ଅର୍ଗସ ବ୍ୟୁରୋ : ଇଣ୍ଟରନେଟ ଯୁଗରେ ବହି ପାଲଟିଛି ଅଦରକାରୀ । ଦୈନନ୍ଦିନ ଜୀବନରେ ମଣିଷ ଠାରୁ ପୁସ୍ତକ ଅଲଗା ହେବାକୁ ବସିଥିବା ବେଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଂଚଳର ୫୦ବର୍ଷ ବୟସ୍କ ବିକାଶ ଶତପଥୀଙ୍କର ରହିଛି ବହି ପ୍ରତି ନିଚ୍ଛକ ଭଲ ପାଇବା । ବିଗତ ୩୦ ବର୍ଷରୁ ଅଧିକ ସମୟ ଧରି ବିକାଶ ନିଜସ୍ୱ ଶ୍ରମ ,ସମୟ ଓ ସମ୍ବଳ ବିନିଯୋଗ କରି ସାଇତି ରଖିଛନ୍ତି ୨୨ ହଜାରରୁ ଅଧିକ ବହି । ପଢିବା ଓ ପଢେଇବାର ନିଶାରେ ମସଗୁଲ ବିକାଶ ବାସୁଦେବପୁର ପୌରପାଳିକାର ୧୧ ନମ୍ବର ୱାର୍ଡର ଏକ ଭଡ଼ାଘରେ ଲୋକନାଥ ଲାଇବ୍ରେରୀ ନାଁରେ ଏକ ପାଠାଗାର ଲୋକଙ୍କ ପାଇଁ ଖୋଲି ଯୋଗାଇଦେଇ ଆସୁଛନ୍ତି ମାଗଣା ସେବା । ଓଡ଼ିଶାର ଜଣେ ଶିଶୁ ସାହିତ୍ୟିକ ,ପତ୍ରିକା ସମ୍ପାଦକ ଓ ସାହିତ୍ୟ ସଂଗଠକ ଭାବେ ପରିଚିତ ବିକାଶ ଓଡ଼ିଶାର ଲାଇବ୍ରେରୀ ଆନ୍ଦୋଳନର ପ୍ରବାଦ ପୁରୁଷ ଦାସିଆ ଅଜାଙ୍କ ପ୍ରେରଣାରେ ଆଗକୁ ବଢିଥିବା କହନ୍ତି । ୧୯୯୦ ମସିହାରୁ ବହି ସମେତ ବିଭିନ୍ନ ବିରଳ ସାମଗ୍ରୀ ସଂଗ୍ରହ କରୁଥିବା କହିଛନ୍ତି ବିକାଶ । ଏହି ସଂଗ୍ରହାଳୟ ବାସୁଦେବପୁର ପାଇଁ ଗର୍ବ ଓ ଗୌରବର କଥା ବୋଲି କହନ୍ତି ସ୍ଥାନୀୟ ବାସିନ୍ଦା ସୁଧାଂଶୁ ଶେଖର ମିଶ୍ର ।
ବିକାଶଙ୍କ ଉଦ୍ୟମରେ ବାସୁଦେବପୁରରେ ଗଢିଉଠିଛି ଲୋକନାଥ ଲାଇବ୍ରେରୀ । ଏଥିରେ ଥାକ ଥାକ ହୋଇ ସଜଡା ହୋଇ ରହିଛି ହଜାର ହଜାର ବିରଳ ବହି । କାବ୍ୟ ,କବିତା ,ଗଳ୍ପ ,ଉପନ୍ୟାସ ଠାରୁ ଆରମ୍ଭ କରି ଅନେକ ପ୍ରକାର ଅଭିଧାନ ଓ ବ୍ୟାକରଣ ପୁସ୍ତକ ସାଇତି ହୋଇ ରହିଛି । କେବଳ ବହି ନୁହଁ ,ବହି ସହିତ ସଂରକ୍ଷିତ ହୋଇ ରହିଛି ବହୁ ପ୍ରାଚୀନ ମୁଦ୍ରା ,ହାତୀଦାନ୍ତ ନିର୍ମିତ ବକ୍ସ ,ଅତୀତରେ ଉପଯୋଗ ହେଉଥିବା ରେଡ଼ିଓ ,ଲଣ୍ଠନ ,ପକ୍ଷିଆ ଓ ଆଉ କେତେ କଣ ସାମଗ୍ରୀ । ଓଡ଼ିଶାର ବିଭିନ୍ନ ଅଂଚଳ ବୁଲି ଏସବୁ ସାମଗ୍ରୀ ସଂଗ୍ରହ କରି ଆଣିଛନ୍ତି ଯୁବ ସଂରକ୍ଷକ ବିକାଶ ଶତପଥୀ । ନିପଟ ମଫସଲ ଗାଁରେ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା କରି ସାହିତ୍ୟ ମନସ୍କ ମଣିଷ ଗଢିବାରେ ବିକାଶଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଛନ୍ତି ବିଦ୍ୟାର୍ଥୀ ଓ ବାସିନ୍ଦା ।
ମଣିଷର ପ୍ରକୃତ ବନ୍ଧୁ ହେଉଛି ବହି । କିନ୍ତୁ ଆଧୁନିକତାର ପ୍ରବାହରେ ହଜି ଯିବାରେ ଲାଗିଛି ବହି ପ୍ରତି ଆଦର ଆଉ ଆଗ୍ରହ । ବର୍ତ୍ତମାନର ପିଢ଼ିକୁ ବହି ପ୍ରତି ଆକୃଷ୍ଟ କରାଇବା ପାଇଁ ବିକାଶଙ୍କ ପାଠାଗାର ସଂଗ୍ରହାଳୟ ନିଶ୍ଚୟ ଭାବେ ଏକ ନିଆରା ଉଦାହରଣ ।