ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରରେ ମହାୟୁତି ଝଡ଼ । ଭାଙ୍ଗିଲା ସବୁ ରେକର୍ଡ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାୟୁତି ମେଣ୍ଟ ବଡ଼ ବିଜୟ ହାସଲ କରିଛି । ବିଜୟ ପରେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ? କିଏ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମଖ୍ୟମନ୍ତ୍ରୀ ? ତାହା ଉପରେ ରହିଛି ସମସ୍ତଙ୍କ ନଜର । ମୁମ୍ବାଇରେ ନିର୍ବାଚିତ ବିଧାୟକମାନଙ୍କର ଏକ ବୈଠକ ହେବ । ଏହି ସମୟରେ ବିଧାନସଭା ଦଳର ନେତା ମଧ୍ୟ ନିର୍ବାଚିତ ହେବେ । ତା’ପରେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନାଁ ଉପରେ ମୋହର ବାଜିବ । ଏଥିପାଇଁ ମହାୟୁତି ବିଧାୟକମାନେ ମୁମ୍ବାଇ ମୁହାଁ ହୋଇଛନ୍ତି ।
ରାଷ୍ଟ୍ରରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବା ପରେ ମହାୟୁତି ସମସ୍ତ ବିଜୟୀ ବିଧାୟକଙ୍କୁ ମୁମ୍ବାଇରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମହାୟୁତିଙ୍କ ତିନିଟି ଦଳ ଆଜି ସେମାନଙ୍କର ନିଜସ୍ବ ବୈଠକ କରିପାରନ୍ତି । ବିଧାୟକମାନେ ମୁମ୍ବାଇରେ ପହଞ୍ଚିବା ପରେ ବିଜେପି, ଏନସିପି ଏବଂ ଶିବସେନାର ପୃଥକ ବିଧାନସଭା ଦଳର ବୈଠକ ହେବ ।
ବିଧାନସଭା ଦଳର ନେତା ଚୟନ କରିବା ପରେ ମହାୟୁତିଙ୍କ ତିନି ପ୍ରମୁଖ ନେତା ବିଜେପି ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ । ଏହା ପରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ଉପରେ ନିଷ୍ପତ୍ତି ନିଆଯିବ। ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ସୋମବାର ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମରେ ଶପଥ ନେବେ ।