ଶ୍ରୀମନ୍ଦିରରେ ଗଣେଶ ଚତୁର୍ଥୀ ନୀତି କିପରି ହୁଏ ?
by Argus News
Sat, Sep 07 | 8:53 p.m.

ଅର୍ଗସ ବ୍ୟୁରୋ: ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ପାଇଁ ସବୁଠି ଉତ୍ସାହ । ଘରେ ଘରେ ପୂଜା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଥିବାବେଳେ ମଣ୍ଡପ ଗୁଡିକରେ ମଧ୍ୟ ଜୋରସୋର୍ ରେ ପ୍ରସ୍ତୁତି ଚାଲିଛି । ବିଦ୍ୟା ବୁଦ୍ଧିର ଦେବତା ଶ୍ରୀ ବିଘ୍ନେଶ ସମସ୍ତ ଛାତ୍ର ଛାତ୍ରୀ ମାନେ ନିଜର ଜୀଵନରେ ଗଜାନନଙ୍କୁ ହିଁ ଈଷ୍ଟ କରିଥାନ୍ତି । ସମସ୍ତ କର୍ମର ଅୟମାରମ୍ଭ କରନ୍ତି । ତାଙ୍କ ନାମ ଧରି ଯିଏ ଯେଉଁ କର୍ମ କରନ୍ତି ସେ ସେହି କର୍ମରେ ଫଳପ୍ରଦ ହୁଅନ୍ତି ବୋଲି ବିଶ୍ୱାସ ରହିଛି ।  

ତେବେ ଶ୍ରୀମନ୍ଦିରରେ ମଧ୍ୟ ପୂଜାପାଆନ୍ତି ଗଜାନନ । ଶ୍ରୀମନ୍ଦିର ବେଢାରେ ବିଘ୍ନବିନାଶନ ପାଇଁ ବିରାଜିତ ହୋଇଛନ୍ତି ପ୍ରଭୁ ଶ୍ରୀଗଣେଶ । ଗଜପତିମାନେ ବିଭିନ୍ନ ସମୟରେ ଶ୍ରୀଗଣେଶଙ୍କ ବିଗ୍ରହ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଛନ୍ତି । ସ୍ଥାନ-କାଳମୁତାବକ ଅଗ୍ରପୂଜ୍ୟ ଭିନ୍ନଭିନ୍ନ ନାମରେ ନାମିତ ହୋଇଛନ୍ତି । ବଟ ଗଣେଶ,ଦନ୍ତ ତଥା ନର୍ତ୍ତକଗଣେଶ, କାଞ୍ଚି ଗଣେଶ,ରୋଷଗଣେଶ,ଚର୍ଚ୍ଚା ଗଣେଶ,ସରଘର ଗଣେଶ, ଗୋଦାମ ଗଣେଶ ଭଳି ପ୍ରାୟ ୧୦ରୁ ଅଧିକ ବିଘ୍ନରାଜଙ୍କ ଚିତ୍ର ଓ ୨୯ ଶ୍ରୀଗଣେଶ ବିଗ୍ରହ ବିରାଜିତ ରହିଛି । ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଗଣେଶଙ୍କ କେତେକ ବିଗ୍ରହଙ୍କର ଏକାଧିକ ନାମ ମଧ୍ୟ ରହିଛି ।

  • ଆଦ୍ୟ ଗଣେଶ

ପ୍ରତ୍ୟେକ ପୂଜାରେ ଅଗ୍ରପୂଜ୍ୟ ଗଣେଶ, ସେ ମୂର୍ତ୍ତି ହୁଅନ୍ତୁ ବା କଳସ ହୁଅନ୍ତୁ । ଯେତବେଳେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କ ପାଇଁ ମନ୍ଦିର ତାଳୋଇବା ପାଇଁ ଚିନ୍ତା କଲେ ସେହି କାର୍ଯ୍ୟରେ ମଧ୍ୟ ପ୍ରଥମେ ଗଣେଶଙ୍କର ପୂଜା ଆବଶ୍ୟକ ଥିଲା । ତାଙ୍କ ଠାରୁ ହିଁ ଶୁଭ ପଡି଼ଲା। ତେବେ ଶ୍ରୀକ୍ଷେତ୍ରର ଅଷ୍ଟଶମ୍ଭୁ ଓ ପଞ୍ଚପାଣ୍ଡବ ବା ପଞ୍ଚମହାଦେବଙ୍କ ମଧ୍ୟରେ ଅନ୍ୟତମ କପାଳମୋଚନ ମନ୍ଦିରଠାରେ ହିଁ ଏହି ଆଦ୍ୟ ବା ଆଦି ଗଣେଶ ବିରାଜମାନ । ଯେଉଁଠାରେ ଶ୍ରୀମନ୍ଦିର ନିମନ୍ତେ ଶୁଭ ଦିଆଯାଇ ମନ୍ଦିର ନିର୍ମାଣ କର୍ମ ଆରମ୍ଭ ହୋଇଥିଲା । ପ୍ରଥମେ ବା ଅଗ୍ରରେ ପୂଜା ହୋଇଥିବାରୁ ଓ ମୂଳରୁ ପୂଜା ହୋଇ ଆସୁଥିବାରୁ ତାଙ୍କର ନାମ ଆଦ୍ୟ ବା ଆଦି ଗଣେଶ।

  • ଗୁମୁଟ ଗଣେଶ

ଆମେ ଶୁଣିଛେ ସମସ୍ତକର୍ମ କରିବା ପୂର୍ବରୁ ବିଘ୍ନେଶଙ୍କୁ ସ୍ମରଣ କଲେ ସମସ୍ତ ବିଘ୍ନ ଦୂରୀଭୁତ ହୁଏ । ଠିକ୍ ସେହିପରି ଶ୍ରୀମନ୍ଦିର ପ୍ରବେଶ ପଥ ସିହଂଦ୍ବାରସ୍ଥ ଗୁମୁଟ କାନ୍ଥରେ ଏକ ଗଜାନନଙ୍କ ସୁନ୍ଦର ପଟ୍ଟଚିତ୍ର ଅଙ୍କନ କରାଯାଇଛି । ଏହାର କାରଣ ହେଉଛି ମହାପ୍ରଭୁଙ୍କୁ ଦର୍ଶନ କରିବା ପୂର୍ବରୁ ଏହି ଗଣେଶଙ୍କୁ ଦର୍ଶନ କଲେ ଦର୍ଶନ ସମୟରେ କୌଣସି ବିଘ୍ନ ଆସିବ ନାହିଁ ।

  • ରୋଷ ଗଣେଶ

ବିଶ୍ବର ସବୁଠାରୁ ବଡ଼ ରୋଷଘର ହେଲା ମହାପ୍ରଭୁଙ୍କର ରୋଷଘର ଯେଉଁଠାରେ ରହିଛି ୨୪୦ଟି ଚୁଲା ଓ ଚୁଲି । ଯାହାକି ଆବାହମାନକାଳର । ଏଠାରେ ସୋମ ବଂଶୀୟ ଶାସନ କାଳର ଚୁଲି ମଧ୍ୟ ରହିଛି । ତେବେ ମହାପ୍ରଭୁ ହେଲେ ଖାଦ୍ୟ ପ୍ରିୟ ତେଣୁ ଏତେବଡ଼ ରୋଷଘରର ପ୍ରୟୋଜନ । ହେଲେ ଏହି ରୋଷେଇ ଘରେ ରୋଷ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଶ୍ରୀ ଗଣେଶଙ୍କୁ ଆରାଧନା ଓ ପୂଜନ କରାଯାଏ । ଯେପରି ରୋଷ ସମୟରେ କୌଣସି ବାଧା ବିଘ୍ନ ନ ଆସୁ ତେଣୁ ପ୍ରତ୍ୟେହ ସୁଆର ମହାସୁଆର ସେବକଗଣ ଶ୍ରୀ ଗଣେଶଙ୍କୁ ପ୍ରଣାମ କରି ରୋଷେଇ ଆରମ୍ଭ କରିଥାନ୍ତି । ଏହି ଗଣେଷ ରୋଷଶାଳାରେ ହିଁ ବିଦ୍ୟମାନ ।

  • ଭଣ୍ଡ ବା କାଞ୍ଚି ବା ଗଣେଶ

କିମ୍ବଦନ୍ତୀ ରହିଛି କାଞ୍ଚି ରାଜାଙ୍କୁ ହରାଇ ଗଣେଶଙ୍କୁ ଆଣିଥିବାରୁ ଶ୍ରୀମନ୍ଦିର ପୂଜା ପାଉଛନ୍ତି କାଞ୍ଚି ଗଣେଶ । ଗଜପତି ପୁରୁଷୋତ୍ତମ ଦେବ ୧୪୭୪ ଖ୍ରୀଷ୍ଟାବ୍ଦରେ କାଞ୍ଚି ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି କାଞ୍ଚିରୁ ଏହି ଗଣେଶ ବିଗ୍ରହଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ । ତେଣୁ ଗଣେଶଙ୍କ ବିଗ୍ରହକୁ କାଞ୍ଚି ଗଣେଶ ନାମରେ ବିଦିତ ।

ଶ୍ରୀ ମନ୍ଦିରରେ ବିମଳାଙ୍କ ମନ୍ଦିର ସମ୍ମୁଖ କୂଅ ପାଖରେ ଜଳ କ୍ରୀଡ଼ାମଣ୍ଡପ ପଛ ପାଖରେ ରହିଛି ନର୍ତ୍ତକ ଗଣେଶ ମନ୍ଦିର । ମନ୍ଦିରରେ କଳା ମୁଗୁନି ପଥର ନିର୍ମିତ ଗଣେଶ ମୂର୍ତ୍ତିନୃତ୍ୟ କରୁଥିବା ଭଙ୍ଗୀରେ ଦଣ୍ଡାୟମାନ ରହିଛି । ପ୍ରାୟ ୬ ଫୁଟ ଉଚ୍ଚ ବିଶିଷ୍ଟ ଏହି ଗଣେଶ ଅଷ୍ଟଭୁଜ ବିଶିଷ୍ଟ ଦୁଇ ହାତରେ ସର୍ପ ଧାରଣ କରିଥିବା ବେଳେ ଅନ୍ୟ ହାତରେ ଜପମାଳା,ଦନ୍ତ, ମୁଦ୍ରା, ଅଙ୍କୁଶ ଓ ଲଡୁ ଧାରଣ କରିଥାଆନ୍ତି ।  ଗଣେଶ ଚତୁର୍ଥୀ ଦିନ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ପରେ ନର୍ତକ ଗଣେଶଙ୍କ ଭୋଗଲାଗି ଓ ବନ୍ଦାପନା ଆଦି ନୀତି ପୂଜାପଣ୍ଡା ସେବକଙ୍କ ଦ୍ଵାରା ସମ୍ପାଦିତ ହୁଏ ।

  • ବଟ ଗଣେଷ

ଶ୍ରୀମନ୍ଦିର ବେଢ଼ାରେ କଳ୍ପବଟ ମୂଳରେ ପୂଜା ପାଉଛନ୍ତି ବଟ ଗଣେଶ । ଶ୍ରୀମନ୍ଦିର ଭିତର ବେଢ଼ାରେ କଳ୍ପବଟ ମୂଳରେ ବଟ ଗଣେଶ ବିରାଜିତ ଅଛନ୍ତି । ଗଜପତି କପିଳେନ୍ଦ୍ର ଦେବ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ଦକ୍ଷିଣାଭିମୁଖୀ ମନ୍ଦିର ନିର୍ମିତ ହୋଇଥିବା ଗବେଷକ ମାନେ ମତ ଦିଅନ୍ତି । ଏହି ବିଗ୍ରହ ଶ୍ଵେତ ବର୍ଣ୍ଣର ହୋଇଥିବାରୁ ଭକ୍ତମାନେ ଶ୍ଵେତ ଗଣେଶ ବୋଲି ମଧ୍ୟ ଉଚ୍ଚାରଣ କରନ୍ତି । ଶ୍ରୀମନ୍ଦିର ଭିତର ବେଢାରେ ଥିବା ସମସ୍ତ ଗଣେଶଙ୍କ ମଧ୍ୟରେ ବଟ ଗଣେଶ ପ୍ରଥମ ଓ ମୂଖ୍ୟ ଅଟନ୍ତି । ସେ କଳ୍ପ ଗଣେଶ, ଚିନ୍ତାମଣି ଗଣେଶ, ବଟ ଗଣେଶ ଓ ସିଦ୍ଧ ଗଣେଶ ନାମରେ ପୂଜା କରାଯାଏ । ଶ୍ରୀ ଗଣେଶଙ୍କ ଏହି ବଟ ଗଣେଶ ମନ୍ଦିର ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରୁ ପ୍ରାଚୀନ । ୭୦୦ ବର୍ଷର ପୁରାତନ ବୋଲି ଅନୁମାନ କରାଯାଏ । ଏହି ପାଖରେ ହିଁ ଥାଏ ରାହାସ ମଣ୍ଡପ ଯେଉଁଠାରେ ଦିନେ ପ୍ରତି ଓଡି଼ଆ ଘରର ପୁରାଣ ଓଡି଼ଆ ଭାଗବତକୁ ଜଗନ୍ନାଥ ଦାଶ ରଚନା କରିଥିଲେ।

  • ନୃତ୍ୟ ଗଣପତି ବା ନାଟୁଆ ଗଣେଶ

ଶ୍ରୀକ୍ଷେତ୍ର ଅଧୀଶ୍ବରୀ ମାଆ ବିମଳାଙ୍କ ଅଗ୍ରରେ ଦକ୍ଷୀଣ ଦିଗକୁ ମୁଖ ଥାଇ ଏ ମନ୍ଦିର ରହିଛି । ଏବଂ ଏହା ଭିତର ବେଢାରେ । ଅଷ୍ଟଭୂଜ ଗଣପତି ମୂଷିକ ଉପରେ ନୃତ୍ୟରତ ଭଙ୍ଗୀ ଥିବାରୁ ଏହାଙ୍କର ନାମ ନୃତ୍ୟ ଗଣପତି । ଏ ସ୍ବରୁପ ମଧ୍ୟ ରଥରେ ପାର୍ଶ୍ବ ଦେବତା ଭାବରେ ବ୍ୟବହାର ହୋଇଥାନ୍ତି ।

  • ଶ୍ରୀମନ୍ଦିରରେ ଗଣେଶ ଚତୁର୍ଥୀ ନୀତି କିପରି ହୁଏ ?

ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ବଟ ଗଣେଶଙ୍କ ମନ୍ଦିରରେ ବିନାୟକ ଚତୁର୍ଥୀ ମହାବ୍ରତ ପାଳନ କରାଯାଏ।ସନ୍ଧ୍ୟା ଧୂପ ସରିବା ପରେ ବଟ ଗଣେଶ , ନୃତ୍ୟ ଗଣେଶ , ଭଣ୍ଡ ଗଣେଶଙ୍କ ମନ୍ଦିରରେ ଶୀତଳ ଭୋଗ ଓ ବନ୍ଦାପନା ନୀତି ହୋଇଥାଏ।

ମୁଳିଆ ସୁଆଁସିଆ ଦେଇଥିବା ଭଦ୍ରାସନ ଉପରେ ବେହେରଣ କରଣମାନଙ୍କ ମାଦଳାପାଞ୍ଜି ରଖା ଯାଇ ତହିଁ ଉପରେ ପତନି ଓ ପୁଷ୍ପମାଲ୍ୟ ଲାଗି ପୂର୍ବକ ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ପ୍ରଶାସନ ପକ୍ଷରୁ ଯୋଗାଇଥିବା ୨୨ଟି ନଡ଼ିଆ ଉକ୍ତ ବେହେରଣ କରଣ ମାନେ ଭାଙ୍ଗିଥାନ୍ତି ଓ ଏହାକୁ ପ୍ରସାଦ ରୂପେ ସେବନ ମଧ୍ୟ କରାଯାଇଥାଏ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିବର୍ଷ ସ୍ନାନ ଯାତ୍ରାରେ ପ୍ରଭୁ ଗଣେଶଙ୍କ ବେଶ ହୋଇଥାନ୍ତି । ଶାସ୍ତ୍ରରେ ଉଲ୍ଲେଖ ଅନୁଯାୟୀ ହିନ୍ଦୁ ଧର୍ମରେ 5 ଜଣ ହେଉଛନ୍ତି ଗଣ ଠାକୁର । ପ୍ରଥମେ ହେଉଛି ପ୍ରଭୁ ଗଣେଷ , ନାରାୟଣ, ଶଙ୍କର, ମା' ଦୁର୍ଗା ଓ ସୂର୍ଯ୍ୟ ଦେବତା । ଏହି ଗଣ ଦେବତା ଙ୍କ ମଧ୍ୟରେ ପ୍ରଥମ ଆଦ୍ୟ ଦେବତା ହେଉଛନ୍ତି ପ୍ରଭୁ ଗଣେଶ । ଏଣୁ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଆମେ ପ୍ରଭୁ ଗଣେଷଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥାଉ । ଏଣୁ ଅଗ୍ରପୂଜ୍ୟ ପ୍ରଭୁ ଗଣେଷଙ୍କୁ ଏକାଧିକ ନାମରେ ଅଭିହିତ କରାଯାଇ ଶ୍ରୀମନ୍ଦିରରେ ପୂଜା କରାଯାଉଛି । ଭିନ୍ନ ଭିନ୍ନ ସମୟରେ ତତ୍କାଳୀନ ଗଜପତି ମହାରାଜା ମାନେ ଶ୍ରୀମନ୍ଦିର ରେ ପ୍ରଭୁ ଗଣେଶଙ୍କୁ ଶ୍ରୀମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ବିଭିନ୍ନ ନାମରେ ପ୍ରତିଷ୍ଠା କରି ପୂଜା କରିଆସୁଛନ୍ତି ।

 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ