Abhijit Majumdar / ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଅବନତି, ପ୍ରାୟ ୧୭ ଦିନ ପରେ ପୁଣି ICUରେ ଭର୍ତ୍ତି

Key Points
ଅଭିଜିତଙ୍କୁ ମେଡିସିନ୍ ୱାର୍ଡରୁ ପୁଣି ଥରେ ICUକୁ ସ୍ଥାନାନ୍ତର କରାଯାଇଛି । ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ଅଭିଜିତ୍ଙ୍କୁ ICU ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ଵର: ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି । ଫଳରେ ଅଭିଜିତଙ୍କୁ ମେଡିସିନ୍ ୱାର୍ଡରୁ ପୁଣି ଥରେ ICUକୁ ସ୍ଥାନାନ୍ତର କରାଯାଇଛି । ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ଅଭିଜିତ୍ଙ୍କୁ ICU ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ବିଗତ ୨୪ ଘଣ୍ଟାରେ ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଛି । ଗତ ସେପ୍ଟେମ୍ୱର ୪ ତାରିଖରୁ ଅଭିଜିତ୍ ଭୁବନେଶ୍ଵର AIIMSରେ ଚିକିତ୍ସାଧୀନ ଅଛନ୍ତି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତଙ୍କ ସ୍ଵାସ୍ଥ୍ଯରେ ସୁଧାର ଆସିବା ପରେ ତାଙ୍କୁ ଜେନେରାଲ୍ ୱାର୍ଡକୁ ଅଣା ଯାଇଥିଲା ।
ଏଥିସହ ପଢ଼ନ୍ତୁ: ICUରୁ ବାହାରିଲେ ଅଭିଜିତ ମଜୁମଦାର, ସ୍ଵାସ୍ଥ୍ୟାବସ୍ଥା ନେଇ AIIMS ଦେଲା ବଡ଼ ସୂଚନା
ସେତେବେଳେ AIIMS ପକ୍ଷରୁ ଜାରି ବୁଲେଟିନ୍ରେ କୁହାଯାଇଥିଲା, "ଅଭିଜିତ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଭେଣ୍ଟିଲେଟର ସପୋର୍ଟ ବାହାରେ ରହିଥିଲେ । ତାଙ୍କର ରେନାଲ ଫଙ୍କସନ୍ ଏବଂ ଲିଭର ଫଙ୍କସନ ଏବେ ସ୍ଵାଭାବିକ ରହିଛି । ଇଲେକ୍ଟ୍ରୋଲାଇଟ୍ସ ଠିକ୍ କରାଯାଇଛି । ଏବେ ଅଭିଜିତଙ୍କ ଫିଜିଓଥେରାପି ଚାଲିଥିବା ବେଳେ ଅନ୍ୟ ସପୋର୍ଟିଭ୍ ବ୍ୟବସ୍ଥା କରାଯାଇଛି ।"
ଅଭିଜିତ ମଜୁମଦାରଙ୍କ ଭାଇଟାଲ୍ସ ସ୍ଥିର ରହିଥିବା ଭୁବନେଶ୍ଵର AIIMS ପକ୍ଷରୁ କୁହା ଯାଇଥିଲା । ଅଭିଜିତଙ୍କୁ ସେପ୍ଟେମ୍ବର ୨୫ ଗୁରୁବାର ସକାଳ ୧୧ଟାରେ ଆଇସିୟୁରୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । AIIMSର ଆଇସୋଲେସନ୍ ରୁମ ୨୯ ନମ୍ବର ବେଡ୍ରେ ଅଭିଜିତଙ୍କ ଚିକିତ୍ସା ଚାଲିଥିଲା ।
ଏକାଧିକ ସ୍ଵାସ୍ଥ୍ୟଗତ ସମସ୍ୟାକୁ ନେଇ ଅଭିଜିତ AIIMSରେ ଭର୍ତ୍ତି ହୋଇଥିଲେ । ସେ କିଡନୀ ରୋଗରେ ପୀଡ଼ିତ । ଅଭିଜିତଙ୍କର ରହିଛି ଅସ୍ମୋଟିକ୍ ଡିମାଏଲିନେସନ୍ ସିଣ୍ଡ୍ରୋମ, ବାଇଲେଟେରାଲ ନିମୋନିଆ, ଡିସେଲେଟ୍ରୋଲାଇଟେମିଆ ସମସ୍ୟା । ଅଭିଜିତ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତର ହୋଇଥିବା ବେଳେ ମଧ୍ୟ ସେ କୋମାରେ ଥିଲେ ।
ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରର ୬ ଦିନ ପୂର୍ବରୁ ଅଭିଜିତ ମଜୁମଦାରଙ୍କୁ ଭେଣ୍ଟିଲେଟରରୁ ବାହାର କରି ICUକୁ ଅଣାଯାଇଥିଲା । ସୂଚନା ଅନୁସାରେ, ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରୁଛନ୍ତି ।
📱 Get Argus News App
✨ଏଥିସହ ପଢ଼ନ୍ତୁ: ବିବାହ ପ୍ରସ୍ତାବ ଦେଖିବାକୁ ଆସି କାଟିଦେଲା ଯୁବତୀଙ୍କ ଗଳା
ସମ୍ଭଲପୁରୀ ଗୀତରୁ କ୍ୟାରିଅର ଆରମ୍ଭ କରି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ ଅଭିଜିତ । ୨୦୦୦ ମସିହାରେ ପ୍ରଥମ ଫିଲ୍ମ ‘କାସିଆ କପିଳା’ରେ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶନା । ଏହା ପରେ ଅଭିଜିତ ଆଉ ପଛକୁ ଫେରି ନଥିଲେ । ଓଲିଉଡକୁ ଦେଇଛନ୍ତି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଗୀତ । ୨୦୦୮ ରେ ‘ତୋ ବିନା ଭଲ ଲାଗେନା’, ୨୦୧୦ରେ ‘ତୁ ଥାଆ ମୁଁ ଯାଉଛି ରୁଷି’, ୨୦୧୨ରେ ‘ମ୍ୟାଟ୍ରିକ୍ ଫେଲ୍’, ୨୦୧୩ରେ ‘ଲଭ୍ ହେଲା ଏମିତିରେ’, ୨୦୧୪ରେ ‘ପୁଣି ଦେଖା ହେବ ଆର ଜନ୍ମରେ’, ୨୦୧୬ରେ ‘ଲଭ୍ ଷ୍ଟେସନ୍’, ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭଜିତ ।
Related Topics
Explore more stories