Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Nuapada By Election / ସନ୍ଧ୍ୟା ପୂର୍ବରୁ ନିର୍ବାଚନ ମଣ୍ଡଳି ଛାଡ଼ିବାକୁ ସବୁ ନେତାଙ୍କୁ ନିର୍ଦ୍ଦେଶ !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ସନ୍ଧ୍ୟା ପୂର୍ବରୁ ନିର୍ବାଚନ ମଣ୍ଡଳି ଛାଡ଼ିବାକୁ ସବୁ ନେତାଙ୍କୁ ନିର୍ଦ୍ଦେଶ !

Key Points

NDA ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଅନେକ ହେବିୱେଟ।
ଗୃହମନ୍ତ୍ରୀ ଅମିତ ଶାହ ଶାସାରାମ, ଅରବଲରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବେ।

ନୂଆପଡ଼ା ବିଧାନସଭା ଉପ ନିର୍ବାଚନ ପାଇଁ ରବିବାର ପ୍ରଚାରର ଶେଷ ଦିନ। ତେଣୁ ତିନି ଦଳ ଏବେ ପ୍ରଚାର ମଇଦାନରେ ଦିନ ରାତି ଏକ କରିଦେଇଛନ୍ତି। ସନ୍ଧ୍ୟା ପରେ ଆଉ କୌଣସି ବହାରିଆ ନେତା ନୂଆପଡ଼ାରେ ରହିପାରିବେନି । ଏନେଇ ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ ରହିଛି । ତେବେ ରବିବାର ସନ୍ଧ୍ୟାରେ ନିର୍ବାଚନ ସରୁଥିବାରୁ ସବୁ ଦଳ ଜୋରଦାର ପ୍ରଚାର କରିଛନ୍ତି । ଶେଷ ଦିନରେ ବି ଅଧିକରୁ ଅଧିକ ଭୋଟରଙ୍କୁ ଭେଟିବାକୁ ଚେଷ୍ଟା କରିଛନ୍ତି । ହେଲେ ଏହାରି ଭିତରେ ତିନି ହଜାର ଫୁଟ ଉଚ୍ଚରେ ରହୁଥିବା ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆଙ୍କ ପାଖରେ ଶନିବାର ଦିନ ପହଁଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଚକୋଟିଆଙ୍କ ଅଧିଷ୍ଠାତ୍ରୀ ଦେବୀ ମା ସୁନାଦେଇଙ୍କ ପାଖରେ କରିଥିଲେ ପୂଜାର୍ଚ୍ଚନା। ପରେ ସାଧାରଣ ସଭାରେ ଆଦିମ ଅଧିବାସୀଙ୍କୁ ସେମାନଙ୍କ ସମସ୍ୟା ଦୁର ପାଇଁ ଦେଇଥିଲେ ଭରସା।

ଅନ୍ୟପଟେ ରବିବାର ବିହାର ବିଧାନସଭା ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ। ନିର୍ବାଚନ ପ୍ରଚାରର ଶେଷ ଦିନରେ ସବୁ ଦଳ ପକ୍ଷରୁ କ୍ୟାମ୍ପେନ ପାଇଁ ମାଷ୍ଟର ପ୍ଲାନ ହୋଇଛି। NDA ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ଅନେକ ହେବିୱେଟ। ଗୃହମନ୍ତ୍ରୀ ଅମିତ ଶାହ ଶାସାରାମ, ଅରବଲରେ ଦୁଇଟି ଜନସଭାକୁ ସମ୍ବୋଧିତ କରିବେ।

ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ କରିବେ ପ୍ରଚାର। ଗତକାଲି ସୀତାମାଢ଼ି ଓ ବେତିୟାରେ ବିଶାଳ ଜନସଭା କରି ବିରୋଧୀଙ୍କ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। ମୋଦି କହିଛନ୍ତି, ବିହାରବାସୀ ବିରୋଧୀଙ୍କୁ ଦେଇଛନ୍ତି ୬୫ ଭୋଲ୍ଟର ଝଟକା। ସେପଟେ ପୁର୍ଣ୍ଣିୟା ଓ କଟିହାରରେ ଜନସଭା କରି NDA ବିଜୟ ନେଇ ଅମିତ୍ ଶାହ ଭରିଛନ୍ତି ହୁଙ୍କାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବି ଧୂଆଁଧାର ପ୍ରଚାର କରିଥିଲେ।

ଦେଖନ୍ତୁ ଏହି ଖବର: ପୁରୁଣା କଥା ମନେ ପକାଇଲେ ଜୟ ଢୋଲକିଆ...

ଏପଟେ ନୂଆପଡ଼ା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଲନ ପ୍ରେସମିଟ୍ କରି କହିଛନ୍ତି, "ରବିବାର ସନ୍ଧ୍ୟା ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ ।" ସେହି ୪୮ ଘଣ୍ଟା ସମସ୍ତ ନିୟମ ମାନିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ମତଦାନ ଆରମ୍ଭର ୪୮ ଘଣ୍ଟା ପୂର୍ବ ସମୟ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଯାହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନକୁ କୁହାଯାଇଛି ।

ନୀରବ ଅବଧି

ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବର ଅବଧି ଅର୍ଥାତ ନୀରବ ଅବଧି, କୌଣସି ରାଜନୈତିକ ପ୍ରଲୋଭନ କିମ୍ବା ପ୍ରଚାର ଦ୍ୱାରା ପ୍ରଭାବିତ ନ ହୋଇ, ଭୋଟରମାନଙ୍କୁ ସେମାନଙ୍କ ମତଦାନର ନିରପେକ୍ଷ ନିଷ୍ପତ୍ତି ନିର୍ଣ୍ଣୟ କରିବା ପାଇଁ ଯୋଗାଇ ଦିଆଯାଇଥାଏ । ନୀରବ ଅବଧି ପୂର୍ବରୁ, ସମସ୍ତ ପ୍ରକାରର ପ୍ରଚାର କାର୍ଯ୍ୟ ସରିବ ।

ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ପ୍ରସ୍ଥାନ

ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବଂ କାର୍ଯ୍ୟକର୍ତ୍ତା, ଯେଉଁମାନଙ୍କୁ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ବାହାରୁ ଅଣାଯାଇଥାଏ, ପ୍ରଚାର ଅବଧି ଶେଷ ହେବା ପରେ ସେମାନେ ସେହି ନିର୍ବାଚନ ମଣ୍ଡଳୀରେ ଆଉ ରହି ପାରିବେ ନାହିଁ ।

ନୂଆପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ

କ) କଲ୍ୟାଣ ମଣ୍ଡପ/କମ୍ୟୁନିଟି ହଲ୍ ଇତ୍ୟାଦିରେ କୌଣସି ବାହାର ଅଞ୍ଚଳର ଲୋକ ରହୁଛନ୍ତି କି ନାହିଁ ତାହା ଯାଞ୍ଚ କରିବେ ।
ଖ) ଲଜ୍ ଓ ଅତିଥି ଗୃହ ଗୁଡ଼ିକର ଅତିଥି ତାଲିକା ଯାଞ୍ଚ କରିବେ ।
ଗ) ସୀମାନ୍ତରେ ଚେକ୍ ପୋଷ୍ଟ ସ୍ଥାପନ କରି ନିର୍ବାଚନ ମଣ୍ଡଳୀ ବାହାରର ଯାନବାହାନ ପ୍ରବେଶ ଉପରେ ତୀକ୍ଷ୍ଣ ନଜର ରଖିବେ ।
ଘ) ନିର୍ବାଚନ ମଣ୍ଡଳୀରେ କେବଳ ସ୍ଥାନୀୟ ଭୋଟରମାନେ ରହୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ପରିଚୟ ପତ୍ର ଯାଞ୍ଚ କରିବେ ।

ଦେଖନ୍ତୁ ଏହି ଖବର: ଓଡ଼ିଆ କହି ପାରୁନଥିବାରୁ ନବୀନ ସୁନାବେଡା ଆସିନଥିଲେ: ମୁଖ୍ୟମନ୍ତ୍ରୀ

ଅସୁସ୍ଥତା କ୍ଷେତ୍ରରେ


ଯଦି କୌଣସି ରାଜନୈତିକ ବ୍ୟକ୍ତିତ୍ଵ ଚିକିତ୍ସା ନିମନ୍ତେ ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ଅକ୍ଷମତା ପ୍ରକାଶ କରନ୍ତି, ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ପରାମର୍ଶ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପ୍ରସ୍ତୁତ ଏକ ମେଡିକାଲ ବୋର୍ଡ ଦ୍ଵାରା ଯାଞ୍ଚ କରାଯିବ । ନିର୍ବାଚନ ଆୟୋଗଙ୍କ ଅନୁମୋଦନ କ୍ରମେ ସମ୍ପୃକ୍ତ ବ୍ୟକ୍ତି ଭିଡିଓ ନିରୀକ୍ଷଣ ମଧ୍ୟରେ ରହିବା ସହିତ ସମସ୍ତ ରାଜନୈତିକ କାର୍ଯ୍ୟ କଳାପରୁ ବିରତ ରହିବେ ।

ସାଧାରଣ ସଭା ଓ ପ୍ରଚାର ଉପରେ ପ୍ରତିବନ୍ଧକ

ଜନପ୍ରତିନିଧିତ୍ୱ ଆଇନ୍, ୧୯୫୧ର ଧାରା ୧୨୬ ଅନୁଯାୟୀ, ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ କୌଣସି ସାଧାରଣ ସଭା କିମ୍ବା ଶୋଭାଯାତ୍ରା ଆୟୋଜନ ହେବ ନାହିଁ । ସେଥିରେ ଯୋଗ ଦେବା କିମ୍ବା ସମ୍ବୋଧନ କରିବା ବର୍ଜନୀୟ । ସିନେମା, ଟେଲିଭିଜନ କିମ୍ବା କୌଣସି ସମାନ ଧରଣର ମାଧ୍ୟମରେ ନିର୍ବାଚନୀ ବିଷୟବସ୍ତୁ ପ୍ରଦର୍ଶନ କରାଯିବ ନାହିଁ । ଭୋଟରମାନଙ୍କୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ସଂଗୀତ, ସାଂସ୍କୃତିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ । ଏହି ସବୁ ନିୟମର ଉଲ୍ଲଂଘନ କ୍ଷେତ୍ରରେ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ, ଜରିମାନା କିମ୍ବା ଉଭୟ ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election | Last Day Of Nupada and Bihar Election Campaign | Argus News