ଅର୍ଗସ ବ୍ୟୁରୋ: ହାତୀ ଖାଦ୍ୟ ପାଉ ନାହାଁନ୍ତି । ଜଙ୍ଗଲ ଛାଡି ଜନ ବସତି ଆଡକୁ ମୁହାଁଉଛନ୍ତି । ଖାଦ୍ୟ ଅଭାବ ଯୋଗୁଁ କିଛି ହାତୀ ରୋଗୀଣା ମଧ୍ୟ ହେଉଛନ୍ତି । ରାଜ୍ୟରେ ପ୍ରତିଦିନ ହାତୀ ମୃତ୍ୟୁ ଖବର ର ଶିରୋନାମା ପାଲଟିଥିବା ବେଳେ ହାତୀ ଙ୍କ ସହବାସ୍ଥାନ କ୍ଷମତା କୁ ନେଇ ଆସିଛି ବଡ ତଥ୍ୟ । ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡି ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ୪୦୦ ହାତୀ ଅଧିକ ଅଛନ୍ତି । ଯେଉଁଥିପାଇଁ ହାତୀଙ୍କ ବାସସ୍ଥଳୀ ଓ ଖାଦ୍ୟ ର ଅଭାବ ଦେଖା ଦେଇଛି । ଏଥିରେ ଅଧିକ ପ୍ରଭାବ ପକାଉଛି ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ ଙ୍କ ଆଗମନ । ଏହି ହାତୀଙ୍କ ଉପରେ ନଜର ରଖିବାକୁ ନଭେମ୍ବର ୧୪ ରୁ ହାତୀଗଣନା କରିବ ବନ ବିଭାଗ ।
ବନ ବିଭାଗ ତଥ୍ୟ କହୁଛି ଗତ ୭ ବର୍ଷ ରେ ୬୩୪ ହାତୀଙ୍କ ଜୀବନ ଗଲାଣି। ଚଳିତ ବର୍ଷ ୬୦ ହାତୀର ମୃତ୍ୟୁ ହୋଇଥିଲେ ବି ଗୋଟିଏ ବି ହାତୀ ଶୀକାର ରେ ମରି ନାହାଁନ୍ତିି । ତେବେ ରୋଗାଗ୍ରସ୍ତ ଓ ଦୁର୍ଘଟଣା ଜନିତ ମୃତ୍ୟୁରେ କିନ୍ତୁ ରୋକ ଲାଗି ପାରୁନି । ଭୁଲ ବୁଝାମଣା ପାଇଁ କିଛି ଦିନ ପୂର୍ବେ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ ଦୁର୍ଘଟଣାରେ ହାତୀ ଙ୍କ ଜୀବନ ଯାଇଛି । ଖାଦ୍ୟ ଅଭାଗ ଯୋଗୁଁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି କମିବା ବନ ବିଭାଗର ଚିନ୍ତା ବଢ଼ାଇଥିବା ବେଳେ ଏହାର ନିରାକରଣ ପାଇ କିଛି ହାତୀଙ୍କୁ ଶିମିଳିପାଳ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବନ ବିଭାଗ ।
ହାତୀ ମୃତ୍ୟୁ ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ କିଛି ଦିନ ତଳେ ବିଭାଗୀୟ ସଚିବ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜଙ୍ଗଲ ମନ୍ତ୍ରୀ । ବିଭାଗ ଏବେ ସେ ଦିଗରେ କଣ ପଦକ୍ଷେପ ନେଉଛି ତା ଉପରେ ସମସ୍ତଙ୍କ ନଜର ।