ଦୀର୍ଘ 4 ବର୍ଷ ପରେ ଲଦାଖ ସୀମାକୁ ଫେରୁଛି ଶାନ୍ତି
by Argus News
Fri, Nov 01 | 7:52 p.m.

ଅର୍ଗସ ବ୍ୟୁରୋ: ଲଦାଖ ସୀମାରେ ପରସ୍ପରକୁ ମିଠା ବାଣ୍ଟି ଶାନ୍ତି ସନ୍ଦେଶ ଦେଉଛନ୍ତି ଭାରତ-ଚୀନ ଯବାନ । ଯେଉଁ ଦୃଶ୍ୟ ଉଭୟ ଦେଶର ସମ୍ପର୍କର ବଡ଼ ସାକ୍ଷୀ ହୋଇଛି । ବଦଳିଛି ସୀମା ସ୍ଥିତି । ପରସ୍ପରକୁ ମିଠା ବାଣ୍ଟି ଶାନ୍ତି ଓ ସୌହାର୍ଦ୍ଦ୍ୟର ବାର୍ତ୍ତା ଦେଇଛନ୍ତି ଉଭୟ ଦେଶର ଯବାନ । ଦୀର୍ଘ 4 ବର୍ଷ ପରେ  ସୀମାକୁ ଫେରିଛି ଚାରି ବର୍ଷ ତଳର ସ୍ବାଭାବିକ ସ୍ଥିତି । ଆରମ୍ଭ ହୋଇଛି ନିୟମିତ ସେନା ପାଟ୍ରୋଲିଂ। ସୀମାରୁ ସୈନ୍ୟ ଅପସାରଣ ସହ ହଟିଛି ଯବାନଙ୍କ ଅସ୍ଥାୟୀ କ୍ୟାମ୍ପ। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନିର୍ଣ୍ଣୟ ଓ ସଫଳ କୁଟନୀତି ସୀମା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବାରେ ସଫଳ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 2020ରେ ଗଲୱାନ ଘାଟିରେ ସଂଘର୍ଷ ପରେ ଲଗାତାର ଉତ୍ତେଜନା ଲାଗି ରହୁଥିବାବେଳେ ଏବେ ବଦଳୁଛି ସ୍ଥିତି । ମୋଦିଙ୍କ ଦୃଢ଼ ରଣନୀତି ଭାରତ-ଚୀନ ସମ୍ପର୍କରେ ସୁଧାର ଆଣିବାରେ ସଫଳ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଆସାମର ତେଜପୁରସ୍ଥିତ ଗଜରାଜ କୋର ମୁଖ୍ୟାଳୟରେ ଆୟୋଜିତ ବଡ଼ା ଖାନା କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତ-ଚୀନ ସମ୍ପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା କହିଥିଲେ ରାଜନାଥ ସିଂହ । 

ସୀମା ସମସ୍ୟାର ସମାଧାନ ସହ ବର୍ଡର ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ମୋଦି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଚୀନ ସୀମାବର୍ତ୍ତୀ ଲଦାଖ, ଅରୁଣାଚଳ ସୀମାରେ ଗତ ମାସରୁ BRO ପକ୍ଷରୁ ଆରମ୍ଭ ହୋଇଛି 18ଟି ବଡ଼ ପ୍ରୋଜେକ୍ଟ । ଆସାମର ତେଜପୁରରୁ ଅରୁଣାଚଳର ତୱାଙ୍ଗକୁ ସଂଯୋଗ ପାଇଁ 13 ହଜାର ଫୁଟ ଉଚ୍ଚରେ ନିର୍ମାଣାଧୀନ ସେଲା ସୁଡଙ୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜଜୁ । BRO ପ୍ରୋଜେକ୍ଟ ଗୁଡ଼ିକ ନର୍ଥଇଷ୍ଟ ରାଜ୍ୟ ବିକାଶକୁ ତ୍ବରାନ୍ବତ କରିବା ସହ ଭାରତ ପାଇଁ ଇକୋନୋମି କରିଡର ପରି କାମ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅରୁଣାଚଳର ବମଲାରେ ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ଭାରତ ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି କିରଣ ରିଜଜୁ ।  

ଗତମାସରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିଲା ଆଲୋଚନା ।  ଅକ୍ଟୋବର 21 ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ସୀମାରେ ନିୟମିତ ପାଟ୍ରୋଲିଂ ଆରମ୍ଭ ହୋଇଛି ।

ଏପ୍ରିଲ 2020ରେ ଚୀନ ସେନା ପୂର୍ବ ଲଦାଖର 6ଟି ଅଞ୍ଚଳରେ ଅତିକ୍ରମଣ କରିବାକୁ ଉଦ୍ୟମ କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ପିପି 17ଏ ଗୋଗରା, ପିପି 14 ଗଲବାନ, ପିପି 15 ହଟ ସ୍ପ୍ରିଙ୍ଗ, ଡେମଚୋକ, ଡେପସାଙ୍ଗ  ଓ ପୈଗୋଂଗ ଦ୍ବୀପ ସୀମାରେ ଦେଖାଦେଇଥିଲା ଉତ୍ତେଜନା । 
ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଯବାନ । ସୀମା ସ୍ଥିତିରେ ସୁଧାର ପାଇଁ ବାରମ୍ବାର ସେନା କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ ହୋଇଥିଲା। ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ NSA ସ୍ତରୀୟ ଆଲୋଚନା ପରେ ଶାନ୍ତି ପାଇଁ ରାସ୍ତା ଫିଟିଥିଲା । ଶେଷରେ 2024 ବ୍ରିକ୍ସ ସମ୍ମିଳନୀରେ ଶାନ୍ତି ପ୍ରସ୍ତାବକୁ ଚୁଡ଼ାନ୍ତ ରୂପ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ଦିଲ୍ଲୀ କ୍ୟାପିଟାଲ୍ସରୁ
35m ago
ଦିଲ୍ଲୀ କ୍ୟାପିଟାଲ୍ସରୁ ବିଦା ହେଲେ ରିଷଭ
ଅର୍ଗସ ବ୍ୟୁରୋ: ଆଇପିଏଲ-୨୦୨୫ ପୂର୍ବରୁ ପତ୍ୟେକ ଦଳ ନିଜର ରିଟେନସନ ତାଲିକା ଜାରି କରିଛନ୍ତି । ତେବେ ଏହି ତାଲିକାରେ ସବୁଠୁ ଆଶ୍ଚର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦଳର ଅଧିନାୟକ ଋଷ
ଚଳିତ ବର୍ଷ ଶୀତ
ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବ!
ଅର୍ଗସ ବ୍ୟୁରୋ: ଚଳିତ ବର୍ଷ ଶୀତ ଦେଶର ଅନେକ ରାଜ୍ୟରେ ରେକର୍ଡ ଭାଙ୍ଗିବାକୁ ଯାଉଛି, ଯାହାକୁ ନେଇ ପାଣିପାଗ ବିଭାଗ ମଧ୍ୟ ଏକ ସତର୍କ ସୂଚନା ଜାରି କରିଛି। ପ୍ରତିବର୍ଷ ଦୀପାବଳି ସମୟରେ କିଛ
ବଡ଼ ପରଦାରେ ରିଲିଜ ହେଲା
ବଡ଼ ପରଦାରେ ରିଲିଜ ହେଲା ଭୁଲ ଭୁଲେୟା-୩: ଫ୍ୟାନ୍ସଙ୍କ ମନ କିଣୁଛି କାର୍ତ୍ତିକଙ୍କ ଅଭିନୟ
ଅର୍ଗସ ବ୍ୟୁରୋ: ଅନିସ୍ ବାଜମିଙ୍କ 'ଭୁଲ୍‌ ଭୁଲେୟାଁ ୩' ଶେଷରେ ବଡ ପରଦାରେ ଆସିଛି। ଏହି ହରର କମେଡି ପାଇଁ ଫିଲ୍ମର ଟ୍ରେଲର ଏବଂ ଗୀତଗୁଡ଼ିକ ଦର୍ଶକଙ୍କ କ୍ରେଜକୁ ଆଗେ