Crime In India / ମୁମ୍ବାଇ ୨୬/୧୧ ଆତଙ୍କବାଦୀଙ୍କ ସହ ଲଢ଼ିଥିଲେ, ଏବେ ଗଞ୍ଜେଇ ଚୋରା ଚାଲାଣର କିଙ୍ଗପିନ୍; ରହିଛି ଓଡ଼ିଶା ଲିଙ୍କ୍

Key Points
ଦଶମ ପରେ ପାଠପଢ଼ା ଛାଡ଼ି ଦେଇଥିଲେ ବଜରଙ୍ଗ । କିନ୍ତୁ ୬ ଫୁଟ୍ର ଉଚ୍ଚତା ଓ ହୃଷ୍ଟପୁଷ୍ଟ ବଳୁଆ ଶରୀର ପାଇଁ ସେ BSFରେ ଭର୍ତ୍ତି ହୋଇଥିଲେ । BSFର କନଷ୍ଟେବଳ ଭାବେ ପ୍ରଥମ ଚାକିରି ପାଇଥିଲେ ।
ଜୟପୁର: ଦିନେ ଆତଙ୍କବାଦୀଙ୍କ ସହ ସିଏ ଲଢ଼ୁଥିଲେ, ଏବେ ପୋଲିସ ତାଙ୍କ ସହ ଲଢ଼ି ହାତକଡ଼ି ପକାଇଛି । ଡ୍ରଗ୍ ସ୍ମଗଲିଙ୍ଗ୍ ନେଟୱର୍କରେ ସାମିଲ NSG (ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ)ର ପୂର୍ବତନ କମାଣ୍ଡୋ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ହାତରେ ଧରା ପଡ଼ିଛନ୍ତି । ପୋଲିସ ତାଙ୍କୁ ଧରିବା ପରେ ଗଞ୍ଜେଇ ଚାଲାଣର କିଙ୍ଗପିନ୍ ଘୋଷିତ କରିଛି ।
NSGର ଏହି ପୂର୍ବତନ କମାଣ୍ଡୋ ହେଉଛନ୍ତି ବଜରଙ୍ଗ ସିଂହ । ସେ ତେଲଙ୍ଗାନା ଏବଂ ଓଡ଼ିଶାରୁ ରାଜସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ମୁମ୍ବାଇ ୨୬/୧୧ ଆତଙ୍କବାଦୀ ବିରୋଧୀ ଅପରେସନ୍ ସାମିଲ୍ ଥିବା ବଜରଙ୍ଗ ଗଞ୍ଜେଇ ଚାଲାଣ ମାମଲାରେ ଧରା ପଡ଼ିବା ପରେ ବେଶ୍ ଚର୍ଚ୍ଚା ହେଉଛି ।
ବଜରଙ୍ଗରୁ ରାଜସ୍ଥାନ ପୋଲିସ ଗିରଫ କରିଛି । ବୁଧବାର ରାତିରେ ପୋଲିସ ଚୁରୁରୁ ତାଙ୍କୁ ଗିରଫ କରିଥିବା କହିଛନ୍ତି ପୋଲିସ ଆଇଜି ବିକାଶ କୁମାର । ବଜରଙ୍ଗଙ୍କ ଠାରୁ ପୋଲିସ ୨୦୦ କେଜି ପ୍ରତିବନ୍ଧିତ ନିଶାଦ୍ରବ୍ୟ ଜବତ କରିଛି ।
ଏଥିସହ ପଢ଼ନ୍ତୁ: ଚୌଦ୍ଵାର ଜେଲ୍ରୁ ୨ କଏଦୀ ଚମ୍ପଟ ଘଟଣାରେ ଆକ୍ସନ, ସସ୍ପେଣ୍ଡ ହେଲେ ୨ ୱାର୍ଡର
ଶିକର ଜିଲ୍ଲାର ବଜରଙ୍ଗ ଅନେକ ଦିନ ପୋଲିସ ସ୍କାନରରେ ଥିଲେ । ବଜରଙ୍ଗଙ୍କୁ ଧରିବା ପାଇଁ ପୋଲିସ ୨୫ ହଜାର ଟଙ୍କାର ପୁରସ୍କାର ରାଶି ବି ଘୋଷଣା କରିଥିଲା । ଦୁଇ ମାସ ତଳେ ରାଜସ୍ଥାନ ପୋଲିସ "ଅପରେସନ୍ ଗଞ୍ଜେଇ" ଆରମ୍ଭ କରିଥିବା ବେଳେ ବୁଧବାର ରାଜ୍ୟ ଏଟିଏସ୍ ଏବଂ ଏଏନଟିଏଫ୍କୁ ସଫଳତା ମିଳିଛି ।
BSFରୁ NSG ଆଉ ବଜରଙ୍ଗ
ଦଶମ ପରେ ପାଠପଢ଼ା ଛାଡ଼ି ଦେଇଥିଲେ ବଜରଙ୍ଗ । କିନ୍ତୁ ୬ ଫୁଟ୍ର ଉଚ୍ଚତା ଓ ହୃଷ୍ଟପୁଷ୍ଟ ବଳୁଆ ଶରୀର ପାଇଁ ସେ BSFରେ ଭର୍ତ୍ତି ହୋଇଥିଲେ । BSFର କନଷ୍ଟେବଳ ଭାବେ ପ୍ରଥମ ଚାକିରି ପାଇଥିଲେ । ସେହି ସମୟରେ ବଜରଙ୍ଗ ପଞ୍ଜାବ ସହ ଆସାମ, ରାଜସ୍ଥାନ, ଓଡ଼ିଶା ଓ ପଶ୍ଚିମବଙ୍ଗରେ କାର୍ଯ୍ୟ କରିବା ସହ ସୀମାରେ ଅନୁପ୍ରବେଶକାରୀ ଏବଂ ମାଓବାଦୀଙ୍କ ସହ ଲଢ଼ିଥିଲେ ।
📱 Get Argus News App
✨
BSFରେ ଥିବା ବେଳେ ଦେଶ ସୁରକ୍ଷା ପ୍ରତି ବଜରଙ୍ଗଙ୍କ ନିଷ୍ଠା ଉଚ୍ଚ ଅଧିକାରୀଙ୍କ ଧ୍ୟାନ ଆକର୍ଷଣ କରିଥିଲା ଆଉ ସେ NSG ପାଇଁ ଚୟନ ହୋଇଥିଲେ । NSGରେ କମାଣ୍ଡୋ ଭାବେ ୭ ବର୍ଷ କାର୍ଯ୍ୟ କରିବା ସମୟରେ ୨୦୦୮ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ବିରୋଧୀ ଅପରେସନ୍ରେ ବି ସାମିଲ ହୋଇଥିଲେ ବଜରଙ୍ଗ ।
୨୦୨୧ରେ ହଠାତ୍ ବଜରଙ୍ଗ ମନ ପରିବର୍ତ୍ତନ ହୋଇଥିଲା । NSG ଛାଡ଼ି ସେ ଗାଁକୁ ପଳାଇ ଆସିଥିଲେ । ରାଜନୀତିକ ଆକାଂକ୍ଷା ତାଙ୍କୁ ରାଜସ୍ଥାନ ସ୍ଥିତ ଘରକୁ ଟାଣି ଆଣିଥିଲା । ଗୋଟିଏ ରାଜନୈତିକ ଦଳର ସକ୍ରିୟ ସଦସ୍ୟ ଭାବେ ସେ କାର୍ଯ୍ୟ କରିବା ସହ ତାଙ୍କ ସ୍ତ୍ରୀକୁ ଗାଁ ନିର୍ବାଚନରେ ଛିଡ଼ା କରାଇଥିବା ବେଳେ ସେ ହାରି ଯାଇଥିଲେ ।
ଗଞ୍ଜେଇ କିଙ୍ଗପିନ୍
ଏହା ପରେ ବଜରଙ୍ଗଙ୍କୁ ଘାରିଥିଲେ ଟଙ୍କା ନିଶା । ଆଉ ଏହି ନିଶା ସେବର ଦେଶଭକ୍ତଙ୍କୁ ଆଜି ଗଞ୍ଜେଇ ମାଫିଆ ସଜାଇ ଦେଇଛି । BSFରେ ଥିବାବେଳେ ଓଡ଼ିଶାରେ କାର୍ଯ୍ୟ କରିଥିବା ବଜରଙ୍ଗ ତାଙ୍କ ପୂର୍ବ ସାଥୀଙ୍କୁ ଯୋଗାଯୋଗ କରିବା ସହ ଗଞ୍ଜେଇ ଚାଲାଣ ଆରମ୍ଭ କରି ପ୍ରଥମେ ସଫଳତା ପାଇଥିଲେ । ଆଉ ବର୍ଷ କେଇଟାରେ ହୋଇ ଯାଇଥିଲେ କିଙ୍ଗପିନ୍ ।
ଏଥିସହ ପଢ଼ନ୍ତୁ: ପ୍ରଥମେ ୧୨ ବର୍ଷର ଝିଅକୁ ମାରିଦେଲା ମାଆ, ପରେ ହାରିଦେଲେ ନିଜ ଜୀବନ
ବଜରଙ୍ଗଙ୍କ ସିଣ୍ଡିକେଟ୍ ଏତେ ବଢ଼ି ଯାଇଥିଲା ଯେ ସେ ଛୋଟ ଡିଲ୍ କରୁନଥିଲେ । କ୍ଵିଣ୍ଟାଲ୍ କ୍ଵିଣ୍ଟାଲ୍ ଗଞ୍ଜେଇକୁ ରାଜ୍ୟ ପରେ ରାଜ୍ୟ ସୀମା ଡେଇଁ ସମସ୍ତଙ୍କୁ ଚକ୍ମା ଦେଇ ରାଜସ୍ଥାନରେ ପହଞ୍ଚାଉଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ ବିଗତ ଦିନରେ ଏକାଧିକ ମାମଲା ବି ହୋଇଥିଲା । ଏହା ପୂର୍ବରୁ ୨୦୨୩ରେ ଦୁଇ କ୍ଵିଣ୍ଟାଲ୍ ଗଞ୍ଜେଇ ସହ ହାଇଦ୍ରାବାଦରେ ଧରା ପଡ଼ି ଜେଲ୍ ଯାଇଥିଲେ ବଜରଙ୍ଗ ।
ଆଉ ଏବେ ପୁଣି ଥରେ ସେ ରାଜସ୍ଥାନ ପୋଲିସ ହାତରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି । ବାଇକ୍ରେ ଗଞ୍ଜେଇ ନେଇ ଯିବାବେଳେ ଚୁରୁ ପୋଲିସ ତାଙ୍କ ପିଛା କରିଥିଲା । ଶେଷରେ ରାଜସ୍ଥାନ ପୋଲିସକୁ ସଫଳତା ମିଳିଥିବା ବେଳେ ପୂର୍ବତନ କମାଣ୍ଡୋଙ୍କ ଗଞ୍ଜେଇ ଖେଳରେ ଯବନିକା ପଡ଼ିଛି ।