ଅର୍ଗସ ବ୍ୟୁରୋ: ଗାଦି ମଡା ଅଫିସରଙ୍କ ଉପରେ ମୋହନ ସରକାରଙ୍କ ବଡ ଆକ୍ସନ । ବିଜେପି ସରକାରଙ୍କ ପାଣ୍ଡିଆନ କୋଟେରୀ ସଫା ଅଭିଯାନ । ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବା ଆଇଏଏସ ବାବୁଙ୍କୁ ବିଭାଗରୁ କାଢିଲେ ନୂଆ ସରକାର । ବଦଳିଲେ ପାଣ୍ଡିଆନ୍ କୋଟେରୀର ଦୁଇ ତାମିଲ ବାବୁ । ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ପଦ ସହ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦରୁ ହଟିଲେ ଜି. ମାଥିଭାଥନନ । ନଗର ଉନ୍ନୟନ ବିଭାଗରେ ୧୦ ବର୍ଷରୁ ଅଧିକ ସମୟ ହେଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵରେ ଥିଲେ ଜି. ମାଥିଭାଥନନ । ଏହାସହ ସଂସଦୀୟ ବ୍ୟାପାର ବିଭାଗରେ ୧୩ ବର୍ଷ ହେଲା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ଥିଲେ ଜି. ମାଥିଭାଥନନ ।
ଏବେ ଗୋପବନ୍ଧୁ ଟ୍ରେନିଂ ଏକାଡେମୀର ମହାନିର୍ଦ୍ଦେଶକ ଦାୟିତ୍ଵରେ ରହିବେ ତାମିଲ ବାବୁ ଜି. ମାଥିଭାଥନନ । ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ସଚିବ ଭାବେ ୨୦୧୮ରୁ ଅବସ୍ଥାପିତ ହୋଇଥିଲେ ଆଇଏଏସ ଆର. ଭିନିଲକ୍ରିଷ୍ଣା । ଏହାସହ କ୍ରୀଡା ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ଵରେ ଥିଲେ ଏହି ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସଚିବ ଭାବେ କାର୍ଯ୍ୟ କରୁଥିବା ଆର. ଭିନିଲକ୍ରୀଷ୍ଣାଙ୍କୁ କ୍ରୀଡ଼ା ଯୁବ ବ୍ୟାପାର ସଚିବ ପଦରୁ ହଟାଇ ଲ୍ୟାଣ୍ଡ ରେକର୍ଡ ଓ ସେଟଲମେଣ୍ଟର କମିଶନର ଭାବେ ନିଯୁକ୍ତ କରିଛନ୍ତି ମୋହନ ସରକାର ।
ପଦବୀର ଦୂରୁପଯୋଗ କରୁଥିବାରୁ ବିଜେଡି ସରକାରରେ ଗୋଟିଏ ଗୋଟିଏ ପଦରେ ବର୍ଷ ବର୍ଷ ଧରି ଥଇଥାନ ହୋଇଥିଲେ ଏହି ସବୁ ଖାସ୍ ଅଧିକାରୀ । ୩ ବର୍ଷ ପରେ ବଦଳି ନିୟମ ଥିବା ବେଳେ ୧୦ ବର୍ଷରୁ ବି ଅଧିକ ସମୟ ହେଲା ଗୋଟିଏ ବିଭାଗର ପଦରେ ରହିଥିଲେ କିଛି ମୁଷ୍ଟିମେୟ ଅଧିକାରୀ । ତେବେ ପ୍ରଶାସନିକ ଦାୟିତ୍ୱରେ ଥିବା ସତ୍ତ୍ୱେ ଏହି ଅଫିସର ମାନଙ୍କ ବିରୋଧରେ ବିଜେଡ଼ି ପାଇଁ ରାଜନୈତିକ ଆନୁଗତ୍ୟ ଦେଖାଉଥିବାର ଅଭିଯୋଗ ଥିଲା । ବିଜେଡ଼ି ସରକାର ସମୟରେ ଏ ଅଧିକାରୀ ମାନେ ସରକାରୀ କାମ କମ୍ କରୁଥିଲେ ବିଜେଡ଼ି ପାଇଁ ରାଜନୈତିକ କାମ ଅଧିକ କରୁଥିଲେ । ଅନେକ ଘୋଟଲାରେ ମଧ୍ୟ କିଛି ଆଇଏଏସ ଅଧିକାରୀଙ୍କ ସଂପୃକ୍ତିର ଅଭିଯୋଗ ରହିଥିଲା ।
ସୁରେନ୍ଦ୍ରକୁମାରଙ୍କୁ ସଂସଦୀୟ ବ୍ୟାପାର ସଚିବ ଦାୟିତ୍ବ ମିଳିଥିବା ବେଳେ ଶିଳ୍ପ ବିଭାଗର ସଚିବ ଥିବା ହେମନ୍ତ ଶର୍ମାଙ୍କୁ ଏମଏସଏମଇର ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି .. ରାଜ୍ୟପାଳଙ୍କ ସଚିବ ଥିବା ଶାଶ୍ବତ ମିଶ୍ରଙ୍କୁ ଅର୍ଥ ଓ ଶକ୍ତି ବିଭାଗର ସଚିବ ଭାବେ ଦାୟିତ୍ବ ଦିଆଯାଇଛି.. ଉଷାପାଢୀଙ୍କୁ ମିଳିଛି ଗୃହ ଓ ନଗର ଉନ୍ନୟନ ସଚିବ ଦାୟିତ୍ବ... କେବଳ ଆଇଏସ ନୁହେଁ, ନିର୍ବାଚନ ସମୟରେ ବିଜେଡିର ହାତବାରିସି ସାଜି କାମ କରୁଥିବା ଆଇପିଏସ ଅଫିସର ଆଶିଷ ସିଂଙ୍କୁ ମଧ୍ୟ ବଦଳି କରିଛନ୍ତି ମୋହନ ସରକାର । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରୁ ହଟାଇ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଛନ୍ତି ସରକାର ।
ଆହୁରି ପଢନ୍ତୁ ରାଜନୀତି ଖବର...