ଅର୍ଗସ ବ୍ୟୁରୋ: ବିରଜା ଅଗ୍ନିଶ୍ବର ହାଟ ବନାମ ବବି ପରିବାର । ପୁରୁଣା ସ୍ଥାନକୁ ହାଟ ସ୍ଥାନାନ୍ତର ନେଇ ଘୋଷଣା କରିବା ପରେ କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ବିରଜା ହାଟରେ । ବିରଜା ଅଗ୍ନିଶ୍ବର ହାଟରେ କିଛି ବ୍ୟବସାୟୀ ଆସି ବସିଥିବା ବେଳେ ବବି ଦାସଙ୍କ ଭାଇ ଲଲଙ୍କ ଉପସ୍ଥିତିରେ ବେପାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବବିଙ୍କ ଭାଇ ଲଲଙ୍କ ନାଁରେ ଥାନାରେ 4ଟି ମାମଲା ହୋଇଛି । ଚାଷୀମାନଙ୍କ ପକ୍ଷରୁ 3ଟି ମାମଲା ଦିଆଯାଇଥିବା ବେଳେ ପୋଲିସ ନିଜ ଆଡୁ ଗୋଟିଏ ମାମଲା ଦାୟର କରିଛି । ଲଲଙ୍କ ବିରୋଧରେ ଲାଗିଛି ସଙ୍ଗିନ ଦଫା । ଦଫା 115(2), 126(2), 132, 189(2), 190, 296, 423(4), 451(2), 3(5), 303(2), 324(4), 189(2), 351(2) ।
ଗୋଟିଏ ପୁରୁଣା ସ୍ଥାନର ଆଉ ଗୋଟିଏ ନୂଆ ସ୍ଥାନର। ଯାଜପୁର ବିରଜା ଅଗ୍ନିଶ୍ବର ହାଟକୁ ନେଇ ସାଂଘାତିକ ଖେଳ ଖେଳାଯାଇଛି । ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ପଛର ଷଡଯନ୍ତ୍ର ଏହି ବିରଜା ଅଗ୍ନିଶ୍ବର ହାଟକୁ ନେଇ । ଚାଷୀଙ୍କ ସ୍ବାର୍ଥକୁ ପଛରେ ପକାଇ ବବି ସମର୍ଥକ କରୁଥିଲେ ଆନ୍ଦୋଳନ । ପ୍ରଶ୍ନ ଉଠୁଛି ଚାଷୀଙ୍କ ସ୍ବାର୍ଥ ପାଇଁ ହାଟ ସ୍ଥାନାନ୍ତରକୁ କାହିଁକି ବବି ସମର୍ଥକ ବିରୋଧ କରୁଛନ୍ତି । ବର୍ଷ ବର୍ଷ ହେଲା ମା ବିରଜାଙ୍କ ମନ୍ଦିର ପାଖରେ ବସୁଥିଲା ହାଟ । ଭଲ ବେପାର କରି ଦି ପଇସା ରୋଜଗାର କରୁଥିଲେ ଚାଷୀ । ହେଲେ ନିର୍ବାଚନ ପୂର୍ବରୁ ହାଟକୁ ସ୍ଥାନାନ୍ତର କରିଦେଲା ପ୍ରଶାସନ । ହାଟ ସ୍ଥାନାନ୍ତର ପଛରେ ଥିଲେ ସେତେବେଳର ବିଧାୟକ ବବି ଦାସ । ଏନେଇ ଚାଷୀମାନେ ବାରମ୍ବାର ପ୍ରତିବାଦ କରିଥିଲେ । ହାଟ ସ୍ଥାନାନ୍ତର ପାଇଁ ବାରବାର ଦାବି କରିଥିଲେ । ଏବେ ପୁରୁଣା ସ୍ଥାନକୁ ହାଟ ସ୍ଥାନାନ୍ତର ପାଇଁ ପ୍ରଶାସନ ଘୋଷଣା କଲା ଯାହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ । ବବି ଦାସ ଆନ୍ଦୋଳନ ପଛର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ହୋଇଛି । ପୁରୁଣା ସ୍ଥାନରୁ ହାଟ ହଟାଇ ଦେଇଥିଲେ । ଏବେ କରାଇ ନଦେବାର ଜିଦ ।
ବିରଜା ଅଗ୍ନିଶ୍ଵର ହାଟ ୮ ମାସ ପୂର୍ବରୁ ସନ୍ଥମାଧବ ନିକଟକୁ ସ୍ଥାନାନ୍ତରିତ ହୋଇଥିଲା। ବିରଜାଙ୍କ ପ୍ରକଳ୍ପ ନିର୍ମାଣ ସମୟରେ ଏହାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସ୍ଥାନୀୟ ବ୍ୟବସାୟୀ ସରକାର ବଦଳିବା ପରେ ପୂର୍ବ ସ୍ଥାନକୁ ହାଟ ଫେରିବା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ବୁଧବାର ଜିଲ୍ଲା ପ୍ରଶାସନ ହାଟ ଖୋଲିବା ପାଇଁ ପରୋକ୍ଷରେ ଅନୁମତି ପ୍ରଦାନ କରିଥିଲା । ଗୁରୁବାର ସକାଳୁ ବିରଜା ହାଟରେ କିଛି ବ୍ୟବସାୟୀ ଆସି ବସିଥିବା ବେଳେ ସୃଷ୍ଟି ହୋଇଥିଲା ଆଇନ ଶୃଙ୍ଖଳା ପରିସ୍ଥିତି ।