ ଖସିବାରେ ଲାଗିଛି ।

ସେପଟେ ଆଗାମୀ ୨ ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ମଧ୍ୟରେ ୭.୬°C ତାପମାତ୍ରା ତଳକୁ ଖସିଲା ପାରଦ । ୨୪ ତାରିଖରେ ରାତ୍ରି ତାପମାତ୍ରା ୨୫°C ରେକର୍ଡ କରାଯାଇଥିଲା ବେଳେ ୨୫ ନଭେମ୍ବରରେ ୨୨.୨°C ଓ ଗତକାଲି ୨୬ ନଭେମ୍ବରରେ ୨୧.୨°C ଓ ଆଜି ସକାଳ ୫.୩୦ ସୁଦ୍ଧା ୧୭.୪°C ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଏବେଠାରୁ ଆଗାମୀ ୧୦ ଦିନ ମଧ୍ୟରେ ଏଭଳି ବାୟୁ ପ୍ରବାହର ସମ୍ଭାବନା ନଥିବାରୁ ଶୀତର ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
ଅନ୍ୟପଟେ ପ୍ରଥମ ଥର ୧୦°C ତଳକୁ ଖସିଲା ପାରଦ । ଆଜି ଜି.ଉଦୟଗିରି ଠାରେ ୮.୬°C ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡି ୧୧.୫°C, ଝାରସୁଗୁଡା ୧୧.୮°C, ଫୁଲବାଣୀ ୧୨°C, କେନ୍ଦୁଝର ୧୩.୪°C, ରାଉରକେଲା ଓ ସେମିଳିଗୁଡା ୧୩. ୬°C, କୋରାପୁଟ ଓ ଭବାନୀପାଟଣା ୧୪°C, ବଲାଙ୍ଗୀର ୧୪.୩°C, ଦେବଗଡ଼ ୧୪. ୪°C, ସମ୍ବଲପୁର ୧୪. ୮°C ରେକର୍ଡ କରାଯାଇଛି ।

ବର୍ତ୍ତମାନ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ ଓ ଅନୁଗୋଳର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ କୁହୁଡ଼ି ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଗାମୀ ଦିନରେ ଶୀତର ପ୍ରକୋପ କେତେ ବଢ଼ିବ ଏବଂ ଘୂର୍ଣ୍ଣିବଳୟର ପ୍ରଭାବ ଓଡ଼ିଶା ଉପରେ କ'ଣ ରହିବ, ତାହା ପାଣିପାଗ ବିଭାଗର ପରବର୍ତ୍ତୀ ଆକଳନରୁ ସ୍ପଷ୍ଟ ହେବ ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: