ବିଜେଡି ସମୟରେ ବନ୍ଦ ଥିଲା, ବିଜେପି ଓପନ କରିବ
by Argus News
Wed, Sep 11 | 6:57 p.m.

ଅର୍ଗସ ବ୍ୟୁରୋ : ବିଜେଡି ସରକାରରେ ମିଳୁନଥିଲା ନ୍ୟାୟ । ରାଜ୍ୟରେ ଏମିତି ଅନେକ ଚର୍ଚ୍ଚିତ ଘଟଣା ଅଛି ଯେଉଁ ମାମଲାରେ ଦୋଷୀ ଏବେ ବି ଦଣ୍ଡ ପାଇନାହାନ୍ତି । କାରଣ ମାମଲାର ଫାଇଲକୁ ଚାପି ଦେଇଥିଲା ପୂର୍ବ ସରକାର । ହେଲେ ଏବେ ସରକାର ବଦଳିବା ପରେ ପୁଣି ଥରେ ପୁରୁଣା ମାମଲାର ତଦନ୍ତ ସିବିଆଇ କରୁ ବୋଲି ବିଧାନସଭାରେ ଦାବି କରିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି ।

ନବୀନଙ୍କ ଶାସନରେ ଚାଲିଥିଲା ଦୋଷୀ ଘଣ୍ଟ ଘୋଡ଼ା ଅଭିଯାନ । ଅର୍ଥାତ୍‌ ଅନେକ ମାମଲାରେ ଦୋଷୀ ଧରାପଡିବା ପରେ ତାଙ୍କୁ ସୁରକ୍ଷା ଦେଉଥିଲା ପୂର୍ବ ସରକାର । ଯେଉଁଥି ଲାଗି ଅପରାଧ ବି ବଢୁଥିଲା । ହେଲେ ସରକାର ବଦଳିବା ପରେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଆଇନମନ୍ତ୍ରୀ । ଆଉ ଏବେ ମୋହନ ସରକାରରେ ଆଶାର ସଞ୍ଚାର ହୋଇଛି । ଚର୍ଚ୍ଚା ହେଉଛି କି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟା ରହସ୍ୟଠୁ ଆରମ୍ଭ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଥିବା ଷଡ଼ଯନ୍ତ୍ରକାରୀ , ମମିତା ମେହେର ହତ୍ୟା ଘଟଣାର ପୁରା ସତ ସାମ୍ନାକୁ ଆସିପାରେ । ଜଣାପଡ଼ିପାରେ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁର କାରଣ ।  

ରାଜ୍ୟରେ ଘଟିଥିବା ବଡ଼ବଡ଼ ହତ୍ୟା ଓ ଦୁଷ୍କର୍ମ କାଣ୍ଡରେ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଯେଉଁଥି ଲାଗି ଭଲରେ ହୋଇନଥିଲା ତଦନ୍ତ । ହେଲେ ସରକାର ପରିବର୍ତ୍ତନ ପରେ ଗତକାଲି ବିଧାନସଭା ଶୂନ୍ୟକାଳରେ ଏହି ସବୁ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ହତ୍ୟା, ମନ୍ତ୍ରୀ ନବ ଦାସ ହତ୍ୟା, ମମିତା ମେହେର ହତ୍ୟା ଏବଂ ଗୋବିନ୍ଦ ସାହୁଙ୍କର ରହସ୍ୟଜନକ ମୃତ୍ୟୁ ଘଟଣା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ଏ ସବୁ ମାମଲାରେ ଯେଉଁ ପରି ଢଙ୍ଗରେ ତଦନ୍ତ ହେଲା, ତାହା ମଧ୍ୟ ସନ୍ଦେହଜନକ । ତଦନ୍ତ ଉପରେ ମଧ୍ୟ ଓଡ଼ିଶାବାସୀଙ୍କର ବିଶ୍ୱାସ ନାହିଁ । ତେଣୁ ଏହି ସବୁ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ଦାବି କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । 

ବିଧାନସଭାରେ ଶାସକଙ୍କ ସହ ବିରୋଧୀ ବି ମିଶାଇଲେ ସ୍ଵର । ଜୟନାରାୟଣ କହିବା ପରେ କଂଗ୍ରେସ ବି ସମାନ କଥା କହିଛି । ସେପଟେ, ତାଙ୍କ ହାତରେ ସରକାର ଅଛି, ସିବିଆଇ ତଦନ୍ତ କରନ୍ତୁ ବୋଲି କହିଛି ବିଜେଡ଼ି । ମୋଟ୍‌ ଉପରେ, ବହୁ ଚର୍ଚ୍ଚିତ ମହାଲିଙ୍ଗ କଲେଜ ଶିକ୍ଷୟତ୍ରୀ ମମିତା ହତ୍ୟାକାଣ୍ଡର ରହସ୍ୟରୁ ଆଜି ଯାଏଁ ଉଠୁନି ପରଦା । କେଉଁ ପରିସ୍ଥିତିରେ ମମିତା ମେହେରଙ୍କୁ ହତ୍ୟା କରିଥିଲା କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁ ? ହତ୍ୟା ପାଇଁ ଗୋବିନ୍ଦକୁ କେହି ନିର୍ଦ୍ଦେଶ ଦେଇଥିଲେ କି ? ମହାଲିଙ୍ଗ କଲେଜରେ ଚାଲିଥିଲା କଣ ? କଣ ଜାଣିଥିଲେ ମମିତା ମେହେର, ଯେଉଁଥିପାଇଁ ମମିତାଙ୍କୁ ଜୀବନରୁ ମାରିବା ପାଇଁ ନିଷ୍ପତି ନେଇଥିଲା ଗୋବିନ୍ଦ ? ହତ୍ୟାକାଣ୍ଡରେ ବିଜେଡ଼ି ନେତା ଦିବ୍ୟ ଶଙ୍କର ମିଶ୍ରଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଥିଲେ ମମିତାଙ୍କ ବାପା ମା । କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ଗିରଫ କରି ହାତ ବାନ୍ଧି ବସି ଗଲା ପୋଲିସ । ଆଉ ହଠାତ୍ ଦିନେ କୋର୍ଟକୁ ଯିବା ପୂର୍ବରୁ ଜେଲ ଭିତରୁ ମିଳିଥିଲା ଗୋବିନ୍ଦ ସାହୁର ଝୁଲନ୍ତା ମୃତ ଦେହ । କୁହାଗଲା, ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। କିନ୍ତୁ ଗୋବିନ୍ଦର ଏଭଳି ମୃତ୍ୟୁ ପଛରେ ସେତେବେଳେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲା ବିଜେପି । ଆଉ ଏବେ ବିଜେପି ସରକାରକୁ ଆସିବା ପରେ ପୁଣି ଖୋଲିବ କି ଏହି ସବୁ ହତ୍ୟାର ଫାଇଲ ? ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ କି ମୋହନ ସରକାର ? 
 

ଭାରତ ଏବଂ ବାଂଲାଦେଶ
11m ago
ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହ
ବଦଳିବ ମୁଖ୍ୟମନ୍ତ୍ରୀ
31m ago
ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଠିକଣା
ଅର୍ଗସ ବ୍ୟୁରୋ: ବଦଳିବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନର ଠିକଣା । ରାଜପଥ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ନୂଆ ଠିକଣା । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବ
ମେଡିକାଲ କଲେଜ
37m ago
ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଅର୍ଗସ ବ୍ୟୁରୋ : ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ । ଏ ନେଇ ଆଜି ବଡ଼ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ତାଳଚେର ଓ କନ୍ଧମାଳରେ ମେଡିକା