ଅର୍ଗସ ବ୍ୟୁରୋ : ଗହଣାବଜାରରେ ବଢିଲା ରୂପାର ଚାହିଦା । ସୁନା ଛାଡି ରୂପା କିଣିଲେ ଗ୍ରାହକ । ଯାହା ପ୍ରଥମ ଥର ପାଇଁ ଗହଣାବଜାରରେ ଏୈତିହାସିକ ରେକର୍ଡ ବୋଲି କୁହାଯାଉଛି । ପୂର୍ବବର୍ଷ ଅପେକ୍ଷା ଏହାର ବିକ୍ରୀ ୩୦ରୁ ୩୫ ପ୍ରତିଶତ ବୃଦ୍ଧି ପାଇଛି ।
ପ୍ରତିବର୍ଷ ଧନତେରସରେ ସୁନା ପ୍ରତି ଲୋକଙ୍କର ଆକର୍ଷଣ ବଢିଥାଏ । ସୁନା କିଣିବା ପାଇଁ ଲୋକେ ଗହଣା ଦୋକାନରେ ଭିଡ ଜମାଇ ଥାଆନ୍ତି । ଘରକୁ ସୁନା କିଣି ଆଣିବା ଶୁଭ ବୋଲି କହିଥାନ୍ତି । ହେଲେ ପ୍ରଥମ ଥର ପାଇଁ ରୂପା ର ବିକ୍ରି ଅଧିକ ହୋଇଥିବା ରିପୋର୍ଟରୁ ଜଣା ପଡିଛି ।
ତେବେ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ସୁନାର ଦାମ ଅତ୍ୟଧିକ ବୃଦ୍ଧି ପାଇଥିବା କାରଣରୁ ସୁନା ପ୍ରତି ମୁହଁ ଫେରାଇ ଆଣିଛନ୍ତି ଗ୍ରାହକ । ଯଦି ଦେଖାଯାଏ ତେବେ ପୂର୍ବ ବର୍ଷ ଧନତେରସ ସମୟରେ ସୁନାର ମୂଲ୍ୟ ୧୦ ଗ୍ରାମକୁ ଥିଲା ପାଖାପାଖି ୬୨ ହଜାର । ଏବଂ ରୂପାର ମୂଲ୍ୟ ଥିଲା ୧ କେଜିକୁ ପାଖାପାଖି ୭୨ ହଜାର ।
ତେବେ ଚଳିତ ବର୍ଷ ଏହାର ମୂଲ୍ୟ ବୃଦ୍ଧିପାଇ ସୁନା ପାଖାପାଖି ୮୧ ହଜାର ଥିବାବେଳେ ରୂପାର ମୂଲ୍ୟ ପାଖାପାଖି ୧ ଲକ୍ଷରେ ପହଞ୍ଚିଛି । ତେଣୁ ସୁନାର ଦର ଆକାଶଛୁଆଁ ହେବା କାରଣରୁ ଗ୍ରାହକ ଚଳିତଥର ରୂପାରେ ଅଧିକ ଇନଭେଷ୍ଟମେଣ୍ଟ କରିଛନ୍ତି ।
ରିପୋର୍ଟ ଅନୁସାରେ, ଚଳିତ ଥର ୧୫ ପ୍ରତିଶତ ସୁନା କମ ବିକ୍ରି କରାଯାଇଛି । ଅର୍ଥାତ ପୂର୍ବଥର ସୁନା ୪୨ ଟନ ବିକ୍ରି କରାଯାଇଥିବା ବେଳେ ଚଳିତ ଥର ୩୫ ରୁ ୪୦ ଟନ ସୁନା ବିକ୍ରି କରାଯାଇଛି । ତେବେ ସମୁଦାୟ ୨୮ ହଜାର କୋଟି ମୂଲ୍ୟର ସୁନା ଚଳିତ ବର୍ଷ ବିକ୍ରି କରା ଯାଇଥିବା ବେଳେ ପୂର୍ବବର୍ଷ ୨୪ ହଜାରରୁ ୨୫ ହଜାର କୋଟି ଟଙ୍କାର ସୁନା ବିକ୍ରି କରାଯାଇଥିଲା । କେବଳ ଦରବୃଦ୍ଧି ଯୋଗୁ ଚଳିତ ଥର ପୂର୍ବବର୍ଷ ତୁଳନାରେ ଏହା ଅଧିକ ବୃଦ୍ଧି ରହିଛି ।
ୱାର୍ଲ୍ଡ ଗୋଲ୍ଡ କାଉନସିଲର ରିପୋର୍ଟ ଅନୁଯାୟୀ ଚଳିତ ଥର ଭାରତରେ ସୁନାର ଚାହିଦା ପୂର୍ବ ୪ ବର୍ଷ ତୁଳନାରେ କମ ରହିଛି ।