Weather Update / ସମ୍ବଲପୁରରେ ପ୍ରବଳ ବର୍ଷା, ସହରର ତଳିଆ ଅଞ୍ଚଳରେ ପଶିଲା ପାଣି

Key Points
ସମ୍ବଲପୁରରେ ଲଗାଣ ବର୍ଷା । ସହରର ଅନେକ ଅଂଚଳ ଜଳମଗ୍ନ । ତଳିଆ ଅଂଚଳରେ ଥିବା ଘରେ ପଶିଲା ପାଣି ।
ମା' ଜଗତଜନନୀ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ବଙ୍ଗୋପସାଗରରେ ଏବେ ଏକ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ତା’ ପଛକୁ ଦାନା ବାନ୍ଧୁଛି ଆଉ ଦୁଇଟି ଲଘୁଚାପ । ୨୫ ତାରିଖ ବେଳକୁ ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ, ପୁଣି ୩୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ରହିଛି । ତେବେ ଅକ୍ଟୋବର ୧ ତାରିଖରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେଲେ ନବମୀ ଓ ଦଶମୀରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ସେପଟେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ପ୍ରବଳ ବର୍ଷା । ସମ୍ବଲପୁରରେ ଲଗାଣ ବର୍ଷା ଯୋଗୁ ସହରର ଅନେକ ଅଂଚଳ ଜଳମଗ୍ନ । ରାଜପଥ ହେଉ କି ସହର ଅନେକ ଗଳି କନ୍ଦି ଜଳମଗ୍ନ ହେଲାଣି । ଗତକାଲି ସଂଧ୍ୟାଠୁ ଲଗାଣ ବର୍ଷା ଜାରି ରହିଛି । ସହର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିବା ସହ ପଡ଼ା ଗୁଡ଼ିକରେ ରାସ୍ତାରେ ପାଣି ପ୍ରବାହିତ ହେବା ସହ ତଳିଆ ଅଂଚଳରେ ଥିବା ଘର ଭିତରକୁ ପାଣି ପ୍ରଵେଶ କରିଛି ।
ସେପଟେ ପ୍ରବଳ ବର୍ଷା ପରେ ହୀରାକୁଦ ଡ୍ୟାମରୁ ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ଏବେ ଜଳସ୍ତର ୬୨୯.୯୭ ଫୁଟ୍ ରହିଛି । ଉପର ମୁଣ୍ଡରୁ ସେକେଣ୍ଡ ପ୍ରତି ୨ ଲକ୍ଷ ୫ ହଜାର ୪୨୬ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପ୍ରତି ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।
📱 Get Argus News App
✨ସେପଟେ ପ୍ରବଳ ବର୍ଷା ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି, ଅନୁଗୁଳ, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୋନପୁର ଓ ବୌଦ୍ଧ ଜିଲ୍ଲା ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।
ସେହିପରି ଲଗାତାର ବର୍ଷା ଫଳରେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରେ ଧସିଛି ମାଟି । ଯାହାଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ସେହିପରି ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାହାଫଳରେ ଯାହାତାୟାତ ପୂରା ଠପ ହୋଇଯାଇଛି ।
Related Topics
Explore more stories