|
logo
Live

Argus News - ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗ; କ'ଣ କହିଲା ଟାଟା ପାୱାର ?

Odisha

Tata Power / ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗ; କ'ଣ କହିଲା ଟାଟା ପାୱାର ?

Sushanta Sahoo
Browse all articles by Sushanta Sahoo
·3 months ago·2 min read
ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗ; କ'ଣ କହିଲା ଟାଟା ପାୱାର ?
Tata Power Explains Extra Security Deposit Rule

Key Points

ସୁରକ୍ଷା ଜମା କରିବାକୁ ଟାଟା ପାୱାର ପକ୍ଷରୁ ବିଜ୍ଞପ୍ତି ଜାରି ପରେ ରାଜ୍ୟ ସାରା ବିବାଦ । ବିବାଦ ତେଜିବା ପରେ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛି ଟାଟା ପାୱାର ।
ଭୁବନେଶ୍ଵର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା କରିବାକୁ ଟାଟା ପାୱାର ପକ୍ଷରୁ ବିଜ୍ଞପ୍ତି ଜାରି ପରେ ରାଜ୍ୟ ସାରା ବିବାଦ । ଉପଭୋକ୍ତା ମହାସଂଘଠୁ ନେଇ ରାଜନୈତିକ ଦଳ ମାନେ କଲେ ବଡ଼ ପ୍ରସଙ୍ଗ । ବିବାଦ ତେଜିବା ପରେ ସାମ୍ନାକୁ ଆସି ସ୍ପଷ୍ଟୀକରଣ ରଖିଛି ଟାଟା ପାୱାର । ଟାଟା ପାୱାର ପକ୍ଷରୁ କୁହାଯାଇଛି-

୧) ଯଦି ଜଣେ ଉପଭୋକ୍ତାଙ୍କ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ପାଇଛି, ତେବେ ପୂର୍ବରୁ ଥିବା ସୁରକ୍ଷା ଜମା ଅର୍ଥାତ୍ ୨ ମାସର ବିଲିଂ ପାଇଁ ଗଣନା କରାଯାଇଥିବା ଦେୟ କମ୍ ପଡ଼ିଥାଏ । ତେଣୁ ଉପଭୋକ୍ତାଙ୍କୁ ଏହି ପାର୍ଥକ୍ୟ ରାଶିକୁ ଅତିରିକ୍ତ ସୁରକ୍ଷା ଜମା ଭାବରେ ପୈଠ କରିବାକୁ ପଡ଼ିଥାଏ ।

୨) ଯେଉଁ ଉପଭୋକ୍ତା ମାନଙ୍କର ବିଦ୍ୟୁତ୍ ବ୍ୟବହାର ୨୦୨୪-୨୫ ଆର୍ଥିକ ବର୍ଷରେ ହ୍ରାସ ପାଇଛି ଏବଂ ଫଳସ୍ୱରୂପ ସୁରକ୍ଷା ଜମା ଅଧିକ ବା ଆବଶ୍ୟକ ରାଶିର ୧୦%ରୁ ଅଧିକ ରହିଛି, ସେମାନେ ସେମାନଙ୍କ ବିଦ୍ୟୁତ୍ ବିଲରେ ଆଡଜଷ୍ଟମେଣ୍ଟ ମାଧ୍ୟମରେ ଅତିରିକ୍ତ ରାଶି ଫେରସ୍ତ ପାଇବାକୁ ଯୋଗ୍ୟ ଅଟନ୍ତି ।

ଏଥିସହ ପଢ଼ନ୍ତୁ: ଖେଳୁଥିବା ବେଳେ ଭୁଶୁଡ଼ିଲା ଘର କାନ୍ଥ; ଚାପି ହୋଇଗଲେ ୩ ଝିଅ, ଜଣେ ମୃତ

୩) ଉପଭୋକ୍ତାମାନଙ୍କୁ ସେମାନଙ୍କ ସୁରକ୍ଷା ଜମା ଉପରେ ବାର୍ଷିକ ୬.୫୦% ହାରରେ ସୁଧ ପ୍ରଦାନ କରାଯାଏ । ଏହି ସୁଧ ବାର୍ଷିକ ଭାବରେ ଉପଭୋକ୍ତାଙ୍କ ବିଦ୍ୟୁତ୍ ବିଲରେ ଆଡଜଷ୍ଟ ହୋଇଥାଏ ।

୪)
ଏହି ଜମା ଅର୍ଥ ବିଲ୍ ପୈଠରେ ଖିଲାପ ବିରୁଦ୍ଧରେ ଏକ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରେ । ଯଦି ଜଣେ ଉପଭୋକ୍ତା ବିଲ୍ ପୈଠ କରିବାରେ ଖିଲାପ କରନ୍ତି, ଯାହା ଫଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ପଡ଼ିଥାଏ, ଏଭଳି ସମୟରେ ବକେୟା ଅର୍ଥକୁ ଏହି ସୁରକ୍ଷା ଜମା ମାଧ୍ୟମରେ ଭରଣା କରାଯାଇପାରିବ ବୋଲି କହିଛି ଟାଟା ପାୱାର ।

ସେପଟେ ଟାଟା ପାୱାରର ସ୍ପଷ୍ଟୀକରଣ ଭିତରେ ମଧ୍ୟ ବିଭିନ୍ନ ସ୍ଥାନରେ ଜାରି ରହିଛି ପ୍ରତିବାଦ । ବିବାଦ ଭିତରୁ ରାଜନୈତିକ ଫାଇଦା ନେବା ଲାଗି ଟାଟା ପାୱାର ଅଫିସ ସାମ୍ନାରେ ବିଜେଡି ଆଜି ବିକ୍ଷୋଭ କରିଥିବା ବେଳେ ଜବାବ ରଖିଛି ବିଜେପି ।

ଦଳୀୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି, "ଟାଟା ପାୱାରକୁ କିଏ ଆଣିଥିଲା ? ଯାହା ବିରୋଧରେ ଆନ୍ଦୋଳନ କରୁଛନ୍ତି, ତାହାର ସ୍ରଷ୍ଟା ହେଉଛି ବିଜେଡି ଓ ନିଜେ ନବୀନ ପଟ୍ଟନାୟକ । ଟାଟା ପାୱାରକୁ ଓଡ଼ିଶାକୁ କିଏ ଆଣିଥିଲା, ତା ସହ ଚୁକ୍ତି କରିଥିଲା, ଆଇନ କିଏ ଆଣିଥିଲା ? ବିଜେଡି ସରକାର ସମୟରେ ସବୁ ହୋଇଥିଲା । ବିଜେପି ସରକାର ଉପଭୋକ୍ତାଙ୍କ ସାଙ୍ଗରେ ଅଛି । ଯାହା ଲୋକଙ୍କ ପାଇଁ ଭଲ ସେହି ହିସାବରେ ସରକାର କାମ କରୁଛନ୍ତି । କେବଳ ରାଜନୀତି କରିବା ପାଇଁ ବିଜେଡି ପ୍ରତିବାଦ ନ କରୁ ।

ଏଥିସହ ପଢ଼ନ୍ତୁ: ହିନ୍ଦୁ ଝିଅଙ୍କୁ ଫସାଇ ବଳପୂର୍ବକ ବାହା ହେଲେ ସ୍ଵାମୀଙ୍କୁ ମିଳୁଛି ୧୦ ଲକ୍ଷ; ସ୍ତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ

ରାଜ୍ୟରେ ୮୭ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ୧୬ ଲକ୍ଷ ପରିବାରରେ ସ୍ମାର୍ଟ ମିଟର ସଂଯୋଗ କରାଯାଇଛି । ମୋଟ ୮୭ ଲକ୍ଷ ଉପଭୋକ୍ତାଙ୍କ ମଧ୍ୟରୁ ୯୮ ପ୍ରତିଶତ ଉପଭୋକ୍ତା ୨ କିଲୋୱାଟରୁ କମ୍ ବିଜୁଳି ବ୍ୟବହାର କରନ୍ତି । ତେବେ ଟାଟା ପାୱାରର ସ୍ପଷ୍ଟୀକରଣ କରଣ ରଖିବା ପରେ ବିବାଦ ଥମୁଛି ନା ନାହିଁ ତାହା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tata Power: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଅତିରିକ୍ତ ସୁରକ୍ଷା ଜମା ପ୍ରସଙ୍ଗ; କ'ଣ କହିଲା ଟାଟା ପାୱାର ? | Argus News