ବାତ୍ୟା ଗଲାପରେ ବଢିଯାଇଛି ଚାଷୀଙ୍କ ଚିନ୍ତା
by Argus News
Sat, Oct 26 | 7:16 p.m.

ଭୁବନେଶ୍ୱର:  ବାତ୍ୟା ଗଲାପରେ ବଢିଯାଇଛି ଚାଷୀଙ୍କ ଚିନ୍ତା । ଧାନରୁ ପରିବା ସବୁ ବରବାଦ ହୋଇଛି ।  ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।  ହେକ୍ଟର ପିଛା ସର୍ବନିମ୍ନ ହାଜରେରୁ ସର୍ବାଧିକ ୨୨ ହଜାର ୫୦୦ ଟଙ୍କା ଯାଏ ମିଳିବ କ୍ଷତିପୂରଣ ।...
 ବାତ୍ୟାକୁ ଦୁଇ ଦିନ ବିତିଲାଣି । ହେଲେ ଏବେ ବି ଜଳାର୍ଣ୍ଣବ ଚାଷଜମି, ଚଷାପୁଅର ଆଖି । ଦେଖିଲାବାଲାଙ୍କ ପାଇଁ ଇଏ ଉଜୁଡ଼ା ଫସଲ, ପଚିସଢ଼ି ଯାଇଥିବା ଧାନ, ଭେଣ୍ଡି, କାକୁଡ଼ି ଆଦି ପନିପରିବା ହୋଇଥାଇପାରେ । ହେଲେ ଦେହକୁ ମାଟି ଆଉ ରକ୍ତକୁ ଝାଳ କରି କ୍ଷେତରେ ସବୁଜିମାର ସ୍ବପ୍ନ ବୁଣିଥିବା ଚାଷୀଟିଏ ପାଇଁ ଇଏ ମୁଣ୍ଡ ଉପରେ ଅକାଳ ଚଡ଼କ ଠାରୁ କିଛି କମ୍ ନୁହେଁ । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର , କେନ୍ଦୁଝର, ପୁରୀ । ଆଉ କେଇଟା ଦିନ ପରେ ସବୁଠି ଫସଲ ଅମଳ ହୋଇଥାନ୍ତା । ଚାଷୀ ମୁହଁରେ ହସ ଫୁଟିଥାନ୍ତା । ହେଲେ ସବୁ ଖିନଭିନ୍ କରିଦେଇଛି ଅକ୍ଟୋବରର ବାତ୍ୟା । ଦାନା ଛଡ଼ାଇ ନେଇ ଦାନା ଦେଇଯାଇଛି ଦାରୁଣ ଦୁଃଖ । ବହୁଳ ଚାଷ ହେଉଥିବା ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଜଳେଶ୍ବର, ରେମୁଣା, ଭୋଗରାଇ ଓ ନୀଳଗିରି ବ୍ଲକ, ଭଦ୍ରକ ଜିଲ୍ଲାର ବାସୁଦେବପୁର, ତିହିଡ଼ି ଓ ଚାନ୍ଦବାଲି ବ୍ଲକ, କେନ୍ଦ୍ରାପଡ଼ାର ମହାକାଳପଡ଼ା, ଆଳି, ରାଜକନିକା ବ୍ଲକ ଏବଂ ପୁରୀ ପିପିଲର ଅନେକ ସ୍ଥାନରେ ହଜାର ହଜାର ଏକର ଧାନ ଆଉ ପରିବା କିଆରି ଏବେ ଶ୍ମଶାନ ପାଲଟିଛି । କେଉଁଠି ଧାନ କିଆରି ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ତ ଆଉ କେଉଠି ପାଣିରେ ପଡ଼ି ପଚିଯାଇଛି ଧାନଗଛ । ତେଣୁ ଏବେ ସରକାରୀ ହାତଟେକା ଅପେକ୍ଷାରେ ଚାଷୀ । 
 ସେପଟେ କୃଷି ଭବନରେ ବରିଷ୍ଠ ଅଧିକାରୀଙ୍କୁ ଧରି ଆଜି ଚାଷୀଙ୍କ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି କୃଷି ବିଭାଗର ମୁଖିଆ  ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ । ଦାନା ପ୍ରଭାବିତ ଜିଲ୍ଲାର ଅଫିସରମାନେ ବି ଏହି ବୈଠକରେ ସାମିଲ ହୋଇଛନ୍ତି । ତେବେ ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । 1 ଲକ୍ଷ 99 ହଜାର 177 ଏକର ଜମିରେ ଚାଷ କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାରେ 23 ହଜାର ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ଭଦ୍ରକରେ 24 ହଜାର 115 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ବାଲେଶ୍ବରରେ 3140 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ସେହିପରି ମୟୂରଭଞ୍ଜରେ ମୋଟ 2381, ଯାଜପୁରରେ 2709 ଓ ଜଗତସିଂହପୁର 2498 ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ବର୍ଷା କମିଲା ପରେ ଫିଲଡ଼କୁ ଯାଇ ଜିଓ ଟେଗିଙ୍ଗ କରି ସରକାରଙ୍କୁ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେ.ଭି । SRCଙ୍କ ନୂଆ ଗାଇଡଲାଇନ ଅନୁଯାୟୀ  DBT ମାଧ୍ୟମରେ ଲୋକଙ୍କୁ କ୍ଷତି ପୂରଣ ଦିଆଯିବ । ଭୁଲ ରିପୋର୍ଟ ନଦେବା ପାଇଁ ସତର୍କ କରାଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

 କ୍ଷତିପୂରଣ ନେଇ ମଧ୍ୟ ଫିଗର୍ କ୍ଲିଅର କରିଛନ୍ତି ସରକାର । ଅଧା ହେକ୍ଟର ଚାଷ ଜମିରେ ଫସଲ ନଷ୍ଟ ହୋଇଥିଲେ ମିଳିବ ୪ ହଜାର ୨୦୦ ଟଙ୍କାର ସହାୟତା । ଜଳସେଚିତ ଜମିରେ ଫସଲ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୧୭ ହଜାର ଏବଂ ସେହି ଜମିରେ ଛୋଟ ଚାଷୀଙ୍କୁ ସର୍ବନିମ୍ନ ୨ ହଜାର ଟଙ୍କା ଦେବେ ସରକାର । ଆଗ୍ରୋ ଫରେଷ୍ଟ ବା ପ୍ଲାଟେସନ ଚାଷ ନଷ୍ଟ ହୋଇଥିଲେ ହେକ୍ଟର ପିଛା ୨୨ ହଜାର ୫୦୦ ଟଙ୍କା ଏବଂ ଅତି କମରେ ୨ ହଜାର ୫୦୦ ଟଙ୍କା ଦେବେ ସରକାର । ଅଳ୍ପ କିଛି କ୍ଷତି ହୋଇଥିଲେ ଚାଷୀଙ୍କୁ ସର୍ବନିମ୍ନ ହଜାରେ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍ପଷ୍ଟ କରିଛନ୍ତି ।   ଦାନା ସବୁଠୁ ଜୋର ପାହାର ପକାଇଛି ବର୍ଷକର ଦାନା ଉପରେ । ଚାଷୀଙ୍କ ଅଣ୍ଟା ଭାଙ୍ଗିଛି । ତେଣୁ ସରକାର ଖୁବଶୀଘ୍ର ଚାଷୀଙ୍କୁ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି । 
ଅଧିକ ପଢନ୍ତୁ ଓଡିଶା ଖବର 

ବିଜେଡି ନିର୍ବାଚନୀ
ବିଜେଡି ନିର୍ବାଚନୀ ଟଙ୍କାରେ ଆକାଶରେ ଉଡୁଥିଲେ ପାଣ୍ଡିଆନ
ଅର୍ଗସ ବ୍ୟୁରୋ: ନିର୍ବାଚନରେ ପାଣି ଭଳି ଟଙ୍କା ବୁହାଇଥିଲା ବିଜେଡି । ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେଡି ଦାଖଲ କରିଥିବା ରିପୋର୍ଟରୁ ଆସିଛି ଆଖି ଖୋସି ଦେବା ଭଳି ରିପୋର୍ଟ । ରିପୋର୍
କାଠ ଆଣିବାକୁ
କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର
ଅର୍ଗସ ବ୍ୟୁରୋ: ଜଙ୍ଗଲରେ କାଠ ଆଣିବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ପରେ ତାଙ୍କୁ ଗୁରୁତର ଭାବେ ୧୦୮ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ବା
ଆବାସ ଗୃହ
ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଗୃହ ମଞ୍ଜୁର
ଅର୍ଗସ ବ୍ୟୁରୋ: ଖିଲାପ କଲେ କ୍ଷମା ନାହିଁ, ଭଲ କାମ କଲେ ପୁରସ୍କାର। ଏହି ପ୍ରତିଶ୍ରୁତି ପାଳନ କରିଛନ୍ତି ସରକାର। ବାତ୍ୟା ସମୟରେ ପ୍ରଶଂସନୀୟ କାର୍ଯ୍ୟ କରିଥିବାରୁ କେନ୍ଦ୍ରାପଡ଼