ଅର୍ଗସ ବ୍ୟୁରୋ: ସୋମବାର ମୁମ୍ବାଇରେ ମହାୟୁତି ବୈଠକ ଉପରେ ସମସ୍ତଙ୍କ ନଜର । ସପ୍ତାହେ ବ୍ୟାପୀ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିବ ବୋଲି ବଡ଼ ସଂକେତ ଦେଇଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୁସ୍ଥ ହେବା ପରେ ମୁମ୍ବାଇ ଫେରିଆସିଛନ୍ତି ଏକନାଥ । ଅସୁସ୍ଥତା କାରଣରୁ ଦିଲ୍ଲୀରୁ ଫେରିବା ପରେ ସେ ନିଜ ପୈତୃକ ଗ୍ରାମ ସତାରା ଯାଇଥିଲେ । ମୁମ୍ବାଇରୁ ଏକ ଡାକ୍ତରୀ ଟିମ୍ ସତରାରେ ପହଞ୍ଚି ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ । ମୁଖ୍ୟମନ୍ତ୍ରୀ ରେସରେ ଦେବେନ୍ଦ୍ର ଫଡନଭୀସ୍ ଆଗରେ ଥିବାବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ବ କୌଣସି ନୂଆ ଚେହେରାଙ୍କୁ ଆଗକୁ ଆଣିବା ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମ ସହ କଥା ହେବାବେଳେ କିଏ ସିଏମ୍ ହେବେ ଏହା ନିଷ୍ପତି ନିଆଯାଇ ସାରିଛି, କେବଳ ଘୋଷଣାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ସିନ୍ଦେ। ମହାୟୁତିର 3 ସହଯୋଗୀ ଦଳ ମଧ୍ୟରେ ପଦକୁ ନେଇ କୌଣସି କନ୍ଦଳ ନଥିବା ମଧ୍ୟ କହିଛନ୍ତି ଏକନାଥ ।
ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସହ ମନ୍ତ୍ରିମଣ୍ଡଳକୁ ନେଇ ମହାୟୁତି ବୈଠକରେ ନିଆଯାଇପାରେ ଚୁଡ଼ାନ୍ତ ନିଷ୍ପତ୍ତି । ଏକନାଥ ଗୋଷ୍ଠୀଙ୍କୁ କେଉଁ କେଉଁ ବିଭାଗ ଯିବ ଏବଂ ଅଜିତ୍ ପାୱାରଙ୍କ ଗୋଷ୍ଠୀକୁ କ’ଣ ବିଭାଗ ମିଳିବ, ଏନେଇ ଚର୍ଚ୍ଚା ଲାଗି ରହିଛି । ମହାୟୁତି ସହଯୋଗୀ ଏନସିପି ମୁଖ୍ୟ ଅଜିତ୍ ପାଓ୍ବାର ସିଏମ ରେସରୁ ଓହରି ଯାଇଥିବାବେଳେ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ଲାଳସା ନାହିଁ ବୋଲି ଖୋଲା ଖୋଲି କହିଥିଲେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ଏଥର ରେକର୍ଡ ସଂଖ୍ୟକ ୧୩୨ ଆସନ ମିଳିଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନାକୁ ମିଳିଛି ୫୭ ଆସନ। ଅଜିତ ପାୱାରଙ୍କ ଏନସିପିକୁ ମିଳିଥିଲା ୪୧ଟି ଆସନ । ଆସନ୍ତା 5 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜାରି ରହିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ, ସୋମବାର ସ୍ପଷ୍ଟ ହେବା ସମ୍ଭାବନା ରହିଛି ।