5-T କୁ ନେଇ ଅଡୁଆରେ ରାଜ୍ୟ ସରକାର
by Argus News
Sat, Apr 20 | 4:47 p.m.

ଅର୍ଗସ ବ୍ୟୁରୋ : ବିଜେଡି ରାସ୍ତାରେ ଏବେ କଂଟା ସାଜିଲେଣି ପାଣ୍ଡିଆନ । ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ରାଜନୀତିରେ ସାମିଲ ହୋଇଥିଲେ । ଆଉ ପାଣ୍ଡିଆନଙ୍କ ପଲିଟିକାଲ ଲଞ୍ଚିଂ ପାଇଁ 5T ପରି ଅଗଣତାନ୍ତ୍ରିକ ବିଭାଗ ଆରମ୍ଭ କରିଥିଲା ବିଜେଡ଼ି ସରକାର । କେବଳ 5T ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ହେଲେ ୫-ଟି ପ୍ରଚାର ପାଇଁ ଯେଉଁ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ତାହା ବିଜେଡିର ନିର୍ବାଚନି ଖର୍ଚ୍ଚରେ କାହିଁକି ସାମିଲ କରାଯିବନି ? ବିଜେଡ଼ିଠୁ ଏହି ୫୦୦ କୋଟି ଟଙ୍କା କାହିଁକି ଆଦାୟ ହେବନି ? କିଛି ଏମିତି ପ୍ରଶ୍ନ କରିଛି ବିଜେପି । ଖାଲି ଏତିକି ନୁହେଁ ବରଂ ଫାଇଭ-ଟି ନାଁରେ ରାଜ୍ୟରେ ୪୦ ହଜାର କୋଟିର ଦୁର୍ନୀତି ହୋଇଥିବା ନେଇ ସାଙ୍ଘାତିକ ଅଭିଯୋଗ ବି ହୋଇଛି ।

ଫାଇଭ-ଟି...ବିଭାଗ ଆରମ୍ଭ ହେବା ଦିନରୁ ହିଁ କେଁ ଦେଖାଯାଇଛି । କାରଣ ଇଏ ଏମିତି ଏକ ବିଭାଗ ଯେଉଁ ବିଭାଗରେ ମନ୍ତ୍ରୀ ବି ନଥିଲେ । ତେଣୁ ସମ୍ବିଧାନ ବିରୋଧୀ ଥିବାରୁ ଏ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଥିଲେ ବିରୋଧୀ । ଖାଲି ଉଠାଇଥିଲେ ତାହା ନୁହେଁ ବରଂ ତୁମ୍ବିତୋଫାନ ବି କରିଥିଲେ । ହେଲେ ରାଜ୍ୟ ସରକାର ପାଣ୍ଡିଆନଙ୍କୁ ଘଣ୍ଟ ଘଉଡାଇବାକୁ ଚେଷ୍ଟା କରିଥିଲେ । ହେଲେ ଏହାରି ଭିତରେ ନିର୍ବାଚନ ଆଚରଣବିଧି ଲାଗୁ ହେଲା । ଆଉ ଏହାରି ଭିତରେ ଫାଇଭ-ଟି ଅଧ୍ୟକ୍ଷ ଥିବା ପାଣ୍ଡିଆନ ଚାକିରି ଛାଡିବା ପରେ ବି ସିଏମଓର ନଂ-୧ ତାଲିକାରେ ନିଜର ନାଁ ରଖିଥିଲେ । ତେଣୁ ଏହା କେମିତି ସମ୍ଭବ ହେବ ବୋଲି ସିଇଓଙ୍କ ପାଖରେ ଅଭିଯୋଗ କରିଥିଲା ବିଜେପି । ପରେ କମିଶନଙ୍କ ହସ୍ତକ୍ଷେପ ପରେ ପାଣ୍ଡିଆନଙ୍କ ନାଁ ଅଫିସର ଲିଷ୍ଟରୁ ହଟାଇଥିଲେ ସରକାର । ଖାଲି ହଟାଇ ଥିଲେ ତାହା ନୁହେଁ ବରଂ ଫାଇଭ-ଟିର ସବୁ ତଥ୍ୟ ୱେବସାଇଟ୍‌ରୁ ବ୍ଲାଙ୍କ ବି କରିଥିଲେ । ଯାହା ସ୍ପଷ୍ଟ କରିଥିଲା କି ଏ ବିଭାଗ ସଂପୂର୍ଣ୍ଣ ଭାବରେ ଅଗଣତାନ୍ତ୍ରିକ ।

ପ୍ରଥମେ ପାଣ୍ଡିଆନ...ପରେ ରବୀନ୍ଦ୍ର...ଏବେ ଗୋପବନ୍ଧୁ । ସିଏମଓରେ କାର୍ଯ୍ୟରତ ଥିବା ଏଇ ଅଫିସର ମାନେ ସରକାରୀ ଚାକିରି କରିବା ପରେ ବି ଦଳୀୟ ପ୍ରଚାରରେ ନିଜକୁ ବ୍ୟସ୍ତ ରଖୁଛନ୍ତି । ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ସତ୍ତ୍ଵେ ସେ ବିଜେଡ଼ି ପାଇଁ ଗତ ପଞ୍ଚାୟତ ନିର୍ବାଚନରେ ପ୍ରଚାର କରିଥିଲେ । ତେଣୁ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରହିପାରିବେ କି ? ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗୋପବନ୍ଧୁ ଦାସଙ୍କୁ ତୁରନ୍ତ ବହିଷ୍କାର କରାଯାଉ ବୋଲି ଦାବି କରିଛି ବିଜେପି । ଯଦି ତାଙ୍କୁ ହଟା ନଯାଏ ତେବେ ସିଇଓଙ୍କ ପାଖକୁ ଯିବ ଚେତାବନୀ ଦେଇଛି ବିଜେପି ।

ଗୁରୁତ୍ଵପୂର୍ଣ୍ଣ କଥା ହେଲା,  5T ପଦ ଗଲା ପରେ ବି କମିଛି କି ପାଣ୍ଡିଆନଙ୍କ ପାୱାର ? କିଛି ଦିନ ପୂର୍ବରୁ ବସ ଦୁର୍ଘଟଣା ଆହତଙ୍କୁ ଭେଟିବାକୁ ଅଫିସର ମାନଙ୍କ ସହ ଏସସିବି ମେଡିକାଲ ଯାଇଥିଲେ ପାଣ୍ଡିଆନ । ତେଣୁ ରାଜ୍ୟ ରାଜକୋଷ ଲୁଟ ଅଭିଯୋଗରେ ଲୋକ ପ୍ରତ୍ୟାଖାନ କରିବାର ଭୟ ବିଜେଡିକୁ ଘାରିନି ତ ? ଯେଉଁଥିପାଇଁ ପରଦା ପଛରୁ ସବୁ କଣ୍ଟୋଲ କରୁଛନ୍ତି କି ପାଣ୍ଡିଆନ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ରାଜ୍ୟ ସରକାରଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି ବିଜେପି । ସମୟ କହିବ ଏ ଦୁର୍ନୀତିଗ୍ରସ୍ତ ସରକାରକୁ କେମିତି ଉଚିତ୍‌ ଜବାବ ଦେଉଛନ୍ତି ଭୋଟର ।
 


 

ରାଜଧାନୀରେ କୋଷ୍ଟଗାର୍ଡ
2m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
31m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା