କେନ୍ଦୁଝର: ଭୋରୁ ଭୋରୁ ମା ତାରିଣୀଙ୍କୁ ଦର୍ଶନ କରିବେ । ଆଳତୀ ଦେଖିବେ । ମାକୁ ଦର୍ଶନ କରି ସୌଭାଗ୍ୟ ଲାଭ କରିବେ । ମନରେ ଅପୂର୍ବ ଉତ୍କଣ୍ଠା ନେଇ ବାହାରିଥିଲେ ଦୁଇ ପରିବାରର 19 ଜଣ । ବାଟ ଯେତେ ପାଖେଇ ଆସୁଥାଏ ମନରେ ଚଞ୍ଚଳତା ମଧ୍ୟ ଠିକ୍ ସେହିପରି ବୃଦ୍ଧି ପାଉଥାଏ । ବାସ୍ ଆଉ 3 କି.ମି । ହେଲେ ମା ତାରିଣୀଙ୍କ ସେ ଭବ୍ୟ ରୂପ ଦେଖିବା ପୂର୍ବରୁ ସବୁ ଦିନ ପାଇଁ ଶୋଇଗଲା 8 ନୀରିହ ଜୀବନ । ଅଧାରେ ରହିଲା ତାରିଣୀ ଦର୍ଶନ ....
ଭୋରୁ ଭୋରୁ ଭୟଙ୍କର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଖବର ପହଞ୍ଚିବା ପରଠୁ ପରିବାରରେ ଶୋକାକୂଳ ପରିବେଶ । ସମସ୍ତେ ସ୍ତବ୍ଧ । ଛିନଛତର ହୋଇ ପଡିଥିବା ଏହି ଗାଡି କହୁଛି ଦୁର୍ଘଟଣା କେତେ ଭୟଙ୍କର ଥିଲା ।
ରାସ୍ତା ସାରା ଛିନଛର ହୋଇ ପଡିଛି ମୃତଦେହ । କେଉଁଠି ବ୍ୟାଗ୍ ତ କେଉଁଠି ମାଂସ । ଦେଖିଲେ ଛାତି ଥରି ଉଠୁଛି । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା NH-20 ବାଲିଯୋଡି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଘଟଗାଁ ଥାନା ବାଲିଯୋଡି ନିକଟରେ ଛିଡା ହୋଇଥିବା ଟ୍ରକକୁ ପଛରୁ ପିଟିଛି ୱିଙ୍ଗର୍ ଭ୍ୟାନ୍ । ଯେଉଁଥିରେ 8 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହୁରି 11 ଜଣ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
ମୃତକ ମଧ୍ୟରେ ଅଛନ୍ତି ୪ ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ୪ ବର୍ଷର ଶିଶୁକନ୍ୟା ରହିଛି । ତେବେ ସେମାନଙ୍କ ପରିଚୟ ମିଳିଛି । ବତାଗଡ ଗାଁର ମଦନ ଗୌଡ, ବାୟାଘନ ଗୌଡ । ପାଳଝାଡ଼ି ଗାଁର କାମିନୀ ଗୌଡ । ପୋଡାମାରି ଗାଁର ଆକାଶ ପ୍ରଧାନ, ଲିଜା ପ୍ରଧାନ, ହଡ଼ିଆନି ପ୍ରଧାନ । ଦେଖାଲି ଗାଁର ବାବୁଲା ଗୌଡ । ଅନ୍ୟପଟେ କହିବାକୁ ଗଲେ ପ୍ରହସନ ପାଲଟିଛି ରାଜ୍ୟ ସରକାରଙ୍କ ସଡ଼କ ସୁରକ୍ଷା ସଚେତନତା । ଜିରୋ ଫାଟାଲିଟି ସପ୍ତାହ ଆରମ୍ଭରୁ ସଡ଼କ ଦୁର୍ଘଟଣାରେ ଝଡ଼ିଯାଇଛି ଦୁଇ ପରିବାରର 8 ଜଣଙ୍କ ଜୀବନ ।