ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କ ଅପୂର୍ବ ଉଦ୍ୟମ ଆଣିଲା ବିରଳ ସଫଳତା
by Argus News
Fri, Dec 01 | 7:37 p.m.

ଅର୍ଗସ ବ୍ୟୁରୋ : ୧୭ ଦିନର ଅକ୍ଲାନ୍ତ ପରିଶ୍ରମ । କେନ୍ଦ୍ର ଓ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କ ନିରନ୍ତର ଉଦ୍ୟମ । ଆଉ ଶେଷରେ ସୁସ୍ଥ ଭାବେ ନିଜ ମାତୃଭୂମିରେ ପହଞ୍ଚିଛନ୍ତି ଉତ୍ତରକାଶୀର ଶ୍ରମବୀର । ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଫସିଥିବା ୪୧ ଜଣ ଶ୍ରମିକଙ୍କ ମଧ୍ୟରେ ଥିଲେ ୫ ଜଣ ଓଡ଼ିଆ । ଏମାନଙ୍କ ଭିତରୁ ମଧ୍ୟରୁ ୪ ଜଣ ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଉ ସମ୍ପୂର୍ଣ୍ଣ ଆଶ୍ବସ୍ତ ହେବା ସହ ଅତ୍ୟନ୍ତ ଖୁସି ହୋଇଛନ୍ତି ପରିଜନ । ଗୋଟିଏ ସୁଡ଼ଙ୍ଗରେ ୧୭ ଦିନ ଯାଏଁ ଫସି ରହିଥିଲା ୪୧ ଜୀବନ । ଆଉ ସେମାନଙ୍କୁ ବଞ୍ଚାଇବା ପାଇଁ ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ପ୍ରୟାସ କରାଗଲା ଯେମିତି ଅଭିଯାନ ଚଳାଗଲା ତାହା ବିଶ୍ବରେ ବିରଳ । ଶ୍ରମିକଙ୍କ ଜୀବନ ଯେମିତି ବାଜିରେ ନ ଲାଗିବ ସେଥିପାଇଁ ଲଗାଗଲା ସମସ୍ତ କଳ ବଳ ଆଉ କୌଶଳ । 

ଅଧିକ ପଢନ୍ତୁ : ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଟନେଲରେ ଫସିଥିବା ୪ ଓଡିଆ ଶ୍ରମିକ

ନଭେମ୍ବର 12 ତାରିଖ ରାତିରେ ହେଲା ଦୁର୍ଘଟଣା । ନଭେମ୍ବର ୧୩ ତାରିଖରେ ସିଲକ୍ୟାରା ସୁଡ଼ଙ୍ଗ ଭୁଶୁଡ଼ି ୪୧ ଶ୍ରମିକ ଫସିଥିବା ଖବର ଆସିଲା । ସେବେଠାରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଆକାଶ ପାତାଳ ଏକ କରିଦେଲେ ମୋଦି ସରକାର । ଯେତେବେଳେ ଯେଉଁ ମେସିନର ଆବଶ୍ୟକତା ପଡ଼ିଲା ତାହା ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଉଠାଇ ଅଣାଗଲା । ଦିଲ୍ଲୀରୁ ନିଆଗଲା ଆମେରିକୀୟ ଅଗର ମେସିନ୍ । ପାଇପରେ ମେସିନ୍ ଫସିଲା ତ ହାଇଦ୍ରାବାଦରୁ ଅଣାଗଲା କଟର ମେସିନ୍ । ପୁଣି ଓଡ଼ିଶାର ରାଉରେକଲାରୁ ନିଆଗଲା ପାଇପ୍ । ଅପରେସନରେ ହେଲିକପ୍ଟର ଲାଗିଲା, ଏୟାରଫୋର୍ସର ବିମାନ ଲାଗିଲେ, ରେଳ ହେଉ କି ସଡ଼କ ପଥ ଯେଉଁଠାରୁ ଯାହା ଆବଶ୍ୟକ ପଡ଼ିଲା ସେ ସବୁ ସୁବିଧା ଉତ୍ତରକାଶୀ ପହଞ୍ଚାଗଲା । ଇଞ୍ଜିନିୟରଙ୍କଠାରୁ ନେଇ ଭୂତତ୍ତ୍ବ ବୈଜ୍ଞାନିକ । ଏନଡିଆରଏଫରୁ ନେଇ ଏସଡିଆରଏଫ୍ ଟିମ୍ । ବିଆରଓରୁ ନେଇ ଆଇଟିବିପି ଯାଏଁ । ପୋଲିସ ପ୍ରଶାସନରୁ ନେଇ ବାୟୁ ସେନା ଯାଏଁ ସମସ୍ତେ ନିଜ ନିଜ ମୋର୍ଚ୍ଚା ସମ୍ଭାଳିଲେ । ଚାଲିଲା ପାହାଡ଼ କଟା ଅଭିଯାନ । 

ଦିଲ୍ଲୀରୁ ନେଇ ଡେରାଡୁନ୍ ଯାଏଁ, ପିଏମଓରୁ ନେଇ ସିଏମଓ ଯାଏ, ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଯାଏଁ ସମସ୍ତେ ୨୪ ଘଣ୍ଟା ଗୋଟିଏ ମିଶନରେ କାମ କଲେ । ଟଙ୍କାର ସୁଅ ଖୋଲିଦେଲେ ଡବଲ୍ ଇଞ୍ଜିନ୍ ସରକାର । ରେସକ୍ୟୁ ଅପରେସନ୍ ଉପରେ ପ୍ରତ୍ୟକ୍ଷ ନଜର ରଖୁଥିଲା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ । ଅଭିଯାନର ଟିକିନିଖି ଖବର ନେଉଥିଲେ ନିଜେ ପ୍ରଧାନମନ୍ତ୍ରୀ । ବାରମ୍ବାର ଘଟଣାସ୍ଥଳ ଗସ୍ତ କରି ସମୀକ୍ଷା କରୁଥିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଏମିତି ସ୍ଥିତି ସହ ମୁକାବିଲାରେ ସିଦ୍ଧହସ୍ତ ଏବଂ ଏମିତି ସୁଡ଼ଙ୍ଗରୁ ଉଦ୍ଧାର ଅଭିଯାନରେ ଅନୁଭୂତି ଥିବା ବହୁ ଦେଶର ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଗଲା । ଏମାନଙ୍କ ମଧ୍ୟରେ ଥିଲେ ନରୱେ, ଥାଇଲାଣ୍ଡ, ଆମେରିକା ଓ ଅଷ୍ଟ୍ରେଲିଆର ଏକ୍ସପର୍ଟ । ଏମାନଙ୍କ ମଧ୍ୟରୁ ସବୁଠାରୁ ଯୋଗ୍ୟ ଏକ୍ସପର୍ଟ ଅଷ୍ଟ୍ରେଲିଆର ଆର୍ନଲ୍ଡ ଡିସ୍କଙ୍କୁ ତ ଅଷ୍ଟ୍ରେଲିଆରୁ ଉତ୍ତରାଖଣ୍ଡ ଡକାଗଲା । 

ଏତେ ଦିନ ଧରି ଫସିଥିବା ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ଥିଲା ପ୍ରଥମ ବଡ଼ ଚ୍ୟାଲେଞ୍ଜ । ଶ୍ରମିକଙ୍କ ପାଖରେ ଥିବା କିଛି ଖାଦ୍ୟ କିଛି ଘଣ୍ଟା ମଧ୍ୟରେ ସରିଯାଇଥିଲା । କିଛି ଦିନ ଶ୍ରମିକଙ୍କୁ ଭୋକରେ ରହିବାକୁ ହୋଇଥିଲା । ୯ ଦିନ ପରେ ଯାଇ ୬ ଇଞ୍ଚର ପାଇପ୍ ମାଧ୍ୟମରେ ଶ୍ରମିକଙ୍କ ପାଖରେ ଖାଦ୍ୟ, ପାନୀୟ ଏବଂ ଔଷଧ ପହଞ୍ଚାଗଲା । ଖାଦ୍ୟ ପହଞ୍ଚିବାର ଗୋଟିଏ ଦିନ ପରେ ସେହି ୬ ଇଞ୍ଚ ବ୍ୟାସର ପାଇପ୍ ମାଧ୍ୟମରେ ଏଣ୍ଡୋସ୍କୋପି କ୍ୟାମେରା ଓ ୱାକିଟକି ପଠାଗଲା । ଏହି ସଫଳତା ଫଳରେ ଶ୍ରମିକଙ୍କ ମନୋବଳ ବଢ଼ାଇଲା । ଉଦ୍ଧାରକାରୀ ଦଳ ବି ଅଧିକ ଜୋସରେ ଆସିଲେ । ଆଉ ଶ୍ରମିକଙ୍କ ପରିଜନଙ୍କର ବଢ଼ିଲା ଆଶା । ତା ପରେ ପାଇପ୍ ମାଧ୍ୟମରେ ଟେଲିଫୋନ୍ ତାର ସଂଯୋଗ କରାଗଲା । ପରିଜନଙ୍କ ସହ ସିଧାସଳଖ କଥାହେଲେ ଫସିଥିବା ଶ୍ରମିକ । ବାହାରେ ଥିବା ଡାକ୍ତର ଟିମ୍ ମଧ୍ୟ ଶ୍ରମିକଙ୍କ ସହ କଥାହୋଇ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ମନୋବଳ ବଢ଼ାଇଲେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ଉପଦେଷ୍ଟା, କେନ୍ଦ୍ରମନ୍ତ୍ରୀ ଭି କେ ସିଂ ଓ ଉତ୍ତରାଖଣ୍ଡ ସରକାରଙ୍କ ବହୁ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବାରମ୍ବାର ଘଟଣାସ୍ଥଳ ଗସ୍ତ କରି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରୁଥିଲେ । ହରାଇଜଣ୍ଟାଲ ଡ୍ରିଲିଂରେ ଆମେରିକୀୟ ଅଗର ମେସିନ୍ ଫସିଲା ତ ବଦଳାଗଲା ଯୋଜନା । ଉପରୁ ଭର୍ଟିକାଲ୍ ଡ୍ରିଲିଂ କରାଗଲା । ତା ସାଙ୍ଗକୁ ନିଆଗଲା ରେଟ୍ ମାଇନର୍ସଙ୍କ ସହାୟତା । ଦୀର୍ଘ ୪୦୦ ଘଣ୍ଟାର ଅପରେସନ । ସରକାରୀ କଳରୁ ନେଇ ସେନାବାହିନୀ ଯାଏଁ ସମସ୍ତଙ୍କର ଅଥକ ପ୍ରୟାସ, ଫଳରେ ଏବେ ୪୧ ଶ୍ରମିକଙ୍କ ପରିବାରରେ ଖେଳିଯାଇଛି ଖୁସି । 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ