Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Womens World Cup / ମହିଳା ବିଶ୍ବକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
ମହିଳା ବିଶ୍ବକପ୍: ଇଂଲଣ୍ଡକୁ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା

Key Points

ମହିଳା ଦିନିକିଆ ବିଶ୍ବକପ୍‌ । ଇଂଲଣ୍ଡକୁ ହରାଇ ଫାଇନାଲରେ ଦକ୍ଷିଣ ଆଫ୍ରିକା । ଆସନ୍ତାକାଲି ଦ୍ବିତୀୟ ସେମିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ ।
୨୦୨୫ ମହିଳା ଦିନିକିଆ ବିଶ୍ବକପ୍‌ ଫାଇନାଲରେ ଦକ୍ଷିଣ ଆଫ୍ରିକା । ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଦକ୍ଷିଣ ଆଫ୍ରିକା । ଇଂଲଣ୍ଡକୁ ୧୨୫ ରନ୍‌ରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲ ଟିକେଟ୍‌ ହାତେଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଲୌରା ଓ୍ବଲଭାର୍ଡ ୧୪୩ ବଲ୍‌ରେ ଦମଦାର ୧୬୯ ରନ୍‌ କରି ଏହି ବିଜୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ।

ସୂଚନା ଅନୁସାରେ, ମହିଳା ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ ୨୯ ଅକ୍ଟୋବରରେ ଇଂଲଣ୍ଡ ମହିଳା କ୍ରିକେଟ ଦଳ ଏବଂ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୧୯ ରନ୍‌ କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ ଲୌରା ଓ୍ବଲଭାର୍ଡ ସର୍ବାଧିକ ୧୬୯ ରନ୍‌ କରିଥିବା ବେଳେ ତାଜମିନ୍‌ ବ୍ରିଟ୍ସ ୪୫ ରନ୍‌ କରିଥିଲେ । ସେହିପରି ଇଂଲଣ୍ଡ ପକ୍ଷରୁ ସୋଫି ଏକଲେଷ୍ଟୋନ୍ ସର୍ବାଧିକ ୪ ଓ୍ବିକେଟ ନେଇଥିଲେ ।

ଅଧିକ ପଢ଼ନ୍ତୁ: ଭାରତକୁ କେମିତି ମିଳିବ ଏସିଆ କପ୍‌ -୨୦୨୫ ଟ୍ରଫି ? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌


୩୨୦ ରନ୍‌ର ଲକ୍ଷ୍ୟ ପିଛା କରି ଇଂଲଣ୍ଡର ଶୀର୍ଷ ତିନି ଜଣ ବ୍ୟାଟ୍ସମ୍ୟାନ୍ କୌଣସି ସ୍କୋର ନକରି ଆଉଟ୍ ହୋଇଥିଲେ। ଓପନର ଏମି ଜୋନ୍ସ, ଟାମି ବିଉମୋଣ୍ଟ ଏବଂ ତୃତୀୟ ନମ୍ବରରେ ଆସିଥିବା ହେଦର ନାଇଟ୍ ଖାତା ଖୋଲିନପାରି ପ୍ୟାଭିଲିୟନ୍ ଫେରିଥିଲେ । ଅଧିନାୟକ ନାଟ୍ ସାଇଭର ବ୍ରଣ୍ଟ ୭୬ ବଲରେ ୬୪ ରନ୍ କରିଥିବାବେଳେ ଆଲିସ୍ କ୍ୟାପସି ୭୧ ବଲ୍‌ରେ ୫୦ ରନ୍‌ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ଇଂଲଣ୍ଡକୁ ବିଜୟ କରିପାରିନଥିଲେ । ଶେଷରେ ଇଂଲଣ୍ଡ ୪୨.୩ ଓଭରରେ ମାତ୍ର ୧୯୪ ରନ୍‌ କରି ଅଲଆଉଟ ହୋଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରିଜାନ୍‌ କାପ୍‌ ସର୍ବାଧିକ ୫ ଓ୍ବିକେଟ୍ ଅକ୍ତିଆର କରିଥିଲେ ।

ତେବେ ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଆସନ୍ତାକାଲି ଦ୍ବିତୀୟ ସେମିଫାଇନାଲ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହେବ । ତେବେ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦମଦାର ଫର୍ମରେ ଥିବା ଓପନର ପ୍ରତୀକା ରାଓ୍ବଲ ଆଘାତ କାରଣରୁ ବିଶ୍ବକପ୍‌ରୁ ବାଦ୍ ପଡ଼ିଛନ୍ତି । ଏପରିସ୍ଥିତିରେ ଆସନ୍ତାକାଲିର ସେମିଫାଇନାଲ ମ୍ୟାଚ୍‌ ଭାରତ ପକ୍ଷରୁ ସ୍ମୃତି ମନ୍ଧନାଙ୍କ ସହ କିଏ ଓପନିଂ କରିବାକୁ ଆସୁଛି ତାକୁ ଅପେକ୍ଷା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Women’s World Cup 2025: South Africa Crush England to Enter Final | Argus News