ଅର୍ଗସ ବ୍ୟୁରୋ: ମଣ୍ଡିରେ ଧାନ କିଣା ପ୍ରକ୍ରିୟା ସ୍ଵଚ୍ଛ ରଖିବା ଲାଗି ସରକାରଙ୍କ କଠୋର ଆଭିମୂଖ୍ୟ । କଟନୀ ଛଟନୀ ବନ୍ଦ ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବିଜେପି ସରକାର । ଯିଏ ଖିଲାପ କରୁଛି ହେଉଛି ଆକ୍ସନ । ନୂଆପଡ଼ା ଜିଲ୍ଲା ବୋଡ଼େନ ପାକ୍ସର ଜଣେ RMC କର୍ମଚାରୀ ଆଲୋକ ରଞ୍ଜନ ବେହେରାଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ବହିଷ୍କାର କରାଯାଇଛି । ଅଣ FAQ ଧାନକୁ FAQ କରିବା ଏବଂ ଚାଷୀଙ୍କୁ ହଇରାଣ କରିବା ସହ ଦଲାଲ ମାନଙ୍କ ସହ ମିଶି ମଣ୍ଡିରେ ରାଜୁତି କରୁଥିବା ନେଇ ସଂପୃକ୍ତ RMC କର୍ମଚାରୀଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲା । ଆଉ ଅଭିଯୋଗ ପାଇବା ପରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି । ତେବେ ଦଲାଲ ମାନଙ୍କୁ ସହାୟତା କରୁଥିବା ଏଭଳି ଅଫିସର ମାନଙ୍କ ଉପରେ ଆକ୍ସନ ନିଆଯିବ ବୋଲି କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
ବଲାଙ୍ଗିର ଜିଲ୍ଲାରେ ବି ବଡ ଆକ୍ସନ । ବଲାଙ୍ଗିର ଜିଲ୍ଲାପାଳ ଡିସେମ୍ବର ୨ ତାରିଖରେ ମଣ୍ଡିକୁ ଯାଇ ଧାନ କିଣା ଶୁଭାରମ୍ଭ କରିଥିଲେ । କିନ୍ତୁ ଆଜି ଯାଏଁ ଧାନ ମଣ୍ଡିରୁ ଧାନ ଉଠି ପାରୁନାହିଁ । ଟୋକନ ପାଇଥିବା ଚାଷୀ ମାନେ ମଣ୍ଡିରେ ନିଜ ଧାନ ଆଣି ରଖୁଛନ୍ତି । କିନ୍ତୁ ମିଲର୍ସ ଧାନ ଉଠାଉ ନାହାନ୍ତି । ଯେଉଁଥିପାଇଁ ୪ ମିଲର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଯୋଗାଣ ବିଭାଗ । ଶ୍ରୀ ଶ୍ୟାମଜୀ ରାଇସ ମିଲ, ରାଧେ ଗୋବିନ୍ଦ ପ୍ୟାଡି ପ୍ରସେସିଂ, ପାହାଡି ମାତା ରାଇସମିଲ ଓ ଭଗବତୀ ରାଇସ ମିଲକୁ ନୋଟିସ ଦେଇଛି ବିଭାଗ । ତେବେ ଆଗକୁ ଧାନ ନଉଠାଇ ଚାଷୀଙ୍କୁ ହଇରାଣ କଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଦରକାର ପଡିଲେ ସଂପୃକ୍ତ ରାଇସ ମିଲକୁ ଧାନ ଲିଫ୍ଟିଂରୁ ବାଦ ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ।
ଏ ସବୁ ଭିତରେ ସେହି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକରୁ ଆସିଛି ଦଲାଲ ରାଜ ଓ କଟନୀ ଛଟନୀ ଅଭିଯୋଗ । ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି କିଛି ଏସଏଚଜି ଗ୍ରୁପ । ଘୁନସର ଗାଁର କମିଲିନି ଏସଏଚଜି, ଭେଜିପଦର ଗାଁର ବୀଣାପାଣି ଏସଏଚଜି ଓ ଶିଶକେଳା ଗାଁର ପଲ୍ଲୀଶ୍ରୀ ଏସଏଚଜିକୁ ଚଳିତ ବର୍ଷ ଧାନ କିଣିବାକୁ ଅନୁମତି ମିଳିଛି । ହେଲେ ମଣ୍ଡିରେ ଧାନ ବିକ୍ରି ବେଳେ ଦାୟିତ୍ଵରେ ଏସଏଚଜି ମହିଳା ମାନେ ୫ କେଜି କଟନୀ ଛଟନୀ କରୁଥିବା ନେଇ ଅଭିଯୋଗ କରିଛନ୍ତି ଚାଷୀ ।
ପ୍ରତି ମଣ୍ଡିରେ ଧାନ କିଣା ପ୍ରକ୍ରିୟା ଉପରେ ରହିଛି ସରକାରଙ୍କ କଡା ନଜର । ୧୧ଟି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୩୨୩ ଜଣ ସୁପରଭାଇଜର ଓ ୧୨୮୨ ଜଣ ନୋଡାଲ ଅଫିସର ନିଯୁକ୍ତ ଅଛନ୍ତି । ଅଧିକାରୀ ମାନେ ମଣ୍ଡିକୁ ଆସୁଥିବା ପ୍ରତ୍ୟେକ ଚାଷୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ପଞ୍ଜିକୃତ ଚାଷୀ ମାନଙ୍କ ଠାରୁ ଧାନ କିଣା ଯିବା ସହ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ମୂଲ୍ୟ ବାବଦକୁ ୨୩ ଶହ ଟଙ୍କା ଓ ଇନପୁଟ ସହାୟତା ରାଶି ଭାବେ ୮ ଶହ ଟଙ୍କା ଦେଉଛନ୍ତି ସରକାର ।