Videos
|
Weather-calamities

Possible Cyclone / ଆନ୍ଧ୍ର ଉପକୂଳ ନା ଦକ୍ଷିଣ ଓଡ଼ିଶା, କୁଆଡେ ମୁହାଁଇବ ସମ୍ଭାବ୍ୟ ବାତ୍ୟା ?

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆନ୍ଧ୍ର ଉପକୂଳ ନା ଦକ୍ଷିଣ ଓଡ଼ିଶା, କୁଆଡେ ମୁହାଁଇବ ସମ୍ଭାବ୍ୟ ବାତ୍ୟା ?
Possible Cyclone

Key Points

ଆନ୍ଧ୍ର ମୁହାଁ ହୋଇପାରେ ସମ୍ଭାବ୍ୟ ବାତ୍ୟା
ଦକ୍ଷିଣ ଓଡ଼ିଶାରେ ପଡ଼ିପାରେ ପ୍ରଭାବ
ଆଣ୍ଡାମାନ ସାଗରରେ ପ୍ରବେଶ କରିଛି ଘୂର୍ଣ୍ଣିବଳୟ
ଅନ୍ତର୍ଜାତୀୟ ପାଣିପାଗ ମଡେଲର ଆକଳନ ଅନୁସାରେ, ବର୍ତ୍ତମାନ ଆଣ୍ଡାମାନ ଉପସାଗରକୁ ପ୍ରବେଶ କରିସାରିଥିବା ଘୂର୍ଣ୍ଣିବଳୟଟି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବା ସହ ଏହାର ଗତି ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଆ ଆଡକୁ ରହିପାରେ । ଯଦିଓ ଦେଶର ସଵୁଠାରୁ ନିର୍ଭରଯୋଗ୍ୟ ପାଣିପାଗ ସଂସ୍ଥା- IMD ଏନେଇ କୌଣସି ପୂର୍ବାନୁମାନ କରିନାହିଁ, କିନ୍ତୁ ଆମେରିକାର GFS ଓ ୟୁରୋପର ECMWF ଭଳି ବିଶ୍ୱସ୍ତରୀୟ ପାଣିପାଗ ମଡେଲର କେତେକ ପୂର୍ବାନୁମାନ ଅନୁଯାୟୀ, ଅବପାତ କିମ୍ବା ବାତ୍ୟାର ରୂପ ନେଇପାରେ ଲଘୁଚାପ କ୍ଷେତ୍ର । ଏପରିକି ଭାରତର ପୂର୍ବ ଉପକୂଳ ଆଡ଼କୁ ଏହାର ସମ୍ଭାବ୍ୟ ଗତିପଥକୁ ନେଇ ମଧ୍ୟ ଆକଳନ କରାଯାଇଛି ।

ଥାଇଲାଣ୍ଡ ଉପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜି ଆଣ୍ଡାମାନ ସାଗରରେ ପ୍ରବେଶ କରିଥିବାବେଳେ ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି । ଥାଇଲାଣ୍ଡ ଓ ମିଆଁମାର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର-ଆଣ୍ଡାମାନ ସାଗରକୁ ପ୍ରବେଶ କରିସାରିଛି । ପରେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ବଙ୍ଗୋପ ସାଗରରେ ପ୍ରବେଶ କରିବା ସମ୍ଭାବନା ରହିଛି । ୨୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ୨୪ ସୁଦ୍ଧା ଅବପାତ ଓ ୨୬ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ବୋଲି ଆନ୍ତର୍ଜାତୀୟ ମଡେଲର ଆକଳନ ।

କିନ୍ତୁ ଭାରତୀୟ ପାଣିପାଗ ବିଭାଗର ଆକନ ଅନୁଯାୟୀ, ଓଡ଼ିଶା ପାଇଁ ବର୍ତ୍ତମାନ କୌଣସି ବିପଦ ନାହିଁ ଏବଂ ସେଥିପାଇଁ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । କିନ୍ତୁ ଅକ୍ଟୋବର ୨୬ ଓ ୨୭ ତାରିଖ ବେଳକୁ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ସହ ବଜ୍ରପାତ ଏବଂ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ଝଡ଼ତୋଫାନ ବହିବାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ପାଣିପାଗ ବିଜ୍ଞାନୀ ଶରତ ଚନ୍ଦ୍ର ସାହୁ କହିଛନ୍ତି ସମ୍ଭାବ୍ୟ ବାତ୍ୟା ନେଇ ଆଗାମୀ ୨୫ ତାରିଖ ପରେ ଅଧିକ ସ୍ପଷ୍ଟ ହୋଇପାରିବ । ବାତ୍ୟା ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଛି କି ନାହିଁ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ତା'ର ଗତି ଓ ପ୍ରକୃତିକୁ ଦେଖି କହିହେବ ।

ଆଗାମୀ ୬ ରୁ ୭ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦିନ ଓ ରାତିର ତାପମାତ୍ରାରେ କୌଣସି ବଡ଼ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତଥାପି ଓଡ଼ିଶାରେ ଅକ୍ଟୋବର ବାତ୍ୟାର ପୂର୍ବ ଅନୁଭୂତି ଭୟ ଓ ଆଶଙ୍କା ବଢ଼ାଇ ଦେଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: